ବ୍ୟବସାୟ

ଜାନୁଆରି ୧୮ରୁ ଦୁଇ ଦିନ ଧରି ବ୍ୟାଙ୍କ ଧର୍ମଘଟ: କର୍ପୋରେଟ ସେକ୍ଟରକୁ ୨୧ ଲକ୍ଷ କୋଟି ଋଣ ଛାଡ଼ – Utkal Mail


ବ୍ୟାଙ୍କ ଅଫ ବରୋଦା କର୍ମଚାରୀ ସଂଘ ସମ୍ମିଳନୀ

ଭୁବନେଶ୍ବର: ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଅଧିକ ଶୂନ୍ୟସ୍ଥାନ ପୂରଣ କରାନଯିବା ଏବଂ ଦୈନିକ କାର୍ଯ୍ୟକୁ ଠିକା ଏବଂ ଆଉଟସୋର୍ସିଂ ଦେବା ବିରୋଧରେ ଦେଶ ବ୍ୟାପୀ ଆନ୍ଦୋଳନ ହେଉଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ତାଙ୍କର ଶ୍ରମଶକ୍ତି ଆକଳନ କରି ନିଯୁକ୍ତି ଦେବେ ଏବଂ ଆଉଟସୋର୍ସିଂ ସମ୍ପର୍କରେ ଆଲୋଚନା କରିବେ ବୋଲି ଶ୍ରମ କମିସନଙ୍କ ଉପସ୍ଥିତିରେ ରାଜି ହୋଇଥିବାରୁ ଧର୍ମଘଟ ଏବଂ ସ୍ଥଗିତ ରହିଛି। ତେବେ ଜାନୁଆରି ୧୮ ଏବଂ ୧୯ ତାରିଖ ବ୍ୟାଙ୍କ ଧର୍ମଘଟ ବଳବତ୍ତର ରହିବ। ଭୁବନେଶ୍ବରର ରୋଟାରି ଭବନରେ ନିଖିଳ ଓଡ଼ିଶା ବ୍ୟାଙ୍କ ଅଫ ବରୋଦା କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଦ୍ବିତୀୟ ତ୍ରୈବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ଏଆଇବିଇଏର ସଭାପତି ରାଜନ ନାଗର।

ସେ କହିଛନ୍ତି, ବ୍ୟାଙ୍କ ଗୁଡ଼ିକ ପ୍ରଚୁର ଲାଭ କରୁଛନ୍ତି କିନ୍ତୁ କର୍ପୋରେଟମାନଙ୍କ ଅନାଦେୟ ଋଣ ଛାଡ଼ କରାଯାଉଥିବାରୁ ବ୍ୟାଙ୍କ ଲାଭ ସଙ୍କୁଚିତ ହେଉଛି। ୧୦ ବର୍ଷ ମଧ୍ୟରେ ୨୧ ଲକ୍ଷ କୋଟିରୁ ଅଧିକ ଋଣ ଛାଡ଼ ହୋଇ ସାରିଛି। ଏହା ବିରୋଧରେ ସବୁବେଳେ ଆନ୍ଦୋଳନ କରାଯାଉଛି। ବ୍ୟାଙ୍କ ଏବଂ ଅଭିବୃଦ୍ଧିରେ କର୍ମଚାରୀଙ୍କ ଭୂମିକା ନେଇ ସେ ଆଲୋଚନା କରିଥିଲେ। କଟକ ଆ଼ଞ୍ଚଳିକ ପ୍ରବନ୍ଧକ ରଣଜିତ କୁମାର, ଏଆଇଟିୟୁସି ରାଜ୍ୟ ସମ୍ପାଦକ କିଶୋର ଜେନା, ଏଓବିଇଏର ସଞ୍ଜୀବ ପତି, ବ୍ୟାଙ୍କ ଅଫ ବରୋଦା କର୍ମଚାରୀ ସମନ୍ବୟ ସମିତି ସମ୍ପାଦକ ଜିଏନ ଲାଲ ଏବଂ ସଲିଳ ଭଟ୍ଟାଚାର୍ଯ୍ୟ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଜୟ ନାୟକ ସମ୍ପାଦକୀୟ ବିବରଣୀ ପଢିଥିଲେ। ମନୋଜ ସାହୁ, ସୂର୍ଯ୍ୟକାନ୍ତ ଦାସ, ପ୍ରବୀର ନାୟକ, ପ୍ରତିମା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button