ଦେଶ ବିଦେଶ

ଭାରତ ଗଣତନ୍ତ୍ରର ଜନନୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ଏକ ଜୀବନ୍ତ ଓ ପ୍ରଗତିଶୀଳ ଦସ୍ତାବିଜ ଯାହା ମାଧ୍ୟମରେ ଆମେ ସାମାଜିକ ନ୍ୟାୟ ଓ ଅନ୍ତର୍ଭୁକ୍ତ ବିକାଶର ଲକ୍ଷ୍ୟ ହାସଲ କରିପାରିଛୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି। ସମ୍ବିଧାନ ପ୍ରଚଳନର ୭୫ତମ ବାର୍ଷିକୀ ପାଳନର ବର୍ଷବ୍ୟାପୀ ଉତ୍ସବର ଶୁଭାରମ୍ଭ ଅବସରରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁର୍ମୁ ଏହି ଦସ୍ତାବିଜ ପ୍ରସ୍ତୁତ କରିବାରେ ସମ୍ବିଧାନ ସଭାର ୧୫ ଜଣ ମହିଳା ସଦସ୍ୟଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ସେ ସମ୍ବିଧାନର ମୈଥିଳୀ ଓ ସଂସ୍କୃତ ସଂସ୍କରଣକୁ ଉନ୍ମୋଚନ କରିଥିଲେ।

ସମ୍ବିଧାନର ମୈଥିଳୀ ଓ ସଂସ୍କୃତ ସଂସ୍କରଣ ଉନ୍ମୋଚିତ

ଭାରତ ହେଉଛି ଗଣତନ୍ତ୍ରର ଜନନୀ।  କାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକା ତଥା ସମସ୍ତ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣରୁ ଆମର ସାମ୍ବିଧାନିକ ଆଦର୍ଶକୁ ଶକ୍ତି ମିଳିଥାଏ। ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ଆମର ଦୂରଦୃଷ୍ଟିସମ୍ପନ୍ନ ସମ୍ବିଧାନ ନିର୍ମାତାମାନେ ନୂତନ ଚିନ୍ତାଧାରା ଗ୍ରହଣ କରିବାର ବ୍ୟବସ୍ଥା କରିଥିଲେ। ସମ୍ବିଧାନ ମାଧ୍ୟମରେ ଆମେ ସାମାଜିକ ନ୍ୟାୟ ଓ ଅନ୍ତର୍ଭୁକ୍ତ ବିକାଶ ସହିତ ଜଡିତ ଅନେକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିଛୁ। ଏକ ନୂତନ ଆଭିମୁଖ୍ୟ ସହିତ ଆମେ ଭାରତ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରୁଛୁ। ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସମ୍ବିଧାନ ନିର୍ମାତାମାନେ ଭାରତକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଗୋଟିଏ ଦୃଷ୍ଟିରୁ ଭାରତର ସମ୍ବିଧାନ କିଛି ମହାନ ବ୍ୟକ୍ତିଙ୍କ ପ୍ରାୟ ତିନି ବର୍ଷର ବିଚାରବିମର୍ଶର ଫଳ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରକୃତ ଅର୍ଥରେ ଏହା ଏକ ଦୀର୍ଘ ସ୍ୱାଧୀନତା ସଂଗ୍ରାମର ଫଳ। ସେହି ଅତୁଳନୀୟ ଜାତୀୟ ଆନ୍ଦୋଳନର ଆଦର୍ଶ ସମ୍ବିଧାନରେ ସ୍ଥାନ ପାଇଛି। ସମ୍ବିଧାନର ପ୍ରସ୍ତାବନାରେ ସେହି ଆଦର୍ଶଗୁଡ଼ିକୁ ସଂକ୍ଷିପ୍ତ ରୂପରେ ଗ୍ରହଣ କରାଯାଇଛି ଏବଂ ସେଗୁଡ଼ିକ ହେଉଛି ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରା। ବିଗତ କିଛି ବର୍ଷ ମଧ୍ୟରେ ସରକାର ସମାଜର ସବୁ ବର୍ଗ, ବିଶେଷ କରି ଦୁର୍ବଳ ବର୍ଗଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।  ଭାରତର ଗଣତନ୍ତ୍ରରେ ମହିଳା ସଂରକ୍ଷଣ ଆଇନ ମହିଳା ସଶକ୍ତୀକରଣର ନୂଆ ଯୁଗ ଆରମ୍ଭ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button