‘ଏୟାର୍ ସୋ’ ବେଳେ ଆକାଶରେ ଧକ୍କା ଖାଇଲେ ୨ ବିମାନ; ୨ ସ୍ବର୍ଣ୍ଣପଦକ ବିଜୟୀ ପାଇଲଟ୍ ମୃତ – Utkal Mail
ନେଭେଦା: ରବିବାର ଦିନ ଆମେରିକାର ନେଭେଦା ଅନ୍ତର୍ଗତ ରିନୋଠାରେ ଚାଲିଥିବା ‘ରିନୋ ଏୟାର୍ ରେସିଙ୍ଗ୍’ ପ୍ରତିଯୋଗିତାରେ ୨ଟି ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ସେଥିରେ ଥିବା ୨ଜଣ ପାଇଲଟଙ୍କର ମୃତ୍ୟୁ ହୋଇଯାଇଥିବା କଥା ‘ରିନୋ ଏୟାର୍ ରେସିଙ୍ଗ୍ ଆସୋସିଏସନ୍’ କହିଛି।
‘ନ୍ୟାସ୍ନାଲ୍ ଚାମ୍ପିଅନ୍ସିପ୍ ଏୟାର୍ ରେସେସ୍’ର ‘ଟି-୬ ଗୋଲ୍ଡ୍ ରେସ୍’ ଶେଷ ହେବା ପରେ ସ୍ଥାନୀୟ ସମୟ ଦିନ ୨.୧୫ରେ ଅବତରଣ ପାଇଁ କରୁଥିବା ବେଳେ ବିମାନ ଦୁଇଟି ଆକାଶରେ ଧକ୍କାଖାଇଥିଲେ ବୋଲି ‘ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିଛି।
ଦୁର୍ଘଟଣାଗ୍ରସ୍ତ ବିମାନ ଦୁଇଟିର ଭଗ୍ନାଂଶ ପରସ୍ପରଠାରୁ ପ୍ରାୟ ଅଧକିଲୋମିଟର୍ ଦୂରେ ପଡ଼ିଥିବା କଥା ‘ନ୍ୟାସ୍ନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ’ କହିଛି।
ମୃତ ପାଇଲଟମାନଙ୍କ ନାମ ନିକ୍ ମେକି ଓ କ୍ରିସ୍ ରସିଙ୍ଗ୍ ବୋଲି ‘ଏୟାର୍ ରେସିଙ୍ଗ୍ ଆସୋସିଏସନ୍’ ଚିହ୍ନଟ କରିଛି। ୨ ପାଇଲଟ୍ ସୁଦକ୍ଷ ଏବଂ ‘ଟି-୬ କ୍ଲାସ୍’ରେ ସ୍ବର୍ଣ୍ଣ ପଦକ ବିଜୟୀ ଥିଲେ ବୋଲି ‘ଆସୋସିଏସନ୍’ କହିଛି।
ଦୁଇଟିଯାକ ବିମାନରେ ୨ଜଣ ପାଇଲଟ୍ଙ୍କ ଛଡ଼ା ଅନ୍ୟ କେହି ନ ଥିଲେ ଏବଂ ଏହି ଦୁର୍ଘଟଣାରେ ଆଉ କେହି ମୃତାହତ ହୋଇ ନ ଥିବା କଥା ‘ଦି ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିଛି।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯିବ।
ସୂଚନାଯୋଗ୍ୟ, ଦୀର୍ଘ ୫ ଦଶନ୍ଧି ଧରି ଚାଲି ଆସୁଥିବା ଏହି ‘ଏୟାର୍ ସୋ’ ସମଗ୍ର ବିଶ୍ବରୁ ଅସଂଖ୍ୟ ଦର୍ଶକଙ୍କୁ ଆକର୍ଷିତ କରିପାରିଛି।



