କ୍ରାଇମ

ନାବାଳିକାକୁ ୫ ଲକ୍ଷରେ ଗୁଜରାଟ ଚାଲାଣ: ଥାନାରେ ମାମଲା – Utkal Mail


ମହିଳା ସରପଞ୍ଚ ଫେରାର, ପୀଡ଼ିତା ବାପାମା’ ଛେଉଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଝିଅ ଚାଲାଣ ଥମୁନି। ଦଲାଲମାନେ ଗ୍ରାମାଞ୍ଚଳର ନାବାଳିକା, ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତି ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି କରି ଦେଉଛନ୍ତି। ଏବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ ବାପାମା’ ଛେଉଣ୍ଡ ନାବାଳିକାଙ୍କୁ ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। ସିଏ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସି ଏସ୍‌ପିଙ୍କୁ ଅଭିଯୋଗ କରିବା ପରେ ଚାଲାଣ କଥା ଜଣାପଡ଼ିଛି।

ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ, ସଦର ବ୍ଲକ୍‌ ବିରବିରା ପଞ୍ଚାୟତର ମହିଳା ସରପଞ୍ଚ ଦଲରସା ଗୁଡ଼ିଆ ଗୁଜରାଟ ଅହମଦାବାଦରେ ସିଲେଇ ତାଲିମ ଦିଆଯିବ କହି ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ଧରୁଆଡ଼ିହି ଥାନା ପୁଲିସ ସରପଞ୍ଚ ଏବଂ ନାବାଳିକାଙ୍କୁ ଘରେ ବଳପୂର୍ବକ ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି। ଗିରଫ ଭୟରେ ସରପଞ୍ଚ ଫେରାର ହୋଇଯାଇଛନ୍ତି। ବଡ଼ କଥା ହେଲା, ନାବାଳିକା ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡ଼ିହି ଥାନାକୁ ଯାଇଥିଲେ। କିନ୍ତୁ ପୁଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ ଆସିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ପିଲାଦିନୁ ବାପାମାଙ୍କୁ ହରାଇ ଏକାକୀ ରହୁଥିବା ନାବାଳିକା ରାସନ ଆଦି ସରକାରୀ ସହାୟତା ପାଇଁ ସରପଞ୍ଚ ଶ୍ରୀମତୀ ଗୁଡ଼ିଆଙ୍କ ପାଖକୁ ଯାଉଥିଲେ। ସେହି ସମୟରେ ତାଙ୍କୁ ରୋଜଗାରକ୍ଷମ ହେବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ବିଶ୍ବାସ ଜନ୍ମାଇ ନାବାଳିକାଙ୍କୁ ଗତ ୨୦୨୨ ଜୁଲାଇରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ ସେଠାରେ ସିଲେଇ ତାଲିମ ଦେବା ପରିବର୍ତ୍ତେ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ନେବୁ କହି ଟ୍ରେନ ଯୋଗେ ଗୁଜରାଟ ନେଇ ଯାଇଥିଲା। ହେଲେ ଗୁଜରାଟର ଅହମଦାବାଦ ପହଞ୍ଚିବା ପରେ ନାବାଳିକା ଜଣକ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଅହମଦାବାଦରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ସୁନିତା ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିଲେ। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା।

ତା’ ବାବଦକୁ ସରପଞ୍ଚ ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଓ ସୁନିତା କହୁଥିଲେ। ଅନେକ ସମୟରେ କାମରେ କିଛି ଭୁଲ ହେଲେ ସୁନିତା ମାଡ଼ ମାରୁଥିଲେ। ଏଥିରେ ଅତିଷ୍ଠ ନାବାଳିକା ଘରକୁ ଫେରିଯିବେ ବୋଲି ଦିନେ କହିବା ପରେ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଛଡ଼ା ଯାଇଥିଲା। ସେ ଗାଁକୁ ଆସି କିଛି ଦିନ ରହିବା ପରେ ସରପଞ୍ଚ ଦଲରସା ଗୁଡ଼ିଆ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କ ଫୋନରେ କଲ୍‌ କରି ନାବାଳିକାକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ସେ ସମୟରେ ବି ସେ ୫ ଲକ୍ଷ ଟଙ୍କା କଥା ଉଠାଇଥିଲେ।
ଏଥିରେ ଭୟଭୀତ ନାବାଳିକା ଗାଁର ଗୋଲାପୀ ନାଏକ ନାମ୍ନୀ ଜଣେ ମହିଳା ନେତ୍ରୀଙ୍କୁ କାନ୍ଦିକାନ୍ଦି ଗୁହାରି କରିଥିଲେ। ପରେ ଗୋଲାପୀଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣି ତାଙ୍କୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସ୍‌ପିଙ୍କୁ ଫେରାଦ ହୋଇଥିଲେ। ଏହା ପରେ ଧରୁଆଡ଼ିହି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ରଖାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button