ଭାରତର ବାଇକ ବଜାରରେ ଧୁମ ମଚାଇପାରେ ବଜାଜ, ଆଣିପାରେ ସିଏନଜି ବାଇକ – Utkal Mail
ନୂଆଦିଲ୍ଲୀ: ପେଟ୍ରୋଲଠାରୁ ଅଧିକ ମୂଲ୍ୟ ସତ୍ତ୍ୱେ ଭାରତରେ ସିଏନଜି ଯାନଗୁଡ଼ିକର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି | କାରଣ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ସିଏନଜିରେ ଭଲ ମାଇଲେଜ ମିଳୁଥିବାବେଳେ ପେଟ୍ରୋଲ-ଡିଜେଲ ତୁଳନାରେ ଏହାର ଚାଲିବା ଖର୍ଚ୍ଚ ବା ରନିଙ୍ଗ କଷ୍ଟ ମଧ୍ୟ ବହୁତ କମ୍ | ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ, ସିଏନଜି ଯାନ ନିର୍ମାତାମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସିଏନଜି ଟେକ୍ନୋଲୋଜି ବିକଶିତ କରିଛନ୍ତି | ତଥାପି, ଏହି ଟେକ୍ନୋଲୋଜି ଦୁଇ ଚକିଆ ଯାନ ବା ବାଇକ ବଜାରରେ ପହଂଚି ନାହିଁ |
ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଜାଜ ଏବେ ସିଏନଜି ଇଞ୍ଜିନ୍ ଥିବା ବାଇକ ଆଣିବାକୁ ଯୋଜନା କରୁଛି | ଏହି ବାଇକର କେତେକ ପ୍ରୋଟୋଟାଇପ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି ଏବଂ ଏସବୁ ବାଇକ୍ ଆସନ୍ତା ୬ ମାସ ମଧ୍ୟରେ ରାସ୍ତାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି | ପୂର୍ବରୁ କମ୍ପାନୀର ଯୋଜନା ଥିଲା ଯେ ପ୍ରତିବର୍ଷ ୧ ଲକ୍ଷ ୟୁନିଟ୍ ତିଆରି କରିବ,ତେବେ ବର୍ତ୍ତମାନ ଏହା ପ୍ରତିବର୍ଷ ୨ ଲକ୍ଷ ୟୁନିଟ୍ ବାଇକ ତିଆରି କରିବାକୁ ଯୋଜନା କରୁଛି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଜାଜ ଏହାର ସିଏନଜି ବାଇକର ନାମ ପ୍ଲାଟିନୋ ରଖିବାକୁ ଯୋଜନା କରୁଛି ଓ ଏହା ମଧ୍ୟ ଆଶା କରାଯାଉଛି ଯେ ବାଇକର ସିଏନଜି ଭାରିଆଣ୍ଟ ୧୦୦ କିଲୋମିଟରରୁ ଅଧିକ ମାଇଲେଜ୍ ଦେବାରେ ସକ୍ଷମ ହୋଇପାରେ। ଏଭଳି ହେଲେ ଏହି ବାଇକ୍ ଦେଶର ସର୍ବାଧିକ ମାଇଲେଜ୍ ବାଇକରେ ପରିଣତ ହେବ |



