ଦେଶ ବିଦେଶରାଜନୀତି

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ  ୧୬୦ ପ୍ରାର୍ଥୀଙ୍କ ନାମ ରହିଛି। ତାଲିକାର ମୁଖ୍ୟ ଆକର୍ଷଣ ହୋଇଛନ୍ତି କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ହାର୍ଦ୍ଦିକ ପଟେଲ। ଦଳ ହାର୍ଦ୍ଦିକଙ୍କୁ ନିର୍ବାଚନ ମୈଦାନକୁ ଛାଡିଛି।

ବୀରାମଗ୍ରାମରୁ ବିଜେପି ହାର୍ଦ୍ଦିକଙ୍କୁ ପ୍ରାର୍ଥୀ କରିଛି। ସେହିପରି  କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ମୈଦାନକୁ ଓହ୍ଲାଇଛି ଦଳ। ଜାମନଗର ଉତ୍ତରରୁ ବିଜେପି ଟିକେଟ ପାଇଛନ୍ତି ରିଭାବା। ରିଭାବା ଜଣେ ମେକାନିକାଲ ଇଞ୍ଜିନିୟର। ସେ ୩ ବର୍ଷ ତଳେ ବିଜେପିରେ ମିଶିଥିଲେ।

ଗୁଜୁରାଟର ୧୮୨ ବିଧାନସଭା ଆସନରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ନବାଗତ ତଥା ଯୁବ ନେତାଙ୍କ ଉପରେ ଭରସା କରିଛି ଦଳ। ୬୦ ବର୍ଷୀୟ କଣ୍ଟିଲାଲ ଅମୃତୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ଅମୃତୟ ହେଉଛନ୍ତି ମୋର୍ବିର ପୂର୍ବତନ ବିଧାୟକ। ମୋର୍ବି ପୋଲ ଭୁଶୁଡିବା ପରେ ଅମୃତୟ ପାଣିକୁ ଡେଇଁ ବହୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ସେ ଲୋକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ତେଣୁ  ବିଜେପି ମୋର୍ବିରୁ ତାଙ୍କୁ ଠିଆ କରିଛି।  ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ  ପୁଣି ଘାଟୋଲଡିଆରୁ ଠିଆ କରାଯାଇଛି।

ଅନ୍ୟପକ୍ଷରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କୁ ଟିକେଟ ଦେଇ ନାହିଁ। ଏହା ବ୍ୟତୀତ ୭୫ ବର୍ଷ ହୋଇଥିବା ନେତା ମନ୍ତ୍ରୀ ତଥା ସାଂସଦଙ୍କୁ ଦଳ ବାଦ ଦେଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ୫ ତାରିଖରେ ବାକି ୯୩ଟି ଆସନ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଭୋଟ ଗଣତି ତଥା ଫଳ ଘୋଷଣା ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button