କୋରାପୁଟ ଜିଲ୍ଲାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ଦାବୀ
ନବରଙ୍ଗପୁର : ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ମାସ ୨୨ତାରିଖରେ ବହୁ ଆଡ଼ମ୍ବର ସହକାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯିବାକୁ ନେଇ ନିଷ୍ପତ୍ତି ନିଆଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ନେଇ ମଧ୍ୟ ସ୍ଥିର କରାଯାଇଛି । ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସହ ୭ଟି ଦାବୀ କରାଯିବ । ଏହାସହ ଜଙ୍ଗଲ ଭିତରେ ରହୁଥିବା ସମସ୍ତ ମୂଳ ଅଧିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଜିଲ୍ଲାରେ ଥିବା ସମସ୍ତ ପୁରୁଣା କଲେଜକୁ ସରକାରୀ ମାନ୍ୟତା ଆଦି ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସେଦିନ ଏକ ବିଶାଳ ଶୋଭାଯାତ୍ରା ସହର ମଧ୍ୟଦେଇ ଦଳିତ ପାଠାଗାର ପଡ଼ିଆ ସମ୍ମୁଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ ବୋଲି ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଡମ୍ବରୁ ମାଝୀ ଓ ପରମା ପୂଜାରୀ ପ୍ରମୁଖ ଅତିଥିଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ମୂରଲୀଧର ବିଷୋୟୀ, ବଦର ଗୌଡ଼, ଉପଦେଷ୍ଟା ବେଲାରସେନ ନାୟକ ଓ ଡମ୍ଭୁ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।