ନିରାଶ ଚାଷୀ ଫୋପାଡ଼ିଲେ ଟମାଟୋ: ଟମାଟୋ ୨୦୦ରୁ ଖସି ୪ ଟଙ୍କା – Utkal Mail
ଅଗଷ୍ଟରେ ନିରାମିଷ ଥାଳି ୨୪% ମହଙ୍ଗା ଥିଲା
କୁର୍ନୁଲ: ଦୁଇ ମାସ ତଳେ ଟମାଟୋ ଦାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିଦ ହଜାଇ ଦେଇଥିଲା। କେଜି ପିଛା ୨୦୦ ଟଙ୍କାରେ ଟମାଟୋ ବିକ୍ରି ହେଉଥିଲା। ସେହି ସମୟରେ ବହୁ ଚାଷୀ ଟମାଟୋ ବିକି କୋଟିପତି ହୋଇଯାଇଥିଲେ। ଦୁଇ ମାସ ପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କେଜି ୨୦୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୪ ଟଙ୍କାକୁ ଖସିଆସିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଉଚିତ ମୂଲ୍ୟ ମିଳୁନଥିବାରୁ ଚାଷୀମାନେ ଖୋଲା ଜମିରେ ଟମାଟୋ ଫୋପାଡ଼ିଛନ୍ତି। ଟମାଟୋ ବିକ୍ରିରୁ ଯାହା ମିଳୁଛି ତାହା ପରିବହନ ଓ ଶ୍ରମିକ ଖର୍ଚ୍ଚ ବହନ କରିବାକୁ ମଧ୍ୟ ଯଥେଷ୍ଟ ନୁହେଁ। ଚାଷ କରିବାର ଖର୍ଚ୍ଚ ଅଳଗା ରହିଛି। ଜୁଲାଇ ଓ ଅଗଷ୍ଟରେ ଦେଶର କିଛି ସ୍ଥାନରେ ଟମାଟୋ କେଜି ୨୫୦ ଟଙ୍କାରେ ବିକ୍ରି ହୋଇଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ଟମାଟୋ ଉପଲବ୍ଧ ଥିଲା। ତେଣୁ ସେହି ଦୁଇ ରାଜ୍ୟର କିଛି ଚାଷୀ ଟମାଟୋ ବିକି କୋଟିଏରୁ ଅଧିକ ଟଙ୍କା ରୋଜଗାର କରିଥିଲେ। ସେମାନେ ସେହି ଟଙ୍କାରେ ଘର ଓ ଗାଡ଼ି ଆଦି କିଣିପାରିଥିଲେ। ମାତ୍ର ନୂଆ ଫସଲ ଆସିବା ପରେ ବଜାରରେ ଟମାଟୋ ଦାମ୍ରେ ହଠାତ୍ ହ୍ରାସ ଘଟିଥିଲା। ଯେଉଁମାନେ କଷ୍ଟ କରି ଚାଷ କରିଥିଲେ ସେମାନେ ନିଜ ଖର୍ଚ୍ଚ ଉଠାଇପାରୁନାହାନ୍ତି।
ଅଗଷ୍ଟରେ ନିରାମିଷ ଥାଳି ୨୪% ମହଙ୍ଗା ଥିଲା
ନୂଆଦିଲ୍ଲୀ: ଟମାଟୋ ମୂଲ୍ୟ ହ୍ରାସ ପାଇଥିବାରୁ ଚଳିତ ମାସରେ ନିରାମିଷ ଥାଳି ଶସ୍ତାରେ ଉପଲବ୍ଧ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ଆକଳନ କରିଛି। ଏବେ ଟମାଟୋର କେଜି ପିଛା ଦାମ୍ ୩୦-୪୦ ଟଙ୍କା ପାଖାପାଖି ରହିଛି। ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦାମ୍ରେ ୨୦୦ ଟଙ୍କାର ହ୍ରାସ ହେବ, ପନିପରିବା ଦାମ୍ କମିବା ଆଦି କାରଣରୁ ନିରାମିଷ ଥାଳି ଦାମ୍ କମିବ ବୋଲି ଆକଳନ କରାଯାଇଛି। ଗତ ଅଗଷ୍ଟରେ ଟମାଟୋ ପ୍ରଭାବରେ ଗତ ମାସରେ ନିରାମିଷ ଥାଳି ୨୪ ପ୍ରତିଶତ ମହଙ୍ଗା ହୋଇଥିଲା। ଆମିଷ ଥାଳିରେ ୧୩ ପ୍ରତିଶତ ବୃଦ୍ଧି ଘଟିଥିଲା। ନିରାମିଷ ଥାଳିରେ ହୋଇଥିବା ବୃଦ୍ଧିର ୨୧ ପ୍ରତିଶତ କେବଳ ଟମାଟୋ ପାଇଁ ହୋଇଥିଲା। ସେହି ସମୟରେ ଦେଶର ଅଧିକାଂଶ ସ୍ଥାନରେ ଟମାଟୋମ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଥିଲା।ଆମିଷ ଥାଳିରେ ବ୍ରଏଲର କୁକୁଡ଼ା ମାସର ଭାଗ ୫୦ ପ୍ରତିଶତରୁ ଅଧିକ ରହୁଛି। ସେହି ମାଂସ ଦାମ୍ରେ ବିଶେଷ ବୃଦ୍ଧି ହୋଇନଥିବାରୁ ଆମିଷ ଥାଳି ମୂଲ୍ୟରେ ବୃଦ୍ଧି କମ୍ ରହିଥିଲା। ତେବେ ଅଗଷ୍ଟ ଖାଇବା ତେଲ ଦାମ୍ରେ ୧୭ ପ୍ରତିଶତ ଓ ଆଳୁ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ହୋଇଥିବାରୁ ଦରବୃଦ୍ଧି କିଛିଟା ନିୟନ୍ତ୍ରଣରେ ରହିଥିଲା।