ବିଚାର

ଆମ୍ବିଳା ହାକୁଡି (Sour Hiccups) ଦେଲେ କଣ କରିବେ ? ଜାଣନ୍ତୁ ଏନେଇ Gastroenterologist Dr. Gyanranjan Rout ଙ୍କ ଖାସ୍ ଟିପ୍ସ

ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ ଗ୍ରନ୍ଥି ଗୁଡିକ ଏସିଡ ତିଆରି କରନ୍ତି, ଯାହା ଖାଦ୍ଯ ହଜମ କରିବାରେ ସାହାଯ୍ୟ କରେ । ଏହି ଗ୍ୟାଷ୍ଟ୍ରିକ ଗ୍ରନ୍ଥିଗୁଡିକ ହଜମ ପ୍ରକ୍ରିୟା ଠାରୁ ଯଦି ଅଧିକ ଏସିଡ କରନ୍ତି ତେବେ ଆମ୍ବିଳା ହାକୁଡି ଆସେ, ଛାତି ଜଳେ ଓ ଅରୁଚି ଲାଗେ । ଏହାକୁ GERD ବୋଲି କୁହାଯାଏ । ତେବେ ଏହି ଆମ୍ବିଳା ହାକୁଡି କାହିଁକି ହୁଏ ଓ ଏହାକୁ କିପରି ରୋକା ଯାଇପାରିବ ? ଆସନ୍ତୁ ଏନେଇ ଜାଣିବା ବିଶିଷ୍ଟ ପେଟରୋଗ ବିଶେଷଜ୍ଞ ଡାକ୍ତର ଜ୍ଞାନରଞ୍ଜନ ରାଉତଙ୍କ ଠାରୁ ।

 

ଆମ୍ବିଳା ହାକୁଡି ହେବ ଏକ ଏପରି ରୋଗ ଯେଉଁଥିରେ ଆମ ପାକସ୍ଥଳୀରେ ଥିବା ଖାଦ୍ୟ କିମ୍ବା ଏସିଡ ଆମ ଖାଦ୍ୟନଳୀକୁ ଆସିଯାଏ । ଯାହାଫଳରେ ଆମ ଖାଦ୍ୟନଳୀରେ ଥିବା ମ୍ୟୁକୋ ସେଲ ଗୁଡିକୁ କ୍ଷତି ପହଞ୍ଚାଏ । ଆମ ଖାଦ୍ୟନଳୀରେ ଥିବା ଏହି ମ୍ୟୁକୋ ସେଲ ଗୁଡିକୁ କ୍ଷତି ପହଞ୍ଚିଲେ ଏହାକୁ ଆମେ Gastroesophageal Reflux Disease ବା GERD ବୋଲି କହିଥାଉ । ଆମ ପାକସ୍ଥଳୀରେ ଥିବା ଖାଦ୍ୟ କିମ୍ବା ଏସିଡ ଅନେକ ସମୟରେ ଆମ ଖାଦ୍ୟନଳୀକୁ ଉଠିଯାନ୍ତି ।
ବହୁଳ ମାତ୍ରାରେ କଫି ସେବନ କରିବା, ମଦ୍ୟପାନ ଏବଂ ଧୂମ୍ରପାନ କରିବା ଆଦି GERD ର କାରଣ ହୋଇଥାନ୍ତି । ଆଉ କିଛି ଲୋକ ପେନ୍ କିଲର୍ ଖାଇଥାନ୍ତି, ତେଣୁ ସେମାନଙ୍କ କ୍ଷେତ୍ରରେ ମଧ୍ୟ GERD ଦେଖା ଦେଇଥାଏ । ଏପରି ହେଲେ ଅନେକ ଲୋକ କହିଥାନ୍ତି କି ସେମାନଙ୍କ ଛାତି ଜଳୁଛି, ଯାହାକୁ ହାର୍ଟ ବର୍ଣ୍ଣ ବୋଲି କହିଥାଉ । ଆଉ କିଛି ଲୋକଙ୍କର ମଝି ଛାତିରେ ବ୍ୟଥା ହୁଏ ।

GERD ଥିଲେ ଅନେକ ସମୟରେ ଖାଦ୍ଯ ବା ଏସିଡ କଣ୍ଟେଣ୍ଟ ମୁହଁକୁ ମଧ୍ୟ ଆସିଯାଏ ଓ କିଛି ଲୋକଙ୍କୁ ଖାଦ୍ୟ ଠିକ ଭାବେ ଗିଳିବାରେ ମଧ୍ୟ ଅସୁବିଧା ହୁଏ । ଏହିସବୁ ହେଉଛି GERD ର ଲକ୍ଷଣ । କିଛି ଲୋକଙ୍କୁ ରାତି ସମୟରେ କାଶ ହେବା ବା ନିଃଶ୍ଵାସ ବନ୍ଦ ହେବା ଭଳି ଲାଗିବା ଏବଂ ସବୁବେଳେ କଫ ହେବା ମଧ୍ୟ ଏହି ରୋଗର ଲକ୍ଷଣ ହୋଇପାରେ । ଯଦି ଏହିସବୁ ଲକ୍ଷଣ ଆପଣଙ୍କ ଶରୀରରେ ଅନେକ ଦିନରୁ ରହୁଛି ଏବଂ ଏହିସବୁ ଲକ୍ଷଣ ଧୀରେ ଧୀରେ ବଢୁଛି ତେବେ ଜାଣିରଖନ୍ତୁ ଏହା କିଛି ଭୟଙ୍କର ରୋଗର ସଂକେତ ଦେଉଛି ।

ଯଦି ଆପଣଙ୍କୁ ଖାଦ୍ଯ ଗିଳିବାରେ ଅସୁବିଧା ହେଉଛି, ରକ୍ତବାନ୍ତି ହେଉଛି, କଳା ଝାଡା ହେଉଛି, ଛାତି ଏବଂ ଗଳାରେ ଅତ୍ୟଧିକ ଯନ୍ତ୍ରଣା ହେଉଛି, ଅତ୍ଯଧିକ କଫ ହେଉଛି, ହିମୋଗ୍ଲୋବିନ କମ୍ ରହୁଛି ଏବଂ ଓଜନ ହ୍ରାସ ପାଉଛି ତେବେ ଆପଣ ନିଜ ଜୀବନଶୈଳୀ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ।

 

ବାହାରର ଜଙ୍କ ଫୁଡ୍, ଅତ୍ୟଧିକ ରାଗଯୁକ୍ତ ଖାଦ୍ଯ, ଆଇସକ୍ରିମ, କୋଲ୍ଡଡ୍ରିଙ୍କସ୍, କଫି, ମଦ୍ୟପାନ, ଧୂମ୍ରପାନ ଆଦିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଅନ୍ତୁ । ଏହାସହ ଏକ ଭଲ ନିଦ୍ରାଭ୍ୟାସ ଅନୁସରଣ କରିବା ସହ ସନ୍ତୁଳିତ ଖାଦ୍ଯ ଖାଆନ୍ତୁ ଓ ପ୍ରତିଦିନ ଅଳ୍ପ ସମୟ ବ୍ୟାୟାମ ଓ ପ୍ରାଣାୟାମ ଆଦି କରନ୍ତୁ । ଏମିତି ଜୀବନଶୈଳୀ ଅନୁସରଣ କରିବା ଦ୍ଵାରା ଆପଣ GERD ଭଳି ଭୀଷଣ ପେଟ ସମସ୍ଯାକୁ ଦୂରେଇ ଦେଇପାରିବେ ।

ଆଉ ଯାହାବି ମେଡ଼ିସିନ ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ଓ ଅଧିକ ସମସ୍ଯା ହେଉଥିଲେ ନିଶ୍ଚିତ ଭାବେ ଡାକ୍ତରଙ୍କ ସହ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କରାନ୍ତୁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଚିନ୍ତା ଏବଂ ଅବସାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button