ଜୀବନଶୈଳୀ

ପିତାମାତାଙ୍କ ଏଭଳି ବ୍ୟବହାର ଛୁଆ ପାଇଁ ସାଜିପାରେ ବିପଦ, ବେଳହୁଁ ନିଜକୁ ସୁଧାରନ୍ତୁ

ପ୍ରକୃତ ପିତାମାତା ସିଏ ଯିଏ ଛୁଆଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ତାଙ୍କୁ ଉତ୍ତମ ସଂସ୍କାର ଦେଇ ସଠିକ୍‌ ରାସ୍ତା ଦେଖାଇବାରେ ସାହାଯ୍ୟ କରିଥାନ୍ତି। କିନ୍ତୁ ଆଜିକାଲିର ଅଭିଭାବକ ପିଲାଙ୍କୁ ଉଚିତ ମାର୍ଗ ଦେଖାଇବା ପରିବର୍ତ୍ତେ ସେମାନଙ୍କୁ ମହଙ୍ଗା ପୋଷାକ, ଫାଷ୍ଟଫୁଡ୍‌, ଗେମ୍‌ ଆଦି ଦେଇ ନିଜ କର୍ତ୍ତବ୍ୟ ସାରିଦେଉଛନ୍ତି। ଏହି କାରଣରୁ ବର୍ତ୍ତମାନର ପିଢ଼ି ସମ୍ପର୍କର ପ୍ରକୃତ ଅର୍ଥ ବୁଝିପାରୁନାହିଁ। ଫଳସ୍ୱରୂପ ସମାଜରେ ବିଭିନ୍ନ ଅପରାଧ, ଅନୈତିକ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗୁଛି। ଏଣୁ ପ୍ରତ୍ୟେକ ଦମ୍ପତି ମାତାପିତା ହେବା ପରେ ପିଲାଙ୍କୁ କ’ଣ ଶିକ୍ଷା ଦେବେ ସେ ପ୍ରତି ଯତ୍ନବାନ୍‌ ହେବା ନିହାତି ଆବଶ୍ୟକ। ଏକ ସର୍ଭେ ମୁତାବକ ଯେଉଁ ମାତାପିତା ନିଜେ ମାନସିକ ସ୍ତରରେ ଖୁସି ଥା’ନ୍ତି ସେମାନେ ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ଦେଇପାରନ୍ତି। ତେବେ ଆସନ୍ତୁ ଜାଣିବା ମାତାପିତା ଚିନ୍ତାରେ ରହିବାର ପ୍ରମୁଖ କାରଣ କ’ଣ, ଯାହାକୁ ସେମାନେ ଦୂର କରିବା ନିହାତି ଆବଶ୍ୟକ।

ସବୁବେଳେ ଅତୀତରେ ରହୁଥିବା ମାତାପିତା:

ଯେଉଁ ମାତାପିତାଙ୍କ ମନ ସବୁବେଳେ ଅତୀତରେ ରହିଥାଏ ସେମାନେ ନିଜ ପିଲାଙ୍କ ସହ କେବେ ବି ଭଲରେ ମିଶିପାରିନଥାନ୍ତି। ପିଲାମାନେ ସହଜରେ ଅତୀତକୁ ଭୁଲିଯାଉଥିବା ବେଳେ ମାତାପିତା ଅତୀତକୁ ଧରି ରଖିଥାନ୍ତି। ଫଳରେ ପିଲାଙ୍କୁ ବୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼େ। ଏଣୁ ଯାହା ହୋଇସାରିଛି ସେ କଥା ଭାବି ଭାବି ଅଯଥା ଚିନ୍ତାରେ ରହିବା ଅପେକ୍ଷା ବର୍ତ୍ତମାନରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ।

ନକାରାତ୍ମକ କଥାବାର୍ତ୍ତା ଓ ଦୃଷ୍ଟିକୋଣ:

‘ତୁ ଏହା କରିପାରିବୁ ନାହିଁ, ତୁ ଅଯୋଗ୍ୟ, ତୋ ଦ୍ୱାରା ଏ କାମ ହେବନାହିଁ’ ଏଭଳି ନକାରାତ୍ମକ କଥା କେବେ ବି ପିଲାଙ୍କୁ କୁହନ୍ତୁ ନାହିଁ। ଶାରୀରିକ କ୍ଷତ କିଛି ଦିନ ଭିତରେ ଲିଭିଯାଉଥିବା ବେଳେ ମାନସିକ ଆଘାତ ସବୁବେଳେ ପାଇଁ ମନରେ ରହିଥାଏ। ଖାସ୍‌ କରି ପିଲାମାନେ ଏସବୁ କଥାକୁ ଅଧିକ ଭାବିଥାନ୍ତି। ଯାହା ତାଙ୍କ ପାଇଁ କ୍ଷତିକାରକ। ଏଣୁ ସବୁବେଳେ ପିଲାଙ୍କୁ କିଛି ଏଭଳି କଥା କୁହନ୍ତୁ ଯାହା ତାଙ୍କୁ ଉତ୍ସାହିତ କରିବ।

ନିଜ ଭୁଲକୁ ପିଲାଙ୍କ ସାମ୍ନାରେ ନ ମାନିବା:

କିଛି ବାପାମା’ ପିଲାଙ୍କ ସାମ୍ନାରେ ନିଜ ଭୁଲକୁ ମାନିନଥାନ୍ତି। ସେମାନେ ଭାବନ୍ତି କାଳେ ପିଲା ଭାବିବ ଯେ ତା’ ପିତାମାତା ଭୁଲ କରୁଛନ୍ତି। କିନ୍ତୁ ଏଭଳି କରିବା ଅନୁଚିତ। ପିଲାଙ୍କ ସାମ୍ନାରେ ବଡ଼ମାନେ ନିଜ ଭୁଲ ମାନିଗଲେ ପିଲା ଏଥିରୁ କିଛି ଶିକ୍ଷା କରିବେ ଓ ଭବିଷ୍ୟତରେ ନିଜେ କିଛି ଭୁଲ କଲେ ତାହାକୁ ମାନିବାକୁ କୁଣ୍ଠାବୋଧ କରିବେ ନାହିଁ।

ସବୁବେଳେ ପିଲାଙ୍କ ଭୁଲ ବାଛିବା:

ଯଦି ସବୁବେଳେ ପିଲାଙ୍କ ଭୁଲ ବାଛୁଛନ୍ତି ତେବେ ଏବେ ସେଥିରୁ ବିରତ ରୁହନ୍ତୁ। କାରଣ ସବୁବେଳେ ପିଲାଙ୍କ ଭୁଲ ବାଛିଲେ ସେମାନେ ଭାବିବେ ଯେ ସେମାନେ ଯାହା କରୁଛନ୍ତି ସବୁ ଭୁଲ ଓ ନୂଆ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ। ଏଣୁ ଭୁଲ ବାଛିବା ପରିବର୍ତ୍ତେ ପିଲାଙ୍କ ଭଲ ଗୁଣ କ’ଣ ତାଙ୍କୁ କୁହନ୍ତୁ। ସବୁବେଳେ ଆଗକୁ ବଢ଼ିବାକୁ ପିଲାଙ୍କୁ ଉତ୍ସାହିତ କରନ୍ତୁ।

ସାଙ୍ଗ ଭଳି ମିଶନ୍ତୁ:

ପିଲାଙ୍କ ସହ ପିଲାଙ୍କ ଭଳି ମିଶନ୍ତୁ। ନିର୍ଦ୍ଦେଶ ଦେବା ଭଳି କଥାବାର୍ତ୍ତାକୁ ଛୋଟ ପିଲା ପସନ୍ଦ କରିନଥାନ୍ତି ଏଣୁ କଥା ଶୁଣିନଥାନ୍ତି। ତେଣୁ ପିଲାଙ୍କୁ ଆଦେଶ ଦେବା ପରିବର୍ତ୍ତେ ଯାହା ବୁଝାଇବାକୁ ଚାହୁଁଛନ୍ତି ତାଙ୍କୁ ଆରାମସେ କୁହନ୍ତୁ। ତେବେ ଯାଇ ସେ ଆପଣଙ୍କ କଥା ଶୁଣିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button