ବାମ ହାତର ଅନାମିକା ଆଙ୍ଗୁଳିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି, କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି । ତେବେ ଆମ ଦେଶରେ ପ୍ରତି ପ୍ରଥା ଏବଂ ପରମ୍ପରା ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ନିଶ୍ଚୟ ଲୁଚି ରହିଥାଏ । ଏଭଳି ଏକ ପ୍ରଥା ହେଉଛି ବିବାହ ପୂର୍ବରୁ ହେଉଥିବା ନିର୍ବନ୍ଧ । ଏଥିରେ ପୁଅ ଏବଂ ଝିଅ ପରସ୍ପରଙ୍କୁ ବାମ ହାତର ଚତୁର୍ଥ ଅଙ୍ଗୁଳିରେ ମୁଦି ପିନ୍ଧାଇଥାନ୍ତି । ବହୁ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି। କିନ୍ତୁ ଏହି ପରମ୍ପରା ପଛରେ କଣ ରହିଛି ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା ଏ ବିଷୟରେ
ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ଶରୀରରେ ଥିବା ପ୍ରତ୍ୟେକ ଆଙ୍ଗୁଳି ମଣିଷର ଭାଗ୍ୟକୁ ନେଇ ନିଜର ମହତ୍ବ ରଖିଥାଏ । ଅନାମିକା ଅଙ୍ଗୁଳିରେ ନିର୍ବନ୍ଧ ମୁଦି ପିନ୍ଧିବା ପଛର ସବୁଠାରୁ ବଡ କାରଣ ଆୟୁଷ ବୃଦ୍ଧି, ଉତ୍ତେଜନା ଓ ସମ୍ପର୍କକୁ ମନେକରାଯାଏ। ଏହା ଦାମ୍ପତ୍ୟ ଜୀବନ ସହିତ ଜଡିତ। ଅନାମିକା ଅଙ୍ଗୁଳିର ସୂର୍ଯ୍ୟ ସହିତ ସମ୍ପର୍କ ରହିଛି। ସୂର୍ଯ୍ୟକୁ ରାଜା ଭାବରେ ଜଣାଯାଇଥାଏ। ସୂର୍ଯ୍ୟ ସଫଳତା ଓ ଶକ୍ତିର ଗ୍ରହ। ଯଦି ଆପଣ ଏକ ଅଦ୍ଭୁତ ଏବଂ ଆଲୌକିକ ଶକ୍ତିକୁ ଅନୁଭବ କରିବାକୁ ଚାହାଁନ୍ତି ତେବେ ଅନାମିକା ଅଙ୍ଗୁଳିରେ ମୁଦି ପିନ୍ଧିବା ଉଚିତ୍। ଏହ ଆପଣଙ୍କୁ ସବୁ ପ୍ରକାର ଶକ୍ତି ପ୍ରଦାନ କରିଥାଏ। ଆମେରିକାନଙ୍କ ମତରେ ବିବାହ ପରେ ଝିଅମାନେ ବାମ ହାତରେ ଅନାମିକା ଅଙ୍ଗୁଳିରେ ମୁଦି ପିନ୍ଧିବା ଉଚିତ । ଏହାର କାରଣ ହେଉଛି ଅନ୍ୟ ଅଙ୍ଗୁଳି ଗୁଡିକ ଅପେକ୍ଷା ଏହି ଅଙ୍ଗୁଳିରେ ମୁଦି ପିନ୍ଧିବା ଅଧିକ ସୁରକ୍ଷିତ।

କେବଳ ସେତିକି ନୁହେଁ ଚୀନର ସଂସ୍କୃତିରେ କୁହାଯାଇଥାଏ ଯେ ହାତର ପ୍ରତି ଅଙ୍ଗୁଳି ସହିତ ଜୀବନର ବିଶେଷ ସମ୍ପର୍କ ରହିଛି । ଛୋଟ ଆଙ୍ଗୁଳି ସନ୍ତାନ ସମ୍ପର୍କରେ କହିଥାଏ, ମଧ୍ୟମା ନିଜ ବିଷୟରେ ଏବଂ ତର୍ଜନୀ ଅଙ୍ଗୁଳି ଭାଇ-ଭଉଣୀ ସମ୍ପର୍କରେ କହିଥାଏ। ଅନାମିକା ଅଙ୍ଗୁଳି ଜୀବନ ସାଥୀ ସହ ସମ୍ପର୍କକୁ ନିୟନ୍ତ୍ରଣ କରିଥାଏ ଓ ଏହି ଆଙ୍ଗୁଳିରେ ମୁଦି ପିନ୍ଧିବା ଫଳରେ ସମ୍ପର୍କ ସବୁବେଳେ ଦୃଢ ରହିଥାଏ।



