ଦେଶ ବିଦେଶ

୧୫ ଘଣ୍ଟା ପରେ ଉଦ୍ଧାର ହେଲେ କେବୁଲ୍‌ କାର୍‌ରେ ଫସିଥିବା ୭ ପିଲା ଓ ଜଣେ ବ୍ୟକ୍ତି – Utkal Mail


ଇସ୍‌ଲାମାବାଦ୍‌: ଦୀର୍ଘ ୧୫ ଘଣ୍ଟା ଅଭିଯାନ ଚଳାଇବା ପରେ ମଙ୍ଗଳବାର ରାତିରେ ପାକିସ୍ତାନୀ ଉଦ୍ଧାରକାରୀମାନେ ସୁଦୂର ମଫସଲ ଅଞ୍ଚଳରେ ପ୍ରବାହିତ ଏକ ନଦୀ ଉପରେ କେବୁଲ୍‌ କାର୍‌ ଅଚଳ ହୋଇଯିବାରୁ ସେଥିରେ ଫସି ରହିଥିବା ୭ଜଣ ପିଲା ଓ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଜାରି କରିଥିବା ବିବୃତିରେ ପାକିସ୍ତାନ ସେନା କହିଛି, ଏଭଳି ଅଭିନବ ଅଭିଯାନ ପାଇଁ ଅନେକ ଦକ୍ଷତା ଆବଶ୍ୟକ ପଡ଼ିଲା।

ସୂଚନାଯୋଗ୍ୟ, ପାକିସ୍ତାନର ଉତ୍ତର ପ୍ରାନ୍ତରେ ବଡ଼ି ସକାଳୁ ଉକ୍ତ କେବଲ୍‌ କାର୍‌ଟି ଅଚଳ ହୋଇ ବଡ଼ ବିପଜ୍ଜନକ ଅବସ୍ଥାରେ ଦିନ ସାରା ଝୁଲି ରହିଥିଲା। ଘନ ଅନ୍ଧାର ରାତିରେ ଉଦ୍ଧାର ଅଭିଯାନ ଚଳାଇ ସେଥିରେ ଫସି ରହିଥିବା ପିଲା ଓ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

Image Courtesy of Reuters

ପାକିସ୍ତାନର କାମଚଳ ପ୍ରଧାନମନ୍ତ୍ରୀ ଅନ୍‌ୱାର୍‌-ଉଲ୍‌-ହକ୍‌ କାକର ‘ଏକ୍ସ୍‌’ କରି କହିଛନ୍ତି: ସମସ୍ତ ପିଲାଙ୍କୁ ସଫଳତାର ସହିତ ନିରାପଦରେ ଉଦ୍ଧାର କରାଯାଇଛି। ସେନା, ଉଦ୍ଧାରକାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାଙ୍କର ଉଲ୍ଲେଖନୀୟ ସମ୍ମିଳିତ ଉଦ୍ୟମ।

ସୂଚନାଯୋଗ୍ୟ, ଦୁଇଜଣ ପିଲାଙ୍କୁ ଉଦ୍ଧାର କରାଯିବା ବେଳକୁ ରାତି ହୋଇଯାଇଥିବାରୁ ସେନା ହେଲିକପ୍ଟର୍‌ ଉଦ୍ଧାର ଅଭିଯାନ ବନ୍ଦ କରାଗଲା। ତା’ପରେ ‘ଫ୍ଲଡ୍‌ଲାଇଟ୍‌’ ଲଗାଯାଇ ତଳେ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଝୁଲି ରହିଥିବା କେବଲ୍‌କାର୍‌ରୁ ଗୋଟିଏ ପରେ ଗୋଟିଏ ପିଲାଙ୍କୁ ବାହାର କରିବା ପାଇଁ ‘କେବଲ୍‌ କ୍ରସିଙ୍ଗ୍‌ ଏକ୍ସ୍‌ପର୍ଟ’ମାନଙ୍କୁ ନିୟୋଜିତ କରାଯାଇଥିଲା।

ସରକାରୀ ଅଧିକାରୀମାନଙ୍କ ସୂଚନା ଅନୁସାରେ, ପାହାଡ଼ ପର୍ବତ ଘେରା ବଟଗ୍ରାମ ଅଞ୍ଚଳର ପିଲାମାନେ ସ୍କୁଲ୍‌ ଯିବା ବେଳେ ସକାଳ ପ୍ରାୟ ୭ଟା ବେଳେ କେବଲ୍‌ ଲାଇନ୍‌ ଛିଡ଼ିଯାଇଥିଲା। ନଈ ମଝିରେ ଭୂପୃଷ୍ଠରୁ ପ୍ରାୟ ୯୦୦ ଫୁଟ୍‌ ଉଚ୍ଚରେ କେବଲ୍‌ କାର୍‌ଟି ଓହଳି ରହିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button