କ୍ରୀଡା

ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା: ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ – Utkal Mail


ଲକ୍ଷ୍ନୌ: ଚଳିତ ଦିନିକିଆ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସୋମବାର ଲକ୍ଷ୍ନୌରେ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ନାହାନ୍ତି। ସୋମବାର ଏକନା ଷ୍ଟାଡିୟମରେ ଉଭୟ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ। କେହି ପରାଜୟ ବ୍ୟବଧାନ ୩-୦ ରଖିବାକୁ ଚାହିବେନି। ‌ବିଜୟ ସହ ଉଭୟ ଦଳ ସେମିଫାଇନାଲ୍‌ ଆଶା ବଳବତ୍ତର ରଖିବାକୁ ଚେ‌ଷ୍ଟା କରିବେ। ତେଣୁ ଆସନ୍ତା କାଲିର ମ୍ୟାଚ୍‌ କଡ଼ା ସଂଘର୍ଷ ହେବାର ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆର ବିଶ୍ବକପ୍‌ ଆରମ୍ଭ ଭଲ ହୋଇନି। ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ହାରି ବିଯୁକ୍ତ ୧.୮୪୬ ରନ୍‌ ରେଟ୍‌ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ମଧ୍ୟ ଏହି ସମାନ ଦଶା। ଏହି ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନଠୁ ହାରିଛି। ବିଯୁକ୍ତ ୧.୧୬୧ ରନ୍‌ ରେଟ୍‌ ସହ ଦଳ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଗତ ଦୁଇ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘର୍ଷ କରିଛି। ଏପରିକି ଦଳ ଦୁଇଟି ଯାକ ମ୍ୟାଚ୍‌ରେ ୬ଟି କ୍ୟାଚ୍‌ ଛାଡ଼ି ନିଜ ଫିଲ୍‌ଡିଂ ଦୁର୍ବଳତାକୁ ପଦାରେ ପକାଇଛି। ଯାହା ବିଶ୍ବକପ୍‌ରେ ଯେକୌଣସି ଦଳ ଲାଗି ସର୍ବାଧିକ। ଏମାନଙ୍କ ବୋଲିଂ ଆକ୍ରମଣ ପ୍ରଭାବହୀନ ରହିବା ସହ ବ୍ୟାଟର୍‌ମାନେ ୨୦୦ ରନ୍‌ ଛୁଇଁବାରେ ବିଫଳ ହୋଇଛନ୍ତି। ଦଳ ଖରାପ ଫର୍ମରେ ଥିଲେ ମଧ୍ୟ ପୂର୍ବରୁ ଲକ୍ଷ୍ନୌରେ ଅଭ୍ୟାସ କରିଥିବାରୁ ଏକନା ପିଚ୍‌ ସହ ପରିଚିତ ରହିଛି। ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ବରେ ଜୋସ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ସ୍ପିନ୍‌ ଦାୟିତ୍ବ ଆଦାମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲଙ୍କ କାନ୍ଧରେ ରହିବ। ବ୍ୟାଟିଂ ଭାର ପୂର୍ବ ପରି ଭେଟେରାନ ଡେଭିଡ ୱାର୍ଣ୍ଣର, ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍, ମିଚେଲ ମାର୍ସ ଓ ମାର୍ନସ ଲବୁସାନଙ୍କ ଉପରେ ରହିବେ। ଏମାନେ ସଫଳ ହେଲେ ଦଳ ବଡ଼ ସ୍କୋର୍‌ କରିବାକୁ ସକ୍ଷମ ହେବ। ସୋମବାର ବିନା ପରିବର୍ତ୍ତନରେ ଦଳ ପଡ଼ିଆକୁ ଓହ୍ଲାଇବାର ଯୋଜନା କରିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁଇଟି ଯାକ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ୩୪୪ ଏବଂ ଦକ୍ଷିଣ ଆଫ୍ରିକାର ୪୨୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୬ ରନ୍‌ କରିଥିଲା। ହେଲେ ଏହାର ବୋଲର ୭୭୩ ରନ୍‌ ବ୍ୟୟ କରିବା ପରାଜୟର ପ୍ରମୁଖ କାରଣ ହୋଇଥିଲା। ‌ତେବେ ନିୟମିତ ଅଧିନାୟକ ଦସୁନ ଶଣକା ଆହତ ହୋଇ ବିଶ୍ବକପ୍‌ରୁ ବାଦ୍‌ ପଡ଼ିବା ଦଳକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ସ୍ଥାନରେ କୁଶଲ ମେଣ୍ଡିସ ନେତୃତ୍ବ ନେବେ। ବ୍ୟାଟିଂରେ ମେଣ୍ଡିସ ଭଲ ଫର୍ମରେ ରହିଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷ ୱାର୍ମଅପ୍ ସହ ଗତ ୩ ମ୍ୟାଚ୍‌ରେ ସେ ୩୫୬ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ୭୭ ବଲ୍‌ରେ ୧୨୨ ରନ୍‌ର ପାଳି ଖେଳିଥିଲା। ଏହା ଦିନିକିଆରେ ତାଙ୍କର ଶ୍ରେଷ୍ଠ ସ୍କୋର୍‌। ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୧ ପାଳି ଖେଳି ୫୦.୩୩ ହାରରେ ରନ୍‌ ସଗ୍ରହ କରିଛନ୍ତି। ଶ୍ରୀଲଙ୍କା ୧୯୯୬ ବିଶ୍ବକପ୍‌ ବିଜୟ ପ‌ରେ ଅଷ୍ଟ୍ରେଲିଆକୁ ୭ ଥର ଭେଟିଛି। ହେଲେ ପରାସ୍ତ କରିବାକୁ ସକ୍ଷମ ହୋଇନି। ଶଣକାଙ୍କ ବଦଳରେ ସ୍ଥାନ ପାଇଥିବା ଚାମିକା କରୁଣାରତ୍ନେ ଆସନ୍ତା କାଲି ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି। ମଥୀଶା ପଥିରଣାଙ୍କ ଡାହାଣ କାନ୍ଧରେ ଯନ୍ତ୍ରଣା ହେଉଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେନି। ତେଣୁ ଦ୍ରୁତ ବୋଲିଂ ସହ ଶେଷ କ୍ରମରେ ବିସ୍ଫୋରକ ବ୍ୟାଟିଂ କରୁଥିବା କରୁଣାରତ୍ନେ ଏହି ସ୍ଥାନ ନେବେ ବୋଲି ଦଳୀୟ ସୂତ୍ର ଜଣାପଡ଼ିଛି।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ (ୱିକେଟ୍‌ ରକ୍ଷକ), ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ‌‌ଷ୍ଟୋଇନିସ, ମିଚେଲ ଷ୍ଟାର୍କ, ପାଟ କମିନ୍ସ (ଅଧିନାୟକ), ଆଦାମ ଜାମ୍ପା, ‌ଜୋସ ହାଜେଲଉଡ୍‌।
ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କ, କୁଶଲ ପେରେରା, କୁଶଲ ମେଣ୍ଡିସ (ଅଧିନାୟକ, ୱିକେଟ୍‌ ରକ୍ଷକ), ସଦୀରା ସମରବିକ୍ରମା, ଚରିତ ଅଶଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଦୁନିଥ କରୁଣାରତ୍ନେ, ମହେଶ ଥୀକ୍ଷଣା, କସୁନ ରଜିଥା, ଦିଲସାନ ମଧୁସଣକା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button