କ୍ରୀଡା

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ – Utkal Mail


ଦଳ ସହ ଯୋଗଦେଲେ ବୁମ୍‌ରା

କଲମ୍ବୋ: ଏସିଆ କପ୍‌ ସୁପର-୪ରେ ରବିବାର ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ। ଏହାକୁ ନଜରରେ ରଖି ମ୍ୟାଚ୍‌ ପାଇଁ ପରବର୍ତୀ ଦିନକୁ ସଂରକ୍ଷିତ ଦିବସ ରଖାଯାଇଛି। ଯଦି ରବିବାର ମ୍ୟାଚ୍‌ ହେବା ସମ୍ଭବ ନହୁଏ, ତାହେଲେ ସେମାବାର ସଂରକ୍ଷିତ ଦିବସରେ ମ୍ୟାଚ୍‌ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାରେ ଫାଇନାଲ୍‌ ମ୍ୟାଚ୍‌ ସହିତ କେବଳ ଏହି ଗୋଟିଏ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ରଖାଯାଇଛି। ଯଦିଓ ରବିବାର ଅଧାରୁ ମ୍ୟାଚ୍‌ ବନ୍ଦ ରୁହେ, ତା‌ହେଲେ ଅବଶିଷ୍ଟ ମ୍ୟାଚ୍‌କୁ ସୋମବାର ଖେଳାଯିବ। ତେ‌ଣୁ ଦର୍ଶକମାନେ ଏହି ରୋମାଞ୍ଚଭରା ମ୍ୟାଚ୍‌କୁ ଉପଭୋଗ କରିବାରୁ ଆଦୌ ବଞ୍ଚିତ ହେବେ ନାହିଁ ବୋଲି ପ୍ରତିଯୋଗିତାର ମୂଳ ଆୟୋଜକ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି।

ଏଥିପୂର୍ବରୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଗତ ୨ ତାରିଖରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ ବର୍ଷା ‌ଯୋଗୁଁ ଅଧାରୁ ବନ୍ଦ ରହିଥିଲା। ସେହିପରି ନେପାଳ ବିପକ୍ଷ ଭାରତର ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧା ଦେଇଥିଲା। ତଥାପି ସଂଶୋଧିତ ଲକ୍ଷ୍ୟକୁ ପିଛା କରି ଭାରତ ବିଜୟୀ ହୋଇଥିଲା। ଆସନ୍ତା ସପ୍ତାହରେ ମଧ୍ୟ କଲମ୍ବୋରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଯେଉଁଥିପାଇଁ କଲମ୍ବୋର ମ୍ୟାଚ୍‌ଗୁଡ଼ିକ ହାମ୍ପାଣ୍ଟୋ‌ଟାକୁ ସ୍ଥାନାନ୍ତର କରିବା ପାଇଁ ପିସିବି ଜୋର୍‌ ଦେଇଥିଲା। କିନ୍ତୁ ମ୍ୟାଚ୍‌ଗୁଡ଼ିକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଖେଳାଯିବ ବୋଲି ଏସିସି କହିଥିଲା।

ଦଳ ସହ ଯୋଗଦେଲେ ବୁମ୍‌ରା

ପ୍ରଥମ ସନ୍ତାନର ପିତା ହୋଇଥିବା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଶୁକ୍ରବାର ଭାରତୀୟ ଦଳ ସହିତ ଯୋଗ ଦେଇଛନ୍ତି। ପ୍ରଥମ ଲିଗ୍‌ ମ୍ୟାଚ୍‌ ଖେଳିସାରିବା ପରେ ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଭାରତ ଫେରି ଆସିଥିଲେ। ଶୁକ୍ରବାର ସକାଳେ ବୁମ୍‌ରା ଶ୍ରୀଲଙ୍କାରେ ପହଞ୍ଚିବା ପରେ ଅପରାହ୍ନରେ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଭ୍ୟାସ ଶିବିରରେ ସାମିଲ ହୋଇଛନ୍ତି। ଗୁରୁବାର ବର୍ଷା ହୋଇଥିବାରୁ ଭାରତୀୟ ଖେଳାଳିମାନେ ଇନ୍‌ଡୋର ଅଭ୍ୟାସ କରିଥିଲେ। ହେଲେ ଶୁକ୍ରବାର ସକାଳୁ ବର୍ଷା ହୋଇନାହିଁ। ତଥାପି ଶନିବାର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ୮୫ ପ୍ରତିଶତ ବ‌ର୍ଷା ସମ୍ଭାବନା ଥିବାରୁ ପାଣିପାଗ କିପରି ରହୁଛି ତାହାକୁ ଅପେକ୍ଷା କରିବାକୁ ହେବ।




Related Articles

Leave a Reply

Your email address will not be published. Required fields are marked *

Back to top button