ବଡ଼ଗଡ଼ ଗଣେଶ ମହୋତ୍ସବ: ଲାଲବାଗ ଆକୃତିର ୫୭ ଫୁଟ୍ ଗଣେଶ

ପୁରୁଣା ଭୁବନେଶ୍ୱର: ଆସନ୍ତା ୭ତାରିଖରେ ଧରାପୃଷ୍ଠରେ ଅବତରଣ କରିବେ ଶ୍ରୀଗଣେଶ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଗଡ଼ ଗ୍ରାମରେ ପୂଜା ପାଇବେ ବଡ଼ ଗଣେଶ। ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଏବଂ ବଡ଼ଗଡ଼ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହେବ। ୫୭ଫୁଟ ଉଚ୍ଚର ମୁମ୍ବାଇ ଲାଲବାଗ୍ ଆକୃତିର ଗଣେଶଙ୍କ ହାତରେ ଶୋଭା ପାଇବ ୫୭କେଜି ଓଜନର ଲଡ଼ୁ।
ଟାଇଟନିକ୍ ଆକୃତିର ଲାଇଟ୍ ତୋରଣ କରାଯିବ। ଚଳିତବର୍ଷ ଶ୍ରୀଗଣେଶଙ୍କ ପାଇଁ ୧୦କେଜି ଓଜନର ରୁପା ନିର୍ମିତ ପାଦୁକା କଟକରୁ ଅଣାଯାଇଛି। ୧୨ଜଣ କାରିଗର ଏହି ମୂର୍ତ୍ତିକୁ ନିର୍ମାଣ କରୁଛନ୍ତି। ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ମୂର୍ତ୍ତିରେ ବ୍ୟବହୃତ ବସ୍ତ୍ର ପାଇଁ ସୋନପୁରରୁ ୫୪ହଜାର ଟଙ୍କାର ବସ୍ତ୍ର ଅଣାଯାଇଛି।
୫୭କେଜିର ଲଡ଼ୁ
୧୦ କେଜିର ରୁପା ପାଦ
ଟାଇଟନିକ୍ ଲାଇଟ୍ ତୋରଣ
୧୯୮୫ମସିହାରୁ ବଡ଼ଗଡ଼ ଗ୍ରାମରେ ଗଣେଶ ମୂର୍ତ୍ତି ପାଇଁ ଟଙ୍କପାଣି, ବଡ଼ଗଡ଼ ଆଦି ନିକଟ ଗହିରରୁ ମାଟି ଆସୁଥିଲା। ଚଳିତ ଥର କଟକ ତ୍ରିଶୁଳିଆରୁ ମାଟି ଆସି କାମ ହେଉଛି। ୫୭ଫୁଟ ଉଚ୍ଚତା ସହ ମାତ୍ରାଧିକ ଓଜନର ବୃହତ୍ତକାୟ ପ୍ରତିମୂର୍ତ୍ତି କୌଣସି ଗାଡ଼ିରେ ନଦୀକୁ ନେଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା ଅସମ୍ଭବ। ତେଣୁ ଟ୍ୟାଙ୍କର ଯୋଗେ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ପାଣି ସିଞ୍ଚନ ପୂର୍ବକ ବିସର୍ଜନ କରାଯିବା ପାଇଁ କମିଟି ସ୍ଥିର କରିଛି। ମଣ୍ଡପରେ ପୂଜା ପାଉଥିବା ଛୋଟ ଗଣେଶଙ୍କ ଚଳନ୍ତି ପ୍ରତିମା ବିସର୍ଜନ କରାଯିବ। ତେବେ ଭସାଣିରେ ଡିଜେ ବାଜିବ ନାହିଁ କି ନିଶା ସେବନ କରାଯିବ ନାହିଁ ବୋଲି ଆସୋସିଏସନର ସମ୍ପାଦକ ସଂଗ୍ରାମ ମାର୍ଥା କହିଛନ୍ତି। ଗଣେଶ ପୂଜା ମଣ୍ଡପ, ଗ୍ରାମ ଛକରୁ କଳ୍ପନା ଛକ ଯାଏ ଉଭୟ ପଟର ରାସ୍ତା ରଙ୍ଗିନ ଆଲୋକରେ ସଜାଯିବ। ପୂଜା ମଣ୍ଡପ ନିକଟରେ ଟାଇଟନିକ୍ ଆକୃତିର ଆଲୋକ ତୋରଣ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଛି। ପୂଜା ଦେଖିବାକୁ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରାଯିବ।
ପୂଜାକୁ ଆକର୍ଷଣୀୟ କରିବାକୁ ଚଳିତ ବର୍ଷ ଆଧୁନିକ ଜର୍ମାନ ହ୍ୟାଙ୍ଗର ସେଡ୍ ଓ ମିନି ପଗୋଡ଼ା ନିର୍ମାଣ କରାଯିବ। ଛୋଟ ପିଲାଙ୍କ ପାଇଁ ମୀନା ବଜାର, ରାମଦୋଳି ପଡ଼ିବା ସହ ବିଭିନ୍ନ ଖାଦ୍ୟ ଷ୍ଟଲ ରହିବ। ଏହି ଉପଲକ୍ଷେ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ପ୍ରତିଦିନ ପୂଜାରେ ଖେଚୁଡ଼ି ଭୋଗ କରାଯିବା ସହ ୯ତାରିଖରେ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ପୂଜା ମଣ୍ଡପରେ ଆଇନ ଶୃଙ୍ଖଳା ଏବଂ ଲୁଟେରାଙ୍କ ଉପରେ ନଜର ରଖିବା ପାଇଁ ୨୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। କମିସନରେଟ ପୁଲିସ୍ ପକ୍ଷରୁ ସ୍ପେସାଲ ପୁଲିସ ଫୋର୍ସ ମୁତୟନ ହେବେ। ଆୟୋଜକଙ୍କ ମଧ୍ୟରୁ ୧୦୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି କମିଟି ପକ୍ଷରୁ ସ୍ଥିର ହୋଇଛି।