ଏହି ନଦୀରେ ରହିଛି ସହସ୍ରଲିଙ୍ଗ, ପାଣି କମିଲେ ଦେଖିବାକୁ ମିଳେ ଅଦ୍ଭୁତ ଦୃଶ୍ୟ

ଏ ପୃଥିବୀରେ ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ବୁଝିବା ବହୁତ ମୁସ୍କିଲ । ଭାରତରେ ମଧ୍ୟ ଏମିତି ସ୍ଥାନର ଅଭାବ ନାହିଁ, ଯାହାକୁ ବିଚିତ୍ର ସ୍ଥଳ କହିଲେ ଭୁଲ ହେବନାହିଁ । କର୍ଣ୍ଣାଟକରେ ମଧ୍ୟ ଏମିତି ଏକ ସ୍ଥାନ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କର୍ଣ୍ଣାଟକର ଉତ୍ତର ଜିଲ୍ଲାରେ ଅବସ୍ଥିତ ଶାଳମାଳା ନଦୀ, ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ହୁଏ । ତେବେ ନଦୀର ଜଳସ୍ତର କମିଲେ ଏଠାରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ । ନଦୀପଠାରେ ଥିବା କଳା ପଥରରେ ରହିଛି ହଜାର ହଜାର ଶିବଲିଙ୍ଗ, ଯାହାକୁ କୁହାଯାଏ ସହସ୍ରଲିଙ୍ଗ । ଏହି ସ୍ଥାନ ଖାଲି ପବିତ୍ର ନୁହେଁ ବରଂ ଏହା ଏକ ଜୀବନ୍ତ ରହସ୍ୟ ।
“ସହସ୍ରଲିଙ୍ଗ” ଶବ୍ଦର ଅର୍ଥ ହେଉଛି “ହଜାର ହଜାର ଲିଙ୍ଗ”। କିମ୍ବଦନ୍ତୀ କହେ ପଥରରେ ଖୋଦିତ ହୋଇଥିବା ଏହି ହଜାର ହଜାର ଶିବଲିଙ୍ଗ ପ୍ରାଚୀନ କାଳରେ ସ୍ଥାନୀୟ ରାଜାମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । କିନ୍ତୁ ଏହା ପଛରେ ଥିବା ରହସ୍ୟ କେହି ସଠିକ୍ ଭାବେ ଜାଣି ନାହାନ୍ତି, କି ଏହା କେବେ ସ୍ଥାପିତ ହୋଇଥିଲା ତାହା ବି କେହି ଜାଣି ନାହାନ୍ତି ।
ଭାରତର ଅଧିକାଂଶ ତୀର୍ଥସ୍ଥଳ ପରି ଶାଳମାଳା ନଦୀର କୌଣସି ମନ୍ଦିର ଶିଖର ନାହିଁ । ଲୋକେ ନଦୀପଠାକୁ ହିଁ ମନ୍ଦିର ମାନନ୍ତି । ଭକ୍ତମାନେ ବିଭିନ୍ନ ଆକାରର ଶିବଲିଙ୍ଗ ଦର୍ଶନ ପାଇଁ ଖାଲି ପାଦରେ ଏଠାକୁ ଚାଲି ଚାଲି ଆସନ୍ତି । ଏହି ନଦୀରେ କିଛି ଶିବଲିଙ୍ଗ ଏକ ଇଞ୍ଚ ଛୋଟ ରହିଛି ତ ଆଉ କିଛି ମଣିଷ ଶରୀର ଭଳି ବିଶାଳ ରହିଛି । ଶିବରାତ୍ରି ସମୟରେ ଯେତେବେଳେ ନଦୀର ଜଳସ୍ତର ହ୍ରାସ ପାଏ, ତଳ ଭାଗରେ ହଜାର ହଜାର ଶିବଲିଙ୍ଗ ଥିବା ଦେଖିବାକୁ ମିଳେ । ଭକ୍ତମାନେ ଶିବଲିଙ୍ଗରେ କ୍ଷୀର, ଜଳ ଏବଂ ଫୁଲ ଅର୍ପଣ କରନ୍ତି। କିନ୍ତୁ ବର୍ଷା ଋତୁରେ ଏହି ପବିତ୍ର ସ୍ଥାନ ସମ୍ପୂର୍ଣ୍ଣ ଲୁଚିଯାଏ ।
ସହସ୍ରଲିଙ୍ଗ ସମ୍ବନ୍ଧୀୟ କୌଣସି ଐତିହାସିକ ପ୍ରମାଣ ନାହିଁ । ଏହି ସମସ୍ତ ଶିବ ଲିଙ୍ଗ କିଏ କିମ୍ବା କେବେ ଖୋଦିତ କରିଥିଲେ, ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଲୋକ କଥା ଅନୁଯାୟୀ ଅନୁଯାୟୀ, ଜଣେ ରାଜା ନିଜ ରାଜ୍ୟର ସମୃଦ୍ଧି ଏବଂ ମଙ୍ଗଳ ପାଇଁ ୧,୦୦୦ ଶିବଲିଙ୍ଗ ଖୋଦିତ କରିବାକୁ ପ୍ରତିଜ୍ଞା କରିଥିଲେ । କିନ୍ତୁ ଏହି ତଥ୍ୟର କୌଣସି ଶିଳାଲେଖ କିମ୍ବା ପ୍ରମାଣ ମିଳିନାହିଁ।


