କ୍ରୀଡା

ସାତ୍ତ୍ବିକ-ଚିରାଗଙ୍କୁ ଐତିହାସିକ ସଫଳତା: ବିଡବ୍ଲୁଏଫ୍‌ ଶୀର୍ଷରେ ପ୍ରଥମ ଭାରତୀୟ ଯୋଡ଼ି – Utkal Mail


ପାଦୁକୋନ, ସାଇନା, କିଦାମ୍ବିଙ୍କ ପରେ ଚତୁର୍ଥ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଯୁଗଳ ବ୍ୟାଡ୍‌ମିଣ୍ଟନ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ସଫଳତା ପାଇଛନ୍ତି। ମଙ୍ଗଳବାର ପ୍ରକାଶିତ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ (ବିଡବ୍ଲୁଏଫ୍‌) ମାନ୍ୟତାରେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ସାତ୍ତ୍ବିକ-ଚିରାଗ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏମାନେ ଚଳିତ ବର୍ଷ ୧୮ ପ୍ରତିଯୋଗିତା ଖେଳି ୯୨୪୧୧ ପଏଣ୍ଟ କରାୟତ୍ତ କରିଛନ୍ତି। ଦ୍ବିତୀୟରେ ଥିବା ଇଣ୍ଡୋନେସିଆର ଫଜାର ଅଲ୍‌ଫିଆନ୍‌ ଓ ମହମ୍ମଦ ରିଆନ୍‌ ଆର୍ଦିଆନ୍ତୋଙ୍କୁ ୨୦୦୦ ପଏଣ୍ଟ ଆଗରେ ରହିଛନ୍ତି। ସାତ୍ତ୍ବିକ-ଚିରାଗଙ୍କ ପୂର୍ବରୁ ଭାରତୀୟ ଭାବେ କିଂବଦନ୍ତି ପ୍ରକାଶ ପାଦୁକୋନ, ସାଇନା ନେହ୍ବାଲ ଓ କିଦାମ୍ବି ଶ୍ରୀକାନ୍ତ ଶୀର୍ଷ ସ୍ଥାନ ଦଖଲ କରିବାର ଗୌରବ ପାଇଥିଲେ।

ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ସଫଳତା ମିଳିଛି। ପ୍ରଶଂସକଙ୍କ ପାଖରେ ‘ସାଟ୍‌-ଚି’ ଭାବେ ପରିଚିତ ସାତ୍ତ୍ବିକ-ଚିରାଗ ୨୦୨୨ରୁ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ସେମାନେ ୫ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ମୁକୁଟ ଜିତିଛନ୍ତି। ଏଥିରେ ଇଣ୍ଡିଆନ୍‌ ଓପନ୍‌, ଫ୍ରେଞ୍ଚ ଓପନ୍‌, ସ୍ବିସ୍‌ ଓପନ୍‌, ଇଣ୍ଡୋନେସିଆ ଓପନ୍‌ ଓ କୋରିଆ ଓପନ୍‌ ରହିଛି। ଇଣ୍ଡୋନେସିଆ ଓପନ୍‌ ଜିତି ପ୍ରଥମ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଭାବେ ବିଡବ୍ଲୁଏଫ୍‌ ସୁପର ୧୦୦୦ ବିଶ୍ବ ଟୁର୍‌ ମୁକୁଟ କରାୟତ୍ତ କରିବାର ଗୌରବ ପାଇଥିଲେ। ଏଥିସହ ଏମାନେ ଭାରତର ଐତିହାସିକ ଥୋମାସ କପ୍‌ ବିଜୟରେ ଅବଦାନ ରଖିଥିଲେ। ଇଣ୍ଡୋନେସିଆକୁ ହରାଇ ଭାରତ ପ୍ରଥମ ଥର ଏହି ଟ୍ରଫି ଜିତିଥିଲା। ଏହା ବାଦ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିଲେ। ଏଥିସହ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଭାରତୀୟ ଯୋଡ଼ି ଭାବେ କାଂସ୍ୟ ଜିତିଥିଲେ। ଏସୀୟ ଚାମ୍ପିଅନ୍‌ସିପ୍‌ରେ ମଧ୍ୟରେ ‘ସାଟ୍‌-ଚି’ ସ୍ବର୍ଣ୍ଣ ପଦକ ପାଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button