ଆଉ ୫ ବର୍ଷ ମାଗଣା ଖାଦ୍ୟଶସ୍ୟ: ୮୧.୩୫ କୋଟି ଲୋକ ଉପକୃତ ହେବେ – Utkal Mail
୧୧.୮୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣାରେ ଖାଦ୍ୟଶସ୍ୟ ମିଳିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପାଞ୍ଚ ବର୍ଷରେ ଏବାବଦରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ ଥିବା ପାଞ୍ଚ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟ ଦୋକାନ ଜରିଆରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀମାନଙ୍କ ଭିତରେ ମାଗଣା ଖାଦ୍ୟଶସ୍ୟ ଯଥା ଚାଉଳ, ଗହମ ଓ ମିଲେଟ୍ ପହଞ୍ଚିବ। ୱାନ୍ ନେସନ୍ ୱାନ୍ ରାସନ କାର୍ଡ କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀମାନେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ମାଗଣାରେ ଖାଦ୍ୟଶସ୍ୟ ପାଇପାରିବେ।
୨୦୨୪ ଜାନୁଆରୀ ପହିଲାରୁ ପାଞ୍ଚ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରାଯିବ।
ଏହା ଦ୍ବାରା ସମାଜର ଦୁର୍ବଳ ଓ ଗରିବ ବର୍ଗର ଲୋକମାନେ ଉପକୃତ ହେବେ। ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ଧାର୍ଯ୍ୟ ଜନସଂଖ୍ୟା ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଓ ଯୋଗାଣ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ତଥା ସମସ୍ତ ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଣକୁ ୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ବେଳେ ଲୋକମାନେ ଜୀବିକା ହରାଇ ଘର ଚଳାଇବାକୁ ଚିନ୍ତିତ ହୋଇପଡ଼ିଥିଲେ। ସେହି ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରିଥିଲେ। ପ୍ରଥମେ ଏହି ଯୋଜନା ମହାମାରୀ ରିଲିଫ ଭାବେ ଆରମ୍ଭ ହୋଇଥିଲା। ଏଥିରେ ହିତାଧିକାରୀମାନଙ୍କୁ ପ୍ରତି ମାସରେ ୫ କେଜି ଶସ୍ୟ ମାଗଣାରେ ପ୍ରଦାନ କରାଯାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ନିୟମରେ ଦିଆଯାଉଥିବା ଶସ୍ୟ ବାଦ ଏହି ଶସ୍ୟ ଦିଆଯାଇଥିଲା। ସେହି ଯୋଜନାର ଅବଧି ଏକାଧିକ ଥର ବଢ଼ାଇବା ପରେ ୨୦୨୨ ଡିସେମ୍ବରରେ ତାହା ଶେଷ ହୋଇଥିଲା। ଏହା ପରେ ସେହି ଯୋଜନାକୁ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧୀନରେ ମିଶାଇ ଏକ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ଶେଷ ଥର ଲାଗି ଏହି ସ୍କିମ୍ର ଅବଧିକୁ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।