କ୍ରାଇମ

୫୦୦୦ କଫ୍‌ ସିରପ୍‌ ଜବତ: ୩୨ ବେପାରୀ ଗିରଫ – Utkal Mail


ସମ୍ବଲପୁର: ପାର୍ବଣରେ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି। ୫୦୦୦ରୁ ଅଧିକ କଫ୍‌ ସିରପ୍‌ ଏକକାଳୀନ ଜବତ କରିବା ସହ ୩୨ ଜଣଙ୍କୁ ପୁଲିସ ସୋମବାର ଗିରଫ କରିଛି। ପଶ୍ଚିମବଙ୍ଗରୁ ଏହି କଫ୍‌ ସିରପ୍‌ ସମ୍ବଲପୁରର ଝାଙ୍କରପଡ଼ାରେ ପହଞ୍ଚିଥିଲା। ସେଠାରୁ ସମ୍ବଲପୁର ସହରର ନିଶା ବେପାରୀଙ୍କ ପାଖକୁ ଯିବାର ଥିଲା। କିନ୍ତୁ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଧନୁପାଲି, ଅଇଁଠାପାଲି ଓ ସଦର ଥାନା ପୁଲିସ ଝାଙ୍କରପଡ଼ାରେ ପହଞ୍ଚିଥିଲେ। ସେଠାରେ ଥିବା ୬ ଜଣଙ୍କୁ ପ୍ରଥମେ ପୁଲିସ ଧରିବା ସହ ୧୮ଟି ପଲିଥିନ୍‌ ବସ୍ତାରେ ରଖାଯାଇଥିବା ୫୪୦୦ କଫ୍‌ ସିରପ୍‌କୁ ପୁଲିସ ଜବତ କରିଥିଲା।

ଦଶହରାରେ ସମ୍ବଲପୁର ସହରରେ ଏହି କଫ୍‌ ସିରପ୍‌ କାରବାର ହୋଇଥାନ୍ତା। ନିଶା ବେପାରୀଙ୍କ ତାଲିକା ମଧ୍ୟ ହୋଇ ସାରିଥିଲା। ତେବେ କଫ୍‌ ସିରପ୍‌ ଜବତ କରିବା ବେଳେ ଆଗୁଆ ଟଙ୍କା ଦେଇଥିବା ନିଶା ବେପାରୀଙ୍କ ତାଲିକା ଥିବା ଡାଏରି ପୁଲିସ ହାତରେ ଲାଗିଥିଲା। ତାପରେ ଆକ୍ସନ୍‌ ମୁଡ୍‌କୁ ଆସିଥିଲା ସମ୍ବଲପୁର ପୁଲିସ। ସ୍ବତନ୍ତ୍ର ଟିମ୍‌ ଗଠନ ହେଲା। ଧନୁପାଲି, ସଦର, ଟାଉନ୍‌, ଅଇଁଠାପାଲି, ବରେଇପାଲି ଓ କ୍ଷେତରାଜପୁର ଥାନା ଅଞ୍ଚଳରେ ଚଢ଼ଉ କରିଥିବା ସ୍ବତନ୍ତ୍ର ଟିମ୍‌। କଫ୍‌ ସିରପ୍‌ କିଣିବାକୁ ଟଙ୍କା ଦେଇଥିବା ଆଉ ୨୬ ଜଣଙ୍କୁ ପୁଲିସ ଟିମ୍‌ ରବିବାର ଗିରଫ କରିଥିଲା। ୬ ଜଣ ସପ୍ଲାୟର୍ସଙ୍କୁ ମିଶାଇ ସମ୍ବଲପୁର ପୁଲିସ ମୋଟ ୩୨ ଜଣଙ୍କୁ ରବିବାର ଗରିଫ କରିଛି। ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ ସାହୁ ରବିବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମାୟାବଗିଚାର ନୌସାଦ ଅଲ୍ଲୀ ଓରଫ ପପି(୩୩), ଅବଦୁଲ ସାହିଦ(୩୭), ମୋତିଝରଣର ମହମ୍ମଦ ରାଜାବାବୁ(୩୬), ଫିରୋଜ ଖାନ(୩୨), ମହମ୍ମଦ ସଦାମ(୨୪), କେ. ରିୟାଜୁଦ୍ଦିନ୍‌(୨୦), ଏସକେ କବୀର ଓରଫ୍‌ ସାମି(୩୮), ଗୋବିନ୍ଦତୋଲାର ସୁମିତ ନନ୍ଦ(୨୭), ଚାରବାଟିର ଶ୍ୟାମ ଓରାମ(୨୬), ସୁନାପାଲିର ମହମ୍ମଦ କଲାମ(୪୫), ଏସ୍‌କେ ବାବର(୨୫), ମହମ୍ମଦ ରାଜୁ(୨୮), ଧନୁପାଲିର ଆଶିଷ ପାଣିଗ୍ରାହୀ(୩୪), ବଡ଼ବଜାରର ଅରୁଣ ମହାପାତ୍ର(୪୨), ବିକି ବନଛୋର(୨୩), ରାହୁଲ ବନଛୋର(୨୧), ତାଲଭଟାପଡ଼ାର ସତ୍ୟମ ନାଗ(୩୨), କାନିଯୁରୀର ବିଜୟ ମେହେର(୨୬), ମନ୍ଦଲିଆର ଅଜୟ ବାଗ(୨୮), ଲକ୍ଷ୍ମୀଡୁଙ୍ଗୁରିପଡ଼ାର ଗୁଣସାଗର ସାହୁ(୩୪), ଦଲଦଲିପଡ଼ାର ପିଣ୍ଟୁ କୁଅଁର(୨୬), ଖେଜୁରିଆପଡ଼ାର ତ୍ରିନାଥ ବେହେରା(୩୨), କରମଟୋଲିର କୁନୁ ଖଡ଼ିଆ(୩୬), ଭାମରା ଖଡ଼ିଆ(୨୬), ବୁଢ଼ାରଜାର ରିଙ୍କୁ ଆଡ଼ଜୁଆଡ଼ ଓରଫ୍‌ ଟିକ୍‌ଲୁ(୨୩), ସାହୁ କଲୋନିର ପ୍ରକାଶ ଛତର(୨୬), ଶାନ୍ତନୁ ଦାସ(୨୮), ଦଳେଇପଡ଼ା ଟିଣବାଡ଼ିର ଏକଲାଖ ଖାନ(୨୫), ଜକି କୁମ୍ଭାର(୨୮), ମୁଦିପଡ଼ାର ଦେବାଶିଷ ମହାପାତ୍ର(୩୨)। ସେମାନଙ୍କ ପାଖରୁ ପୁଲିସ କଫ୍‌ ସିରପ୍‌ ସହ ୨ଟି ବାଇକ୍‌ (ଓଡି ୧୫ଟି ୮୭୫୮, ଓଡି ୧୫ଡବ୍ଲୁ ୮୨୪୬) ଓ ନଗଦ ୧୨ ହଜାର ଟଙ୍କା ଜବତ କରିଛି। ପୁଲିସ ଜବତ କରିଥିବା ଡାଏରିରେ ଆହୁରି ଅନେକ ବେପାରୀଙ୍କ ନାଁ ରହିଛି। ପୁଲିସର ଧରପଗଡ଼ ପରେ ଅନ୍ୟ ବେପାରୀମାନେ ସମ୍ବଲପୁର ଛାଡ଼ି ଫେରାର ହୋଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ତାଲିକାରେ କିଛି ମହିଳା ମଧ୍ୟ ଥିବା କହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button