ମଣିଷ ନୁହେଁ, ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇଲେ ପୁଲିସ୍ କର୍ମଚାରୀ – Utkal Mail
ଭୋପାଳ: ଆଜି ପର୍ଯ୍ୟନ୍ତ ଆପଣ ମଣିଷଙ୍କୁ ସିପିଆର୍ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିଲେ। ହେଲେ ମଣିଷ ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣିଛନ୍ତି କି? ଏପରି ଏକ ମାମଲା ମଧ୍ୟପ୍ରଦେଶର ନର୍ମଦାପୁରମ୍ରେ ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପୁଲିସ କନ୍ଷ୍ଟେବଲ୍ ଏକ ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇଥିବା ଦାବି କରିଛନ୍ତି। ତାଙ୍କର ଏକ ଭିଡିଓ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ନର୍ମଦାପୁରମ ଜିଲ୍ଳାର ସେମରି ହରଚନ୍ଦ ଚୌକିରେ ଥିବା କନ୍ଷ୍ଟେବଲ୍ ଅତୁଲ ଶର୍ମାଙ୍କୁ ତୱା କଲୋନିରେ ଏକ ସାପ ଥିବା ସୂଚନା ମିଳିଥିଲା। ତାପରେ ସେ ଉଦ୍ଧାର କରିବାକୁ ଯାଇ ସେଠାରେ ପହଞ୍ଚିଗଲେ। ସାପଟି ପାଣି ପାଇପ୍ ଭିତରେ ପଶି ଯାଇଥିବାରୁ ସେଠାକାର ଲୋକମାନେ ପାଇପ୍ ଭିତରେ ବିଷାକ୍ତ ଜିନିଷ ପୂରାଇ ସାପକୁ ବାହାରକୁ କାଢ଼ିବାକୁ ଚେଷ୍ଟା କରିଥିଲେ। କୀଟନାଶକ ପୂରାଇବାରୁ ସାପଟି ନିସ୍ତେଜ ହୋଇ ଯାଇଥିଲା।
କନ୍ଷ୍ଟେବଲ୍ ଅତୁଲ ସେହି ସମୟରେ ପହଞ୍ଚି ସାପକୁ ପାଇପ୍ରୁ କାଢ଼ି ନିଜ ମୁହଁରେ ସାପକୁ ଅମ୍ଳଯାନ ଦେଇ ପୁଣି ଥରେ ତାକୁ ନୂଆ ଜୀବନ ଦେଇଛନ୍ତି। ଏପରକି କି ଅତୁଲ ସିପିଆର୍ ଦେଉଥିବା ବେଳର ଏକ ଭିଡିଓ ବି ଭାଇରାଲ୍ ହୋଇଛି।
ସାପଟିର ପେଟରରେ କୀଟନାଶକ ପାଣି ଥିବାରୁ ସେ ବେହୋସ ହୋଇ ଯାଇଥିଲା। ପ୍ରଥମେ ସାପଟିର ଶରୀରରୁ ବିଷାକ୍ତ ପାଣିକୁ ବାହାରକୁ କାଢ଼ି ତାପରେ ସିପିଆର୍ ଦେଇଥିଲେ।
ଅତୁଲ ଶର୍ମା କହିଛନ୍ତି ଯେ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୫୦୦ ସାପ ଉଦ୍ଧାର କରି ସାରିଲେଣି। ହେଲେ ସାପକୁ ସିପିଆର୍ ଦେବା କଥା ପ୍ରଥମ ଥର ଘଟିଛି।