ବ୍ୟବସାୟ

୨୭୧ ଯାତ୍ରୀ ଥିବା ବିମାନର ‘ବାଥ୍‌ରୁମ୍‌’ରେ ମରିଗଲେ ପାଇଲଟ୍‌; ଜରୁରୀ ଅବତରଣ କରାଇଲେ ସହକାରୀ ପାଇଲଟ୍‌ – Utkal Mail


ନୂଆଦିଲ୍ଲୀ:  ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିବା ଏକ ଯାତ୍ରୀବାହୀ ବିମାନର ପାଇଲଟ୍‌ ‘ବାଥ୍‌ରୁମ୍‌’ରେ ପଡ଼ିଯାଇ ମୃତ୍ୟୁବରଣ କରିବାରୁ ବିମାନର ସହକାରୀ ପାଇଲଟ୍‌ ରବିବାର ରାତିରେ ପାନାମାରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

ସାଣ୍ଟିଆଗୋ ଅଭିମୁଖେ ଉଡ଼ିଯାଉଥିବା ‌ଉକ୍ତ ‘ଲାଟାମ୍‌ ଏୟାର୍‌ଲାଇନ୍‌’ ବିମାନର କ୍ୟାପ୍‌ଟେନ୍‌ ଥିଲେ ୫୬ ବର୍ଷିୟ ଇଭାନ୍‌ ଆନ୍ଦୌର୍‌। ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା ବୋଲି ‘ଦି ସନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

pilot Iván Andaur: Image Courtesy of NYPost

ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହରସ୍ଥିତ ‘ଟୋକ୍ୟୁମେନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ତାଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତର ଓ ଇଜାଡୋରା ନାମରେ ଜଣେ ନର୍ସ ଧାଇଁ ଯାଇଥିଲେ। ସେମାନେ କହିଛନ୍ତି, ଦୁଃଖର ବିଷୟ ତାଙ୍କର ହୃତ୍‌ପିଣ୍ଡକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଯଥେଷ୍ଟ ଡାକ୍ତରୀ ସରଞ୍ଜାମ ଆମ ପାଖରେ ନ ଥିଲା।

ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନଟି ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୪୦ ମିନିଟ୍‌ ପରେ ଜଣେ ସହକାରୀ ପାଇଲଟ୍‌ ଯାତ୍ରୀମାନଙ୍କ ମଧ୍ୟରେ କେହି ଡାକ୍ତର ଅଛନ୍ତି କି ବୋଲି ପଚାରିଥିଲେ। ଆନ୍ଦୌର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ବିମାନର ଜରୁରୀ ଅବତରଣ କରାଇ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସହକାରୀ ପାଇଲଟ୍‌ମାନେ ନିଷ୍ପତ୍ତି ନେଇଥିଲେ।

ପାନାମା ସହର ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଘୋଷଣା କରାଯାଇଥିଲା।

ବିମାନରେ ଥିବା ଯାତ୍ରୀମାନଙ୍କୁ ପାନାମା ସହରରେ ଥିବା ହୋଟେଲ୍‌ମାନଙ୍କରେ ରଖାଯାଇଥିଲା। ପରେ ମଙ୍ଗଳବାର ଦିନ ‘ଲାଟାମ୍‌’ ଏୟାର୍‌ଲାଇନ୍‌ର ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button