କ୍ରାଇମ

ଚାକିରି ନାଁରେ ୪୦ ଜଣଙ୍କ ଅଧକୋଟି ଚଳୁ: କୋ-ଅର୍ଡିନେଟର ହାତରେ ହାତକଡ଼ି – Utkal Mail


ଭୁବନେଶ୍ବର: ଲୋକସେବା ଭବନରେ ଏଏସ୍‌ଓ ଚାକିରି କରେଇବା ଆଳରେ ଜଣେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଙ୍କଠାରୁ ୨ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗରେ ଆଜି ସହିଦନଗର ଥାନା ପୁଲିସ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଅଞ୍ଚଳର ମାଧବଚନ୍ଦ୍ର ସେଠୀ(୪୪)। ମାଧବ ଉତ୍କଳ ବିଶ୍ବବିଦ୍ୟାଳୟ ଡିଡିସିଇରେ ଇତିହା‌ସ ବିଭାଗର ଏକାଡେମି କୋ-ଅର୍ଡିନେଟର ଭାବେ କାର୍ଯ୍ୟରତ ଥିଲା। ଧୂର୍ତ୍ତ ମାଧବ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରମାନଙ୍କୁ ଟାର୍ଗେଟ୍‌ କରୁଥିଲା ଏବଂ ପ୍ରାୟ ୪୦ ଜଣଙ୍କଠାରୁ ଅଧ କୋଟିରୁ ଅଧିକ ଟଙ୍କା ଠକିନେଇଥିବା ଆକଳନ କରାଯାଉଛି। ଗତକାଲି ପୁଲିସ ତାକୁ ବାଙ୍କୀ ମୁକୁନ୍ଦପୁର ଗାଁରୁ ଉଠାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନାନୁସାରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନ୍ଥ୍ରୋପଲୋଜି ବିଭାଗରେ ପଢ଼ୁଥିବା ନବରଙ୍ଗପୁର ରାଇଘର ଅଞ୍ଚଳର ବସନ୍ତ କୁ‌ମାର ଦାସ ୨୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ବସନ୍ତଙ୍କ ଅଭିଯୋଗ ଅନୁସାରେ ୨୦୨୧ ମସିହାରେ ସେ ଚାକିରି ଖୋଜାଖୋଜି କରୁଥିବା ବେଳେ ମାଧବ ସଂସ୍ପର୍ଶରେ ଆସିଥିଲେ। ସେତେବେଳେ ଏଏସ୍‌ଓ ଚାକିରି ପାଇଁ ବିଜ୍ଞାପନ ବାହାରିଥିଲା। ୧୨ ଲକ୍ଷ ଟଙ୍କା ଦେଲେ ମାଧବ ତାଙ୍କୁ ଚାକିରି କରାଇଦେବ ବୋଲି ବସନ୍ତଙ୍କୁ କହିଥିଲା। ଏଥିପାଇଁ ଅଗ୍ରିମ ଆକାରରେ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ଓ ସିଲେକ୍ସନ ତାଲିକା ପ୍ରକାଶ ପାଇବା ପରେ ବାକି ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲା। ତେଣୁ ୨୦୨୨ ମେ ୧୦ ତାରିଖ ଦିନ ବସନ୍ତ ୧ ଲକ୍ଷ ଟଙ୍କା ମାଧବ ବ୍ୟାଙ୍କ୍‌ ଆକାଉଣ୍ଟକୁ ଛାଡ଼ିଥିଲା। ଆଉ ୧ ଲକ୍ଷ ଟଙ୍କା ଦେବା ପାଇଁ ଧୂର୍ତ୍ତ ମାଧବ ବାରମ୍ବାର ବସନ୍ତଙ୍କ ଉପରେ ଚାପ ପକାଇଥିଲା।

ଶୀଘ୍ର ୧ ଲକ୍ଷ ଟଙ୍କା ନ ଦେଲେ ଚାକିରି ତ ହେବନି, ପୂର୍ବରୁ ଦେଇଥିବା ଏକ ଲକ୍ଷ ଟଙ୍କା ମଧ୍ୟ ଉଡ଼ାଯିବ ବୋଲି ମାଧବ ଧମକ ଦେଇଥିଲା। ତେଣୁ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ବସନ୍ତ ପୁଣି ଲକ୍ଷେ ଟଙ୍କା ମାଧବ ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ପରୀକ୍ଷା ସରିଥିଲା ଏବଂ ପରୀକ୍ଷାଫଳ ପ୍ରକାଶ ପାଇଲା। ମାତ୍ର ଏହି ତାଲିକାରେ ବସନ୍ତଙ୍କ ନାଁ ନଥିଲା। ତେଣୁ ସେ ମାଧବ ସହ ଯୋଗାଯୋଗ କଲେ ଏବଂ ଟଙ୍କା ଫେରସ୍ତ ମାଗିଲେ। କିନ୍ତୁ ମାଧବ ତାଙ୍କୁ ପାଲଟା ଧମକ ଦେଇଥିଲା। ଏଣୁ ବସନ୍ତ ସହିଦନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା‌ରେ ମାମଲା ହେବା ଖବର ପାଇ ମାଧବ ବାଣୀବିହାର ଛାଡ଼ି ଫେରାର୍ ହୋଇଯାଇଥିଲା। ପୁଲିସ ତା’ କାର୍ଯ୍ୟାଳୟରୁ ଓ ଗାଁରୁ ବାରମ୍ବାର ଫେରିବା ପରେ ତାକୁ ଧରିବାକୁ ଜାଲ ବିଛାଇଥିଲା। ଗତକାଲି ରାତିରେ ଧୂର୍ତ୍ତ ଗାଁକୁ ନ ଯାଇ ନିକଟସ୍ଥ ମୁକୁନ୍ଦପୁରରେ ରହି ଘର ସହ ଯୋଗାଯୋଗ କରୁଥିବା ବେଳେ ପୁଲିସ ପଞ୍ଝାରେ ପଡ଼ିଥିଲା।

ଆଜି ପୁଲିସ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଛି ଯେ ବର୍ତ୍ତମାନ ସୁଦ୍ଧା ମାଧବ ଦ୍ବାରା ଠକାମିର ଶିକାର ହୋଇଥିବା ୪ ଜଣ ଅଭିଯୋଗ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ରଶ୍ମିରଞ୍ଜନ ପରିଡ଼ାଙ୍କଠାରୁ ମାଧବ ୪ ଲକ୍ଷ ଟଙ୍କା ଠକିନେଇଥିବା ବେଳେ ଦୁଷ୍ମନ୍ତ କୁମାର ପାଣିଗ୍ରାହୀଙ୍କଠାରୁ ୪ ଲକ୍ଷ, ସ୍ମୃତିରଞ୍ଜନ ସ୍ବାଇଁଙ୍କଠାରୁ ୭୦ ହଜାର ଓ ଭଦ୍ରକର ଗୀତଗୋବିନ୍ଦ ବେହେରାଙ୍କଠାରୁ ୧ ଲକ୍ଷ ‌୨୦ ହଜାର ଟଙ୍କା ଠକି ନେଇଛି। ସେହିଭଳି ଆହୁରି କିଛି ଯୁବକ ପୁଲିସ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ପରେ ଆସି ଅଭିଯୋଗ କରିବେ। ତେଣୁ ମାଧବ ପ୍ରାୟ ୪୦ ଜଣଙ୍କଠାରୁ ୫୦ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି।

ଠକାମିର ଅଭିନବ ତରିକା
ମାଧବ ବେଶ୍‌ ଅଭିନବ ଢଙ୍ଗରେ ଠକୁଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ବହୁ ଛାତ୍ରଙ୍କୁ ଜାଣିଥିବାରୁ ସେ ସେମାନଙ୍କୁ ଟାର୍ଗେଟ୍‌ କରୁଥିଲା। ଏମିତିକି ସେମାନଙ୍କ ଯୋଗ‌ାଯୋଗରେ ଅନ୍ୟ ‌ଚାକିରି ଆଶାୟୀମାନଙ୍କୁ ଫାଶରେ ଫସାଉଥିଲା। ତା’ ଠକାମି ତରିକା ଥିଲା ବେଶ୍ ରୋଚକ। ଅଗ୍ରିମ ଆକାରେ ୨/୩ ଲକ୍ଷ ଟଙ୍କା ନେଉଥିଲା। ଯିଏ ପରୀକ୍ଷାରେ ଆପେଆପେ କୃତକାର୍ଯ୍ୟ ହେଉଥିଲା, ତାକୁ ସେ କରିଛି ବୋଲି କହି ଭୁଆଁ ବୁଲାଉଥିଲା। ବାକି ଯିଏ ପରୀକ୍ଷାରେ ବିଫଳ ହେଉଥିଲେ, ସେମାନଙ୍କ ଟଙ୍କା ଫେରାଇବାକୁ ଆଜିକାଲି କହି ଦିନ ଗଡ଼ାଉଥିଲା। କିଛି ପିଲାଙ୍କୁ ହଜାର ହଜାର କରି କିଛି ଟଙ୍କା ଫେରାଉଥିଲା ତ କାହାକୁ ଧମକ ଦେଇ ଫେରାଇଦେଉଥିଲା। କିଛି ପିଲା ଧାଇଁ ଧାଇଁ ଲକ୍ଷେ ଟଙ୍କା ପାଖାପାଖି ପାଇବା ପରେ କାନମୁଣ୍ଡା ଆଉଁସି ନିରବ ରହୁଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button