ଓଡିଶା

ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଯୋଗାଣ କାମ ସଂପୂର୍ଣ୍ଣ ହେବ। ଏହାସହ ପୁରୀରେ ୧୨ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। କିନ୍ତୁ ପୁରୀରେ କାମ ସଂପୂର୍ଣ୍ଣ ହେବାକୁ ବେଶ କିଛି ଦିନ ଲାଗିଯିବ। ବର୍ତ୍ତମାନ ବିଦ୍ୟୁତ ସେବା ଯୋଗାଇବାକୁ ଦିନରାତିରେ କାମରେ ଲାଗିଛନ୍ତି ପ୍ରାୟ ୮ହଜାର ଶ୍ରମିକ। ଏହାସହ ବାହାରୁ ଆଉ ୩ଶହ ଗ୍ୟାଙ୍ଗ ଆସୁଛନ୍ତି। ପ୍ରବଳ ତାତି । ତା ସାଙ୍ଗକୁ ଗୁଳୁଗୁଳି। ଘରକୁ ବିଦ୍ୟୁତ ଯୋଗାଣ ନାହିଁ। ଡହଳ ବିକଳ ହେଲେଣି ଲୋକେ। ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ବିଦ୍ୟୁତ୍‌ ଯୋଗାଣ। ଟାଣ ଖରା ଭିତରେ କାମରେ ଲାଗିଛନ୍ତି ଶ୍ରମିକ। ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପ୍ରାଥମିକ ଭାବେ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି। ପ୍ରାୟ ୮, ୦୦୦ ଶ୍ରମିକ ନିୟୋଜିତ ଅଛନ୍ତି। ଓଡ଼ିଶାର ୫ ହଜାର କୁଶଳୀ ଶ୍ରମିକ କାମରେ ଲାଗିଛନ୍ତି। ଏହାସହ ଦିଲ୍ଲୀ, ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ମଧ୍ୟ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି। Cyclone Puri ଭୁବନେଶ୍ୱରରେ ହସ୍ପିଟାଲ, ବିମାନ ବନ୍ଦର, ରେଲେଓ୍ଵ ଷ୍ଟେସନକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜଧାନୀର କିଛି ସବ୍‌ଷ୍ଟେସନ୍‌ ଚାର୍ଜ କରାଯାଇଛି। ରାଜଧାନୀରେ ସେସୁର ତିନିଟି ଡିଭିଜନ ରହିଛି। ସେଥିରେ ଥିବା ୧୪୯ ଫିଡରରୁ ୬୬ଟି ଫିଡରରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୮୦ ପ୍ରତିଶତ ପାୱାର ରିଷ୍ଟୋରେସନ ହେବ। ୧୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ। ପୁରୀରୁ କିନ୍ତୁ ୧୨ ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। ପୁରୀରେ କ୍ଷତି ପରିମାଣ ବହୁ ଅଧିକ ଥିବାରୁ ସେଠାରେ କାମ ସଂପୂର୍ଣ୍ଣ ହେବାକୁ ସମୟ ଲାଗିବ ବୋଲି କୁହାଯାଇଛି। ଫନି ପରବର୍ତ୍ତୀ ବିଦ୍ୟୁତ ଭିତ୍ତିଭୂମିର ପୁନଃ ଉଦ୍ଧାର କାମ ପାଇଁ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଗୁଡିକୁ କଡ଼ା ନିର୍ଦ୍ଦେଶ। ଆସନ୍ତା ୧୦ ସକାଳ ୧୦ ସୁଦ୍ଧା ପ୍ରମୁଖ ବିଦ୍ୟୁତ ନିରୀକ୍ଷକଙ୍କଠାରେ ରିପୋର୍ଟ କରିବେ କଣ୍ଟ୍ରାକ୍ଟରମାନଙ୍କ ଅଧିନରେ କାମ କରୁଥିବା ସମସ୍ତ ଶ୍ରମିକ ଗ୍ୟାଙ୍ଗ ଓ ସୁପରଭାଇଜର। ଏହି ନିର୍ଦ୍ଦେଶକୁ ଅବମାନନା କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଏହାସହ ଘରକୁ ବିଦ୍ୟୁତ ସଂଯୋଗ ଆସିବା ସମୟରେ ଗ୍ରାହକଙ୍କୁ ସାବଧାନ ରହିବାକୁ କୁହାଯାଇଛି। ନିଜ ସର୍ଭିସ ଲାଇନ ସଜାଡି ରଖିବାକୁ କୁହାଯାଇଛି। ସର୍ଭିସ ଲାଇନ ଯାଞ୍ଚ ପାଇଁ ଆଇଟିଆଇ ଓ ପଲିଟେକନିକ୍‌ ଛାତ୍ରଙ୍କୁ ଉପଯୋଗ କରିବାକୁ ନିଷ୍ପତ୍ତି ହୋଇଛି।

ଶ୍ରୀଜଗନ୍ନାଥଙ୍କ ଧାମ। ଓଡ଼ିଶା କି ଭାରତ ନୁହେଁ , ବିଶ୍ୱର ଯେକୌଣସି କୋଣରେ ବି ମହାପ୍ରଭୁଙ୍କ ନାଁ ଶୁଣିଲେ ସ୍ୱତଃ ମୁହଁରୁ ବାହାରିପଡ଼େ ଜୟ ଜଗନ୍ନାଥ। କାରଣ କାଳିଆ ଠାକୁର ହେଉଛନ୍ତି ଆମ ଘରର ଜଣେ ସଦସ୍ୟଙ୍କ ଭଳି। ପୁରୀ ବଡ଼ଦାଣ୍ଡରେ ଠିଆ ହୋଇ ପତିତପାବନ ବାନାକୁ ଟିକିଏ ଚାହିଁ ଦେଲେ ଦୁଇ ହାତ ଆପେ ଆପେ ଉଠିଯାଏ । ନୀଳଚକ୍ର ଓ ନେତର ଅବିଚ୍ଛେଦ୍ୟ ସମ୍ପର୍କ । ଯେଉଁ ସମ୍ପର୍କ ଯୁଗ ଯୁଗର । ହେଲେ ଫନିର କରାଳ ପବନ ସେହି ନୀଳଚକ୍ରକୁ ଶୂନ୍ୟତାରେ ଭରି ଦେଇଥିଲା। ଏମିତି ପରିସ୍ଥିତି ଉପୁଜି ଥିଲା ଯେ ନୀଳଚକ୍ର ସିନା ରହିଲା ହେଲେ ସମ୍ପର୍କ ଯେମିତି ତୁଟି ଯାଇଥିଲା ପତିତପାବନ ସହ । ପୁଣି ସିହଂଦ୍ୱାର ନିକଟରେ ଜୟ ବିଜୟ ମୂର୍ତ୍ତି ଭାଙ୍ଗି ତଳେ ପଡ଼ିଥିଲେ ।

nilachakra bana

୨୦୧୯ରେ ମେ ଦୁଇ ତାରିଖ ଯାଏ ଯେଉଁ ସହର ଚିକମିକ୍‌ ଆଲୁଅରେ ଝଲସି ଉଠୁଥିଲେ ସେହି ସହର ଚାହୁଁ ଚାହୁଁ ଧ୍ୱଂସସ୍ତୂପରେ ପରିଣତ ହୋଇଗଲା । ଏବେ ପୁରୀର ବିଭିନ୍ନ ସ୍ଥାନକୁ ଦେଖିଲେ ଚିହ୍ନି ବି ହେଉନି, ଏ ଜାଗାର ନାଁ କଣ? ଏଭଳି ପ୍ରଶ୍ନ ମନକୁ ଆସୁଛି । ଗତ ୩ ତାରିଖରେ ପ୍ରଳୟ ରଚି ଚାଲିଗଲା ଫନି। ୫ ତାରିଖ ଯାଏଁ ସହର ଲୋକେ ନା ବାହାରକୁ ବାହାରି ଥିଲେ ନା ପୁରୀ ଓ ଆଖପାଖ ଅଞ୍ଚଳର ଲୋକେ ପୁରୀ ସହରକୁ ଯିବାକୁ କୌଣସି ଯୋଗାଯୋଗ ସମ୍ଭବ ନଥିଲା। ସହରର ମୁଖା ଏମିତି ବଦଳିଲା ଯେ ରାସ୍ତା ଘାଟ ସବୁ ଜାମ୍‌। ସହର ମଧ୍ୟରେ ଥିବା ହଜାର ହଜାର ଗଛ, ବିଦ୍ୟୁତ ଖୁଣ୍ଟ, ଟେଲିଫୋନ ଖୁଣ୍ଟ ରାସ୍ତାରେ ପଡ଼ିଲା। ମୁହୂର୍ତ୍ତକ ମଧ୍ୟରେ ବାତ୍ୟା ରଚିଗଲା ତାଣ୍ଡବ ଲୀଳା।

FANI

ଗଣମାଧ୍ୟମ ପାଁଇ ମଧ୍ୟ ଚିତ୍ର ଉତ୍ତୋଳନ କରିବା କଷ୍ଟକର ହୋଇପଡ଼ିଲା।..ଏପରିକି ଆମ ପୁରୀ ରିପୋର୍ଟରଙ୍କ କହିବା ଅନୁସାରେ ଫନିର ମୁହୂର୍ତ୍ତରୁ ୫ ତାରିଖ ପର୍ଯ୍ୟନ୍ତ କିଏ କେଉଁଠି ଅଛନ୍ତି କେମିତି ଅଛନ୍ତି କାହା ପାଖରେ ଖବର ନଥିଲା। ସହାସିକତା ଦେଖାଇ ପବନର ବେଗକୁ ଖାତିର ନକରି ଅହରହ କରି ଚାଲିଥିଲେ ଖବର ସଂଗ୍ରହ । ପର ମୁହୂର୍ତ୍ତରେ ବାତ୍ୟା ସେମାନଙ୍କୁ ପରସ୍ପରଠାରୁ ଅଲଗା କରି ଦେଇଥିଲା। ତିନି ଦିନ ପରେ ମୁଁ ଓ ମୋ କ୍ୟାମେରା ସାଥୀ ମାନସ ରଥ ସକାଳୁ ସକାଳୁ ବାହାରିଲୁ ପୁରୀ ଅଭିମୁଖେ। ଉଦ୍ଦେଶ୍ୟ ଥିଲା ବାହ୍ୟ ଜଗତରୁ ବିଚ୍ଛିିନ୍ନ ପୁରୀ ସହରର ବାସ୍ତବ ସ୍ଥିତିକୁ ଲୋକଙ୍କ ସାମ୍ନାରେ ପହଞ୍ଚାଇବୁ। ପୁରୀରେ ଥିବା ଆମ ପ୍ରତିନିଧିଙ୍କ ଭଲ ମନ୍ଦ ପଚାରି ବୁଝିବୁ। ଯାତ୍ରା ଆରମ୍ଭ ହେଲା, ଯେହେତୁ ଭୁବନେଶ୍ୱର ମଧ୍ୟ ପ୍ରଭାବିତ ହୋଇଥିଲା ତାର ରୂପ ଆମେ ଦେଖି ସାରିଥିଲୁ।..କିନ୍ତୁ ତାଠାରୁ କେତେ କାହିଁ ଭୟଙ୍କର ଥିଲା ପୁରୀର ଚିତ୍ର ତାହା ପୁରୀ ଜିଲ୍ଲାର ସୀମା ହିଁ କହିବା ଆରମ୍ଭ କରିଥିଲା।

ପିପିଲି, ଦାଣ୍ଡମୁକୁନ୍ଦପୁର ଠାରୁ ହିଁ ରାସ୍ତା କଡ଼ରେ ବର୍ଣ୍ଣିତ ହେଉଥିଲା ବିଧ୍ୱଂସକାରୀ ରୂପ। ଗାଡ଼ି ଯେତିକି ଯେତିକି ପୁରୀ ଆଡ଼କୁ ବଢ଼ୁଥିଲା ସେତିକି କ୍ୟାମେରାରେ କଏଦ ହେଉଥିଲା ବିବ୍ରତ କଲା ଭଳି ଚିତ୍ର। ଅଠରନଳା, କି ବାଟମଙ୍ଗଳା, ଅବା ବଡ଼ଦାଣ୍ଡ, ଯେଉଁଠି ଶ୍ରଦ୍ଧାଳୁ କାଳିଆର ରୂପ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଧାଁଇ ଆସୁଥିଲେ ଭକ୍ତ, ଏବେ ସେ ଦୃଶ୍ୟ ପୂରା ଓଲଟା। ମନ ଭାରି ହେଉଥିଲା ଏବେକାର ଦୃଶ୍ୟକୁ ଦେଖି। ଆମେ ବିଭିନ୍ନ ବସ୍ତିକୁ ଯାଇଥିଲୁ ସେଠାରେ ରହୁଥିବା ଲୋକଙ୍କ ଅବସ୍ଥା ଦେଖିଲୁ। ଛାତି ଥରାଇଲା ଭଳି ପ୍ରତିକ୍ରିୟା ମିଲିଲା। ପିଲାଠୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଯେ ଆମକୁ ମୁଠାଏ ଖାଇବାକୁ ଦିଅ।

puri_temple_fani

ଜାଣିବାକୁ ପାଇଲୁ ଜଗନ୍ନାଥ କଲୋନୀ ବସ୍ତିରେ ତିନି ଦିନ ପରେ ବି ପ୍ରଶାସନଠାରୁ ମୁଠାଏ ଚୁଡ଼ା ବି ମିଲିନି ।.ଭିଆଇପି ରୋଡ଼ରେ ପହଞ୍ଚିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଉଠିଲେ। ଗଛ ପକାଇ ରାସ୍ତା ଅବୋରଧ କଲେ । ଦାବି ରଖିଲେ ଯେ ପ୍ରଶାସନ ଅଧିକାରୀ ଆସି ଆଲୋଚନା କରନ୍ତୁ । ଆର୍ଥିକ ସ୍ୱଚ୍ଛଳ ପରିବାର ପାଇଁ ଖାଦ୍ୟ ପଦାର୍ଥ ସଞ୍ଚୟ କରି ରଖିବା ସମ୍ଭବ । ହେଲେ ଗରିବ ନିଜ ପାଇଁ ସାଇତି ରଖିବ ବା କେଉଁଠି । ପୁରୁଷ ଯେତିକି ମାତ୍ରାରେ ରାଗ ଝାଡ଼ୁଥିଲେ ତାଠୁ କାହିଁ କେତେ ଅଧିକ ମାତ୍ରାରେ ତାତି ଯାଇଥିଲେ ମହିଳା। କେତେକଙ୍କ ପ୍ରତକ୍ରିୟା ଆମ ଆଖିରୁ ଲୁହ ଝରାଇ ଦେଇଥିଲା।

bhubaneswar fani

ଧନୀ ହୁଅନ୍ତୁ କି ଗରିବ, ସମସ୍ତେ ଅତି ସାଧାରଣ ଭାବରେ ହାଲୁକା ଭାବେ ନେଇଥିଲେ ବାତ୍ୟା ଫନିକୁ।..ଆମେ ସ୍ଥିତି ପରଖିବା ବେଳେ କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀ ମଧ୍ୟ ତିନି ଦିନ ପରେ ପହଞ୍ଚିଥିବା ଦେଖିବାକୁ ପାଇଲୁ। …ସହରର ବିଭିନ୍ନ ସ୍ତାନରେ ଲୋକେ ଗଛ ପକାଇ ଅବରୋଧ କରିଥିବା ଦୃଶ୍ୟ ଦେଖିଲୁ। କିନ୍ତୁ ବାସ୍ତବିକ କଥା ହେଉଛି ଏଭଳି ମାତ୍ରାରେ ପୁରୀର ଅବସ୍ଥା ବିଗିଡି ଥିଲା ଯେ କେଉଁ ସ୍ଥାନକୁ ବି ଯିବା ସହଜ ହେଉନଥିଲା ପ୍ରଶାସନ ପାଇଁ। ରିଲିଫ ଗାଡ଼ି ସବୁ ସେମିତି ଠିଆ ହୋଇ ରହିଥିଲା। ସହରର କେଁଉ ଜାଗାକୁ ଦିନ ସାରା ଖୋଜି ବୁଲିଲା ପରେ ଗୋଟିଏ ବି ଗ୍ରୋସରୀ ଦୋକାନ ଖୋଲି ନଥିଲା।..କିନ୍ତୁ ମଦ ଦୋକାନ ଖୋଲା ରହିଥିଲା।..ବେଳାଭୂମି ନିକଟ ରାସ୍ତାରେ ମାଡ଼ି ଯାଇଥିଲା ସମୁଦ୍ର ବାଲି । ଯାହା ସମୁଦ୍ର ବେଳାଭୂମିର ଭ୍ରମ ସୃଷ୍ଟି କରୁଥିଲା ।

puri-4

ଯୋଗାଯୋଗ ସମ୍ଭବ ତ ହେଉନଥିଲା କିନ୍ତୁ ଅନେକ ଖୋଜି ଖୋଜି ଆମେ ଆମ ପୁରୀର ଦୁଇ ପ୍ରତିନିଧି ଓ କ୍ୟାମେରା ପର୍ସନଙ୍କ ଦେଖା ପାଇଥିଲୁ। ମନରେ ଥିବା ଆବେଗ ଶାନ୍ତ ହୋଇଥିଲା ।..କେବଳ ଗୋଟିଏ ଚା ଦୋକାନ ଖୋଲା ରହିଥିଲା ଯେଉଁଠି ଆମେ ଚା’ ପିଇଥିଲୁ। ବାକି ଦିନ ସାରା ଖାଡ଼ା ଉପବାସ..ପରେ ଆମେ ବାହାରି ଆସିଥିଲୁ ଭୁବନେଶ୍ୱର ଅଭିମୁଖେ।.ବାଟମଙ୍ଗଳା ଛକ ପରେ ପରେ ନିକଟସ୍ଥ ବାଟଗାଁ ଓ ଆଖ ପାଖର ଲୋକେ ଏକତ୍ରିତ ହୋଇ ଟାୟାର ଜାଳି ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା।..ସେହିଠାରେ ଲୋକଙ୍କ ପ୍ରତିକ୍ରିୟା ନେଲୁ, ସେହି ସମାନ ଯେ ପ୍ରଶାସନ ପହଞ୍ଚିନି। ଗଣମାଧ୍ୟମ ପ୍ରତିନିଧି ବୋଲି ଜାଣିବା ପରେ ଆମକୁ ତ ଛାଡ଼ିଥିଲେ କାରଣ ବୁଝିଥିଲେ ଯେ ଯାହା କିଛି ଖବର ସଂଗ୍ରହ କରି ଆଣିଛୁ ତାକୁ ଶୀଘ୍ର ଭୁବନେଶ୍ୱର ଅଫିସରେ ପହଞ୍ଚିବାର ଅଛି ।

4

ଦର୍ଶକଙ୍କ ପାଇଁ ଖବର ତିଆରି କରିବାର ବି ଥିଲା। ଅନୁରୋଧ ବି କରିଥିଲେ ତାଙ୍କ ଗାଁ ଭିତରକୁ ଯାଇ ଦେଖିବାକୁ। କିଛି ଲୋକ ଆମକୁ ସରକାରୀ ଅଧିକାରୀ ବୋଲି ଭାବି ଚାରି ପାଖରେ ରୁଣ୍ଡ ହୋଇ ଯାଇଥିଲେ । ଏହି ଗସ୍ତ ବେଳେ ଆମେ ଡ୍ରୋନ ମାଧ୍ୟମରେ ସାରା ଅଞ୍ଚଳର ଚିତ୍ର ସୁଟିଂ କରିଥିଲୁ । ଯେଉଁଠି ବି ଡ୍ରୋନ ମାଧ୍ୟମରେ ଆକାଶମାର୍ଗରୁ ଉଠା ଯାଇଥିବା ଚିତ୍ର ଦେଖୁଥିଲୁ ଲାଗୁଥିଲା ସମଗ୍ର ଅଞ୍ଚଳ, ଜନବସତି ସବୁ ବିସ୍ତୀର୍ଣ୍ଣ ପ୍ରନ୍ତରରେ ପରିଣତ ହୋଇଛି। ଶେଷରେ ଲୋକଙ୍କୁ ଅନ୍ତତଃ ଅନୁରୋଧ କରିଥିଲୁ ଯେ ଶାନ୍ତି ବଜାୟ ରଖିବା ପାଇଁ। ପରେ ଆମ ଗାଡ଼ି ଗଡ଼ି ଥିଲା ଭୁବନେଶ୍ୱର ଅଭିମୁଖେ । ଲାଗୁଥିଲା ସତେ ଯେମିତି ପୁରୀର ଅବସ୍ଥା ଅନେକ ବର୍ଷ ତଳକୁ ଚାଲିଯାଇଛି ।

ଶ୍ରୀକ୍ଷେତ୍ର ପୁରୀ ହେଉଛି ପ୍ରତ୍ୟେକ ଓଡ଼ିଆ ପାଇଁ ଭାବାବେଗର କ୍ଷେତ୍ର । ତେଣୁ ଆମେ ବି ଭାରୀ ମନ ନେଇ ଫେରିଥିଲୁ । ପ୍ରଭୁ ଜଗନ୍ନାଥଙ୍କୁ ଡାକିଥିଲୁ କେମିତି ଶୀଘ୍ର ସ୍ୱାଭାବିକ ହେବ ଜଗନ୍ନାଥ ଧାମ୍‌ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button