ଖଲିକୋଟ ଜୁନିୟର କଲେଜ ଛାତ୍ରୀଙ୍କୁ ରାଗିଂ ଘଟଣା, ପଦାକୁ ଆସୁଛି ବହୁ ଅଭିଯୋଗ
ବ୍ରହ୍ମପୁର: ରାଗିଂ ସମୟରେ ସିନିୟର ଛାତ୍ରମାନେ ଜୁନିୟର ଛାତ୍ରୀମାନଙ୍କୁ ଗୀତ ଗାଇବା, ସେମାନଙ୍କ ସହ ସେଲ୍ଫି ନେବା ଭଳି ଦୃଶ୍ୟ ପୂର୍ବରୁ ଦେଖିଥିଲେ । କିନ୍ତୁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ଯେଭଳି ଭାବେ ରାଗିଂ ହୋଇଛି ତାହା ରାଗିଂର ସବୁ ସୀମା ଟପି ଯାିଥିଲା । ଦୁଇ ଦିନ ପୂର୍ବେ ଏହି ଘଟଣା ପଦା ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଏବେ ବିଭିନ୍ନ କଲେଜରେ ଏଭଳି ରାଗିଂ ଘଟଣା ଧିରେ ଧିରେ ସାମ୍ନାକୁ ଆସୁଛି । ଏହିକ୍ରମରେ ଖଲିକୋଟ ଜୁନିୟର କଲେଜ ଜଣେ ଛାତ୍ରୀ ରାଗିଂ ନେଇ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଖଲିକୋଟ ଜୁନିୟର କଲେଜ ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ ହୋଇଥିବା ନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ କରିବା ପରେ ଉକ୍ତ ଛାତ୍ରୀ ଜଣକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେପଟେ କଲେଜ କର୍ତ୍ତୃପକ୍ଷ କୌଣସି ପଦେକ୍ଷପ ନେଉ ନଥିବାରୁ କିଛି ଛାତ୍ରୀ ପ୍ରିନ୍ସିପାଲଙ୍କ କର୍ଯ୍ୟାଳୟ ନିକଟରେ ଧାରଣା ଦେବା ପରେ ଘଟଣା ପଦାକୁ ଆସିଥିଲା । ସିନିୟର୍ ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇ ବିଶୃଙ୍ଖଳା କରିବା ସହ ତାଙ୍କୁ ନିର୍ଯାତନା ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ପୂର୍ବେ ମଧ୍ୟ କିଛି ଛାତ୍ରୀଙ୍କ ଠାରୁ ଏଭଳି ମୌଖିକ ଅଭିଯୋଗ ପାଇବା ପରେ ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୬ ଜଣ ଛାତ୍ରଙ୍କୁ ୧୦ ଦିନ ପାଇଁ ନିଲମ୍ବନ କରାଯାଇଥିଲା । ଏହା ପରେ ମଧ୍ୟ କିଛି ଛାତ୍ର ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ବିରୁଦ୍ଧରେ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ । କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରମାନଙ୍କ ଅଭିଭାବଙ୍କୁ ଡାକିଥିଲେ ମଧ୍ୟ କେହି କଲେଜ ଆସି ନଥିବା ଜଣାପଡ଼ିଛି ।
ତେବେ ଏବେ ନୂଆ ଅଭିଯୋଗ ପାଇବା ପରେ ଅଣ୍ଟି ରାଗିଂ ସେଲ୍ ଦ୍ୱାରା ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷ ଡକ୍ଟର ରାଧାକାନ୍ତ ନାୟକ କହିଛନ୍ତି । ଅନ୍ୟପଟେ ରାଗିଂ ଭୟରେ କିଛି ଛାତ୍ରୀ କଲେଜ ଆସୁନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି । ଘଟଣାକୁ ନେଇ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ତାନାଘାନା ଚଳାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶନମା ଅନୁସାରେ ସରକାରଙ୍କ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା କୁ ନିର୍ଦ୍ଦେଶ ହୋଇଛି । ସେହିଭଳି ଛାତ୍ର ଏବଂ ଅଭିଭାବକଙ୍କ ଠାରୁ ସି-୧ ଓ ସି-୨ ଫର୍ମ ରେ ଅଣ୍ଡରଟେକିଂ ରଖିବା, ଆଣ୍ଟି ରାଗିଂ ସ୍କ୍ୱାଡକୁ ସଦୃଢ଼ କରିବା, ଶୃଙ୍ଖଳାଗତ କମିଟି ଗଠନ କରିବା, ସମ୍ବଦେନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା, ରାଗିଂ ଘଟଣାକୁ ନେଇ ତୁରନ୍ତ ପୋଲିସକୁ ଜଣାଇବା ଏବଂ ସଂମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ହୋଇଛି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।