ଓଡିଶା

ଟେମ୍ପଲ ସିଟିରୁ ସ୍ମାର୍ଟ ସିଟି, ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ  । ଆଜି ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ।   ସମୟ ସହିତ ତାଳଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ରାଜଧାନୀର ଜନସଂଖ୍ୟା ବୃଦ୍ଧି ସହ ବିକାଶ ମଧ୍ୟ ଆଗେଇ ଚାଲିଛି । ଖାସ୍‌ ସେଥିପାଇଁ ଇତିମଧ୍ୟରେ ଦେଶର ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ପାଇବା ସହ ଦ୍ବିତୀୟ ବାସୋପଯୋଗୀ ସହର ଭାବେ ଏହା ଖ୍ୟାତି ଲାଭ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି। ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୭ ବର୍ଷ ମଧ୍ୟରେ ।

ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ବରର ଇତିହାସ ୩ହଜାର ବର୍ଷ ପୁରୁଣା। ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।

ତେବେ ଆଧୁନିକ ଭୁବନେଶ୍ବରର ଜନ୍ମ ୧୩ ଏପ୍ରିଲ୍‌ ୧୯୪୮ ମସିହାରେ। ଏହି ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ଏହାର ଶିଳାନ୍ୟାସ କରିଥିଲେ। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କନିଗ୍ସବର୍ଗର ରାଜଧାନୀ ଭୁବନେଶ୍ବରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା। ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା ।  ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button