ଓଡିଶା

କିଏ ଆସେରେ ଧରା ନାଚେରେ…

ଭୁବନେଶ୍ବର: କୃଷ୍ଣମୟ ହୋଇଉଠିଛି ରାଜଧାନୀ। ହରେକୃଷ୍ଣ ହରେକୃଷ୍ଣ ଭଜନକୀର୍ତ୍ତନରେ ଚତୁର୍ଦ୍ଦିଗ କମ୍ପମାନ ହୋଇଛି। ଦିନତମାମ ମେଘ ଢାଙ୍କି ରହିଥିଲେ ମଧ୍ୟ ବର୍ଷା ହୋଇନଥିଲା। ତଥାପି ଶ୍ରଦ୍ଧାଳୁଙ୍କ ଚକ୍ଷୁର ଆନନ୍ଦାଶ୍ରୁରେ ଭିଜିଛି ଦେବାଳୟ। ପୁଷ୍ପମାଳା, ତୋରଣ ଓ ଆକର୍ଷଣୀୟ ଆଲୋକମାଳାରେ ଝଲସିଉଠିଛି ମଠମନ୍ଦିର। ଆଜି ଇସ୍କନ ମନ୍ଦିରଠାରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା ବେଳେ ଭକ୍ତମାନେ ଲମ୍ବାଧାଡ଼ିରେ ଛିଡ଼ାହୋଇ ନନ୍ଦସୁତ କଳାକହ୍ନାଇଙ୍କୁ ଦେଖିବାକୁ ଆତୁର ନୟନରେ ଅପେକ୍ଷା କରି ରହିଥିଲେ।

ଭୋର୍ରୁ ମନ୍ଦିରର ଦ୍ବାରଫିଟା ଯାଇ ଯଥାବିଧି ନୀତି ସମାପନ ପରେ ସକାଳ ସାଢ଼େ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ସାଢ଼େ ୭ଟାରେ ଭଜନକୀର୍ତ୍ତନ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପ୍ରକମ୍ପିତ ହୋଇଥିଲା।

ଦିନ ୧୦ଟା ସୁଦ୍ଧା କଳସ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ପୂର୍ବାହ୍ଣ ସାଢ଼େ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହଳଧର ସ୍ବାମୀ ମହାରାଜ ଶ୍ରୀକୃଷ୍ଣକଥା ପରିବେଷଣ କରିଥିଲେ। ଏହି ଅବସରରେ କୁନିକୁନି ଶିଶୁମାନେ ଶ୍ରୀକୃଷ୍ଣ ବେଶ ଧାରଣ କରିଥିଲେ। ମଧ୍ୟରାତ୍ରରେ ମହାଭିଷେକ ନୀତି ପରେ ରାତି ଗୋଟାଏରେ ମହାଆଳତି ନୀତି ସମ୍ପନ୍ନ ହୋଇଥିଲା। ରାତି ସାଢ଼େ ଗୋଟାଏରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଉପବାସ ଭଙ୍ଗ କରିଥିଲେ। ଆଜି ଇସ୍କନ ମନ୍ଦିରରେ ପ୍ରାୟ ୬ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ସୂଚନା ମିଳିଛି। ଆସନ୍ତା କାଲି ନନ୍ଦୋତ୍ସବ ଅବସରରେ ପୂର୍ବାହ୍ଣରେ ଗୁରୁପୂଜା, ମଧ୍ୟାହ୍ନରେ ମହାଆଳତି ସହିତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ପୁଲିସ ପ୍ରଶାସନ ତରଫରୁ ତିନି ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଏକ ପ୍ଲାଟୁନ୍ ଟ୍ରାଫିକ୍ ପୁଲିସ ଓ ୧୫ଜଣ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କାଁଭାଁ ଲାଇନ୍ ଭାଙ୍ଗିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଶୃଙ୍ଖଳିତ ଦର୍ଶନ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button