ଓଡିଶା

ବାଲି ବୋଆ ସାପ କୁ ଜୀବନ୍ତ ଗିଳିଲା ନାଗ, ନାଗ ପେଟରୁ ବାହାରି ପୁଣି ବୁଲିଲା ବୋଆ ସାପ – Utkal Mail



ବରଗଡ: ଦେଢ଼ ଫୁଟର ବାଲି ବୋଆ ସାପ କୁ ଜୀବନ୍ତ ଗିଳିଦେଲା ସାଢେ ୩ ଫୁଟର ନାଗ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରେ । ସମ୍ବଲପୁରୀ ଭାଷାରେ ସେଇ ସାପ କୁ ଫୁତକା ସାପ କୁହାଯାଏ । ହଠାତ୍ ଘରେ ଜରି ଖଡ ଖଡ ଶବ୍ଦ ଶୁଣି ନିର୍ମଳ କବାଟ ଖୋଲି ଦେଖିବା ବେଳକୁ ଏକ ନାଗ ସାପ ଏକ ଛୋଟ ସାପକୁ ଗିଳୁଥିଲା । ସଙ୍ଗେ ସଙ୍ଗେ ଏନେଇ ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ନିର୍ମଳ ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ହରିହର ମେହେର ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଏକ ସାଢେ଼ ୩ ଫୁଟ ଲମ୍ବର ନାଗ ସାପ ଏକ ଦେଢ଼ ଫୁଟ ଲମ୍ବର ବାଲି ବୋଆ ସାପକୁ ଅଧା ଗିଳିଥିଲା । ହରିହର ନାଗ ସାପଟିକୁ ଉଦ୍ଧାର କରି ଘର ବାହାରକୁ ଆଣିବା ବେଳକୁ ସାପଟି ବାନ୍ତି କରି ବୋଆ ସାପଟିକୁ ବାହାର କରିଦେଇଥିଲା । ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି, ସେଇ ବାଲି ବୋଆ ସାପଟି ନାଗ ସାପ ପେଟ ରୁ ବାହାରିବା ପରେ ଚଲା ବୁଲା ମଧ୍ୟ କରୁଥିଲା । ହରିହର ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶ କ୍ରମେ କାଳ ବିଳମ୍ବ ନକରି ଉଭୟ ସାପଙ୍କୁ ଅଲଗା ଅଲଗା ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଛାଡ଼ିବା ବେଳେ, ବାଲି ବୋଆ ସାପଟି ବଞ୍ଚିଥିଲା ଏବଂ ବୁଦା ଆଡ଼କୁ ଚାଲି ଯାଇଥିଲା । ଆଜି ସକାଳେ ହରିହର ଆଉଥରେ ସେଇ ସ୍ଥାନକୁ ଯାଇ ଦେଖନ୍ତେ ତ ବାଲି ବୋଆ ସାପଟି ସେଠାରେ ନଥିଲା ।

ବିଷଧର ନାଗ ସାପ କାମୁଡାରେ ଯେଉଁଠି ଏତେ ବଡ ବଡ ମଣିଷ, ଗାଈ, ବଳଦ ଆଦି ପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି ସେଠି ୧୦୦ ଗ୍ରାମରୁ କମ ଓଜନ ବିଶିଷ୍ଟ ଏକ ବାଲି ବୋଆ ସାପ ନାଗ ସାପ ପେଟ ଭିତରକୁ ଯାଇ ଜୀବନ୍ତ ବାହାରି ସୁରକ୍ଷିତ ଭାବରେ ପ୍ରକୃତିକୁ ଫେରିବା ଏକ ବିରଳ ଘଟଣା ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଶୁଭେନ୍ଦୁ କହିଛନ୍ତି “ନାଗ ସାପ ଶୀକାରକୁ ଅଚଳ କରିବା ପାଇଁ ନିଜର ବିଷକୁ ବ୍ୟବହାର କରିଥାଏ । ଏଇ ଘଟଣାରେ ବାଲି ବୋଆଟି ଏକ ଛୋଟ ଏବଂ ବିଷ ହୀନ ସାପ ହୋଇଥିବାରୁ ନାଗଟି ତାକୁ ବିଷ ବ୍ୟବହାର କରି ମାରିବା ବଦଳରେ, ବିନା ବଳ ପ୍ରୟୋଗ କରି ସେମିତି ଗିଳିବାକୁ ଚେଷ୍ଟା କରି ସଫଳ ହେଇଛି  । ଆଗରୁ ମୁଁ ବେଙ୍ଗ କୁ ନାଗ ସାପ ପେଟରୁ ବାନ୍ତି ପରେ ଜୀବନ୍ତ ବାହାରିବା ଦେଖିଥିଲି । ହେଲେ ନାଗ ସାପଟି ଭିଡିଓରେ ବାରମ୍ବାର ବାଲି ବୋଆ କୁ କାମୁଡିବା ଦେଖା ଯାଉଥିଲେ ହେଁ, ସେ ତାକୁ ବିଷ ପ୍ରୟୋଗ କରି ନଥିଲା । ଏଣୁ, ବାଲି ବୋଆ ସାପ ଟି ବଞ୍ଚିଗଲା” ।




Related Articles

Leave a Reply

Your email address will not be published. Required fields are marked *

Back to top button