ଓଡିଶା

ରାଜ୍ୟରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ, ୭ ହଜାର ୫୪୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – ରାଜ୍ୟରେ ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ । ସରକାରୀ ହାଇସ୍କୁଲଗୁଡ଼ିକରେ ୭ ହଜାର ୫୪୦ଟି ଶିକ୍ଷକ ନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବ ଅନୁମୋଦନ କରିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ ।

ଓଡ଼ିଶାର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସ୍ୱରୂପ ମୁଖ୍ୟମନ୍ତ୍ରୀ ସରକାରୀ ମାଧ୍ୟମିକ ସ୍କୁଲଗୁଡ଼ିକରେ ୭ ହଜାର ୫୪୦ ଶିକ୍ଷକ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ଯୁବକମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବା ସହ ଶିକ୍ଷାଦାନକୁ ବଳ ମିଳିବ ବୋଲି ୫-ଟି ସଚିବ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଗତବର୍ଷ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ୧୩ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ଡିସେମ୍ବର ୨୦୨୧ରେ ରାଜ୍ୟ ସରକାର ୬ ହଜାର ୧୩୧ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ପୁଣି ଏ ବର୍ଷ ଅଗଷ୍ଟରେ ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସିଛନ୍ତି । ଏଥିପାଇଁ ଭିତ୍ତିଭୂମିରେ ଉନ୍ନତି, ସମ୍ବଳ ଓ ନିଯୁକ୍ତି ଦିଗକୁ ଧ୍ୟାନ ଦିଆଯାଉଛି । ୫-ଟି ହାଇସ୍କୁଲ ରୂପାନ୍ତରର କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୪ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ ହୋଇସାରିଲାଣି। ଆଉ ୪ ହଜାର ୮ ଶହ ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି , ଯାହା ୨୦୨୩ ମସିହା ସୁଦ୍ଧା ଶେଷ ହେବ । ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button