ମଲ୍ଲିକାର୍ଜୁନ ଖଡ଼ଗେ ହୋଇପାରନ୍ତି ଇଣ୍ଡିଆ ମେଣ୍ଟର ସଂଯୋଜକ – Utkal Mail
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ୨୬ଟି ଦଳ ଏକ ବଡ଼ ମେଣ୍ଟ ଗଠନ କରିଛନ୍ତି। ଏହି ମିଳିତ ମଞ୍ଚର ନାମ ହେଉଛି ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ (ଇଣ୍ଡିଆ) | ବିରୋଧୀ ଦଳର ପ୍ରଥମ ବୈଠକ ୨୩ ଜୁନ୍ ଦିନ ପାଟନାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆୟୋଜନ କରିଥିଲେ। ଏହି ବୈଠକ ପରେ ବିରୋଧୀ ଦଳମାନେ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ଆଲୋଚନା କରିଥିଲେ। ଏହା ପରେ ୧୭-୧୮ ଜୁଲାଇରେ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷତା କରିଥିଲା । ବେଙ୍ଗାଲୁରୁ ବୈଠକରେ ବିରୋଧୀ ଦଳ ୟୁପିଏ ବଦଳରେ ନୂତନ ନାମ ଘୋଷଣା କରିଥିଲେ | ତେବେ ବର୍ତ୍ତମାନର ତାଜା ସୂଚନା ମୁତାବକ କୁହାଯାଉଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବିରୋଧୀ ଦଳ ‘ଇଣ୍ଡିଆ’ର ସଂଯୋଜକ କରାଯାଇପାରେ। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ଏନେଇ ଘୋଷଣା କରାଯାଇପାରେ |
ସୂଚନାନୁସାରେ, ଖଡ଼ଗେଙ୍କୁ ସଂଯୋଜକ କରିବା ପଛରେ କିଛି ଯୁକ୍ତି ଉପସ୍ଥାପନ କରାଯାଇଛି | ବିଶେଷ କରି ଖଡ଼ଗେ ଜଣେ ଦଳିତ ଚେହେରା ହୋଇଥିବାବେଳେ ତାଙ୍କ ପାଖରେ ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ମଧ୍ୟ ରହିଛି | ଖଡ଼ଗେଙ୍କ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା | ତେବେ ସେ ଗତକାଲି କହିଥିଲେ ଯେ ମୁଁ କିଛି ଚାଁହୁନାହିଁ | ଆମେ କେବଳ ଲୋକଙ୍କୁ ଏକଜୁଟ କରିବାକୁ ଚାହୁଁଛୁ। ଉଲ୍ଲେଖ ଥାଉ କି ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।