ଜଗତସିଂହପୁରରେ ବାବା ଗୋରେଖନାଥଙ୍କ ପୀଠ, ସାପ କାମୁଡ଼ା ରୋଗୀଙ୍କୁ ଭଲ କରନ୍ତି ବାବା

ବାବା ଗୋରେଖନାଥ। ଜଗତସିଂହପୁର ଜିଲ୍ଳା ଛପଡା ପଞ୍ଚାୟତର କେରେକେରା ଗାଁରେ ବିଦ୍ୟମାନ ବାବା ଗୋରେଖନାଥ। ପ୍ରଭୁଙ୍କର ଅପାର ମହିମା। ପ୍ରଭୁଙ୍କ କରୁଣାରୁ ସର୍ପ ବିଷ ନାଶନ ଓ ଗୋ -ରୋଗ ନିରାକରଣ ହୋଇଥାଏ ବୋଲି ଯୁଗ ଯୁଗରୁ ବିଶ୍ବାସ ରହିଆସିଛି। ସେଥିପାଇଁ ଏହି ପୀଠକୁ ହଜାର ହଜାର ଭକ୍ତ ଧାଇଁ ଆସନ୍ତି। ପୂର୍ବରୁ ଏହି ପୀଠ ଜଗତସିଂହପୁରର ହରିନାଥଙ୍କ ଗାଦି ଦ୍ୱାରା ପରିଚାଳିତ ହେଉଥିଲା। ନାଥଧର୍ମର ପତନ ପରେ ଏହା ବ୍ରIହ୍ମଣ ଓ ବୈଷ୍ଣବମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଏବେ ଏହା ଟ୍ରଷ୍ଟ ବୋର୍ଡ ଦ୍ୱାରା ପରିଚାଳିତ ହେଉଛି। ବରଗଛ ମୂଳରେ ଗାଦି ରହିଥିଲା। ମନ୍ଦିର ନଥିଲା। ୧୯୯୯ ମହାବାତ୍ୟା ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିର୍ମାଣ ହୋଇଛି ଭବ୍ୟ ମନ୍ଦିର। ଗୋରେକନାଥଙ୍କ ପୀଠରେ ବିଭିନ୍ନ ମଠଗାଦି, ଧୁନିକୁଣ୍ଡ, ଦେବମନ୍ଦିର ଥିବାରୁ ଏହି କ୍ଷେତ୍ର ବେଶ୍ ପ୍ରସିଦ୍ଧ। ଶାରଳା ସାହିତ୍ୟରେ ଗୋରେଖନାଥଙ୍କ ବିଷୟରେ ବହୁ ବର୍ଣ୍ଣନା କରାଯାଇଛି। ଏହି ପୀଠରେ ସନ୍ନ୍ୟାସୀ ଗୋରେଖନାଥ ଅବସ୍ଥାନ କରିବା ସମୟରେ ଓଡ଼ିଆ ନାଥ ସାହିତ୍ୟ ରଚନା କରିଥିଲେ। ମହାଭାରତରେ ବର୍ଣ୍ଣିତ ଅଛି ଗୋରେଖନାଥଙ୍କ କୃପାରୁ ଅର୍ଜୁନ ଗୋରେଖ ଗାରେଡି ମନ୍ତ୍ର ସିଦ୍ଧି ଲାଭ କରି ସର୍ପାଘାତରୁ ପୁଅ ଅଭିମନ୍ୟୁଙ୍କୁ ରକ୍ଷା କରିଥିଲେ।
୭ମ ଶତାବ୍ଦୀରେ ସନ୍ନ୍ୟାସୀ ଗୋରେଖନାଥ ଜମ୍ବୁଦ୍ବୀପର କଦଳୀବଣରୁ ଫେରିବା ସମୟରେ ସାଧୁ ମଚେନ୍ଦ୍ରନାଥଙ୍କ ସହ ଭୋଟ ହୋଇଥିଲା। ସାଧୁ ମଚେନ୍ଦ୍ରନାଥଙ୍କ ଅନୁରୋଧରେ କେରେକେରାରେ ଥିବା ବଟବୃକ୍ଷ ମୂଳରେ ଗାଦି ସ୍ଥାପନ କରି ସନ୍ନ୍ୟାସୀ ଗୋରେଖନାଥ ତପସ୍ୟା କରିଥିଲେ। ସେ ଏକ ଧୁନି ସ୍ଥାପନ କରିଥିଲେ। ସେହି ଧୁନି ଆଜି ପର୍ଯ୍ୟନ୍ତ ଜଳି ଆସୁଛି। ଏହି ଧୁନିର ପାଉଁଶକୁ ବିଭୂତି କୁହାଯାଏ। ଏହି ବିଭୁତିକୁ ମୁଣ୍ଡରେ ମାରିଲେ ଓ ସେବନ କଲେ ସର୍ଵରୋଗ ଆରୋଗ୍ୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ସନ୍ନ୍ୟାସୀ ଗୋରେଖନାଥ ଏଠାରୁ ଯିବା ପରେ ତାଙ୍କ ଦ୍ବାରା ସ୍ଥାପିତ ଗାଦିକୁ ଲୋକମାନେ ପୂଜା ଆରାଧନା କରିବାକୁ ଲାଗିଲେ। ପରେ ପୀଠର ନାମ ଗୋରେଖନାଥ ନାମିରେ ନାମିତ ହେଲା। ଏଠାରେ ଲିଙ୍ଗ ପୂଜା ପାଆନ୍ତି ନାହିଁ। ଗାଦି ପୂଜାପାଇ ଆସୁଛନ୍ତି।
ଗୋରେଖନାଥ ପୀଠର ରହିଛି ଅଲୌକିକ ମହିମା । ସର୍ପାଘାତ ରୋଗୀମାନେ ଏଠାରେ ଅଧିଆ ପଡିଲେ ଭଲ ହୋଇଥାନ୍ତି। ଗୋପାଳକମାନେ ଗୋ ସମ୍ପଦର ସୁରକ୍ଷା ପାଇଁ ଗୋରେଖନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ଗାଈ ଜନ୍ମ କଲାପରେ ପ୍ରଥମ କ୍ଷୀର ମହାପ୍ରଭୁ ଗୋରେଖନାଥଙ୍କ ନିକଟରେ ଅର୍ପଣ କରିଥାନ୍ତି। ସେହି କ୍ଷୀରରେ ପ୍ରଭୁଙ୍କ ନିକଟରେ ଖିରି ପ୍ରସ୍ତୁତ କରାଯାଇ ଆର୍ପଣ କରାଯାଇଥାଏ। ଯଦି ନୀତିକାନ୍ତିରେ କୌଣସି ତ୍ରୁଟି ଦେଖାଦିଏ ତେବେ ଏହି ପୀଠରେ ଏକାଧିକ ନାଗସାପ ବରଗଛ ଓହଳରେ ଝୁଲି ରୁହନ୍ତି। ବାର ମାସରେ ତେର ପର୍ବ ପାଳିତ ହୁଏ। ଏହା ସହ ବାବା ଗୋରେଖନାଥଙ୍କ ଜନ୍ମଦିନ ଅଗ୍ନି ଉତ୍ସବ ଦିନରେ ହିଁ ପାଳିତ ହୋଇଆସୁଛି।


