ନୀତି

ଆଜି ବିଶ୍ବ ଖାଦ୍ୟ ଦିବସ : ଖାଦ୍ୟ ମିଳିବା ଏକ ମୌଳିକ ମାନବିକ ଅଧିକାର – Utkal Mail


ଆଜି ପୃଥିବୀର ପ୍ରାୟ ସବୁ ସ୍ଥାନରେ ‘ବିଶ୍ବ ଖାଦ୍ୟ ଦିବସ’ ପାଳନ କରାଯାଉଛି। ଉଦ୍ଦେଶ୍ୟ ହେଉଛି କ୍ଷୁଧା, ଅପପୁଷ୍ଟି, ଧାରଣକ୍ଷମତା ଓ ଖାଦ୍ୟ ଉତ୍ପାଦନ ବାବଦରେ ସଚେତନତା ସୃଷ୍ଟି କରିବା। ମୂଳତଃ ୧୯୪୫ ମସିହା ଅକ୍‌ଟୋବର ୧୬ ତାରିଖରେ ସ୍ଥାପିତ ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ପ୍ରତିଷ୍ଠା ଦିବସକୁ ମନେ ପକାଇବା ଲାଗି ଉଦ୍ଦିଷ୍ଟ ଏହି ଦିବସ ପରେ ଖାଦ୍ୟ ସଂକ୍ରାନ୍ତ ସଚେତନତା ବୃଦ୍ଧି କରିବା ପାଇଁ ଏକ ବୈଶ୍ବିକ ମଞ୍ଚରେ ପରିଣତ ହୋଇଛି। ଏଫ୍‌ଏଓର ଏକ ଆକଳନ ଅନୁଯାୟୀ, ସମ୍ପ୍ରତି ବିଶ୍ବରେ ୬୭ କୋଟି ବୟସ୍କଙ୍କ ସମେତ ୫ରୁ ୧୮ ବର୍ଷ ବୟସର ୧୨ କୋଟି ବାଳକବାଳିକା ଓ ୫ ବର୍ଷରୁ କମ୍‌ ବୟସର ୪ କୋଟି ଶିଶୁ ଅନିୟମିତ ତଥା ମାତ୍ରାଧିକ ଖାଦ୍ୟ ଯୋଗୁଁ ମୋଟାପଣ ବା ମେଦବହୁଳତାର ଶିକାର ହୋଇଛନ୍ତି। ଅପରପକ୍ଷେ, ୮୨ କୋଟି ଲୋକ ଖାଦ୍ୟ ଅଭାବରୁ ଭୋକ ଉପାସରେ ଜୀବନ କାଟୁଛନ୍ତି। ତେଣୁ ଏହି ଦିବସ କ୍ଷୁଧା ବିରୋଧରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଓ ଉପଯୁକ୍ତ ପୋଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସମାବେଶୀ ଆହ୍ବାନ ଭାବରେ କାର୍ଯ୍ୟ କରିଥାଏ।

ଏଥି ସହିତ ଏହି ଦିନଟି ସମସ୍ତଙ୍କୁ ପୁଷ୍ଟିସାର ଖାଦ୍ୟ ଉପଲବ୍‌ଧ କରାଇବା ଉପରେ ଗୁରୁତ୍ବାରୋପ କରିଥାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି, ଖାଦ୍ୟକୁ ଏକ ମୌଳିକ ମାନବିକ ଅଧିକାର ଭାବେ ସ୍ବୀକୃତି ଦେବା। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରଖାଯାଇଛି- ‘ଜଳ ହିଁ ଜୀବନ, ଜଳ ହିଁ ଖାଦ୍ୟ। କାହାକୁ ପଛରେ ଛାଡ଼ିବା ନାହିଁ।’ ଏହି ପ୍ରସଙ୍ଗ ଆମର ଜୀବନଧାରଣ ଓ ଖାଦ୍ୟ ଉତ୍ସକୁ ସୁରକ୍ଷିତ ରଖିବାରେ ଜଳର ଭୂମିକାକୁ ଗଭୀର ଭାବରେ ପ୍ରତିଧ୍ବନିତ କରିଥାଏ। ବିଶେଷ କରି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ସହରୀକରଣ ଓ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ବାନ ଯୋଗୁଁ ଜଳଯୋଗାଣ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଏହି ମୂଲ୍ୟବାନ ସମ୍ବଳକୁ ବୁଦ୍ଧିମତାର ସହ ପରିଚାଳନା କରିବା ଉପରେ ଗୁରୁତ୍ବାରୋପ କରାଯିବା ଦରକାର।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button