Village Surrounded by Water: ପାଣି ଘେରରେ ଗାଁ, ବଢୁଛି ଦୁର୍ଦ୍ଦଶା , ପ୍ରାୟ ସାଢ଼େ ୯ ଲକ୍ଷ ଲୋକ ପ୍ରଭାବିତ
ପାଣି ଘେରରେ ଗାଁ, ବଢୁଛି ଦୁର୍ଦ୍ଦଶା । ଘରେ ପାଣି, ବାହାରେ ପାଣି । ବୁଡ଼ିଛି ରାସ୍ତାଘାଟ, ଯାତାୟାତ ଠପ୍ । ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କ ଚିନ୍ତା ବଢୁଛି । ଓଡ଼ିଶାରେ ବନ୍ୟା ସ୍ଥିତି ଚିନ୍ତାଜନକ ରହିଛି । ପ୍ରାୟ ସାଢ଼େ ୯ ଲକ୍ଷ ଲୋକ ପ୍ରଭାବିତ । ତଳିଆ ଅଞ୍ଚଳରେ ଏବେ ବି ଦୁର୍ଦ୍ଦଶା । ଓଡ଼ିଶାରେ ବର୍ଷା କିଛିଟା କମିଥିଲେ ବି ବନ୍ୟା ଦୁର୍ଦ୍ଦଶା ଟଳିନି । ଅନେକ ତଳିଆ ଅଞ୍ଚଳ ଏବେ ବି ପାଣି ଘେରରେ । ବନ୍ୟାରେ ପ୍ରାୟ ୯ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବୈତରଣୀ, ବ୍ରାହ୍ମଣୀ, ସାଳନ୍ଦୀ, ଜଳକା ଓ ବୁଢ଼ାବଳଙ୍ଗ ଭଳି ନଦୀରେ ବଢ଼ିଥିବା ପାଣି ଅନେକ ଅଞ୍ଚଳକୁ ପ୍ରଭାବିତ କରିଛି ।
ପୂର୍ବ ରିପୋର୍ଟ ଅନୁସାରେ ୪୯ଟି ବ୍ଲକର ୯୪୭ଟି ଗାଁ ବନ୍ୟା ପ୍ରଭାବରେ ଆସିଥିଲା । ସେତେବେଳେ ୨.୩୭ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । କେଉଁଠି ଘରେ ପାଣି ପଶିଛି, ତ କେଉଁଠି ଗାଁ ରାସ୍ତା ଜଳମଗ୍ନ । ପାଣି ଘେରରେ ରହିଥିବା ପରିବାର ପାଇଁ ଏବେ ଘରଦ୍ୱାର ସହ ଖାଦ୍ୟ, ପାନୀୟ ଜଳ ଓ ଯାତାୟାତ ବଡ଼ ସମସ୍ୟା ପାଲଟିଛି । ପାଣି କେବେ କମିବ, ପୁଣି ବର୍ଷା ହେଲେ ସ୍ଥିତି କ’ଣ ହେବ, ଏହାକୁ ନେଇ ପ୍ରଭାବିତ ଅଞ୍ଚଳରେ ଚିନ୍ତା । ତେବେ ଆଜି ସକାଳର ଚିତ୍ରରେ କିଛି ଆଶ୍ୱସ୍ତି ରହିଛି । ବର୍ଷାର ତୀବ୍ରତା କମିବା ସହ କେତେକ ସ୍ଥାନରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ରିପୋର୍ଟ ଆସୁଛି । କିନ୍ତୁ ପାଣି ଘେରରେ ଥିବା ଗାଁ ଓ ତଳିଆ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ସରିନି ।

