ଏକତରଫା ପ୍ରେମିକ କବଳରୁ ନାବାଳିକା ଉଦ୍ଧାର: ଅପହରଣ କରି ୪ ମାସ ଗୃହବନ୍ଦୀ କରି ରଖିଥିଲା – Utkal Mail
ଭୁବନେଶ୍ବର: ଏକତରଫା ଭଲ ପାଉଥିବା ନାବାଳିକାଙ୍କୁ ଅପହରଣ କରିବା ସହ ୪ ମାସ କାଳ ଗୃହବନ୍ଦୀ କରି ରଖିବା ପରେ ପୁଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ। ଗତକାଲି ଭରତପୁର ଥାନା ପୁଲିସ ଫୁଲେଶ୍ବରୀ ବସ୍ତିରୁ ଅପହରଣ ଅଭିଯୁକ୍ତ ବାପୁନ୍ ମାରାଣ୍ଡି(୨୧)କୁ ଗିରଫ କରିବା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କ ଜିମା ଦେଇଛି। ବାପୁନ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ବାପୁନ୍ ଜଣେ ନାବାଳିକାଙ୍କୁ ଏକତରଫା ଭଲପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ରାସ୍ତାରେ ଅଟକାଇ ବାରମ୍ବାର ପ୍ରେମ ନିବେଦନ କରୁଥିଲା। ମାତ୍ର ନାବାଳିକାଙ୍କଠାରୁ ସେ ଚାହୁଥିବା ଭଳି ଉତ୍ତର ନପାଇ ସେ ପ୍ରତିଶୋଧପରାୟଣ ହୋଇଉଠିଥିଲା। ତେଣୁ ସେ ଜୋର୍ ଜବରଦସ୍ତ ନାବାଳିକାଙ୍କୁ ଉଠାଇନେବାକୁ ଯୋଜନା କରିଥିଲା। ଗତ ମେ’ ୨୬ ତାରିଖରେ ବାପୁନ୍ ସୁଯୋଗ ପାଇ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ ଜାରି ରଖିଥିଲା। ବାପୁନ୍ ନାବାଳିକାକୁ ନେଇ ସହର ବାହାରକୁ ପଳାଇଥିଲା। ତେବେ ଗତକାଲି ରାତିରେ ସେ ଫୁଲେଶ୍ବରୀ ବସ୍ତିକୁ ଫେରିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଅଭିଯୁକ୍ତ ନାବାଳିକାଙ୍କୁ ବନ୍ଦୀ କରି ରଖିବା ସହ ତାଙ୍କ ସହ ଦୁଷ୍କର୍ମ କରିଛି ବୋଲି ଅଭିଯୋଗ ହୋଇଛି।