ବ୍ୟବସାୟ

ଫେରିନି ୯୭୬୦ କୋଟିର ୨୦୦୦ ଟଙ୍କିଆ: ରିଜର୍ଭ ବ୍ୟାଙ୍କ ଜରିଆରେ ବଦଳ, ଜମା କରିହେଉଛି – Utkal Mail


ମୁମ୍ବାଇ: ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ଚଳିତବର୍ଷ ମେ’ ମାସରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଥିଲେ। ସେହି ସମୟରେ ପ୍ରଚଳନରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଥିଲା। ସେବେଠାରୁ ବର୍ତ୍ତମାନ ମଧ୍ୟରେ ପ୍ରାୟ ୯୭.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ଆସିଛି। କିନ୍ତୁ ୯୭୬୦ କୋଟିର ୨ ହଜାର ଟଙ୍କିଆ ନୋଟ୍‌ ଏବେ ବି ଲୋକଙ୍କ ନିକଟରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଅର୍ଥାତ ୪ ଲକ୍ଷ ୮୮ ହଜାର ଖଣ୍ଡ ୨ ହଜାର ଟଙ୍କିଆ ନୋଟ ଲୋକଙ୍କ ପାଖରେ ରହିଛି। ନଭେମ୍ବର ୩୦ ତାରିଖର କାରବାର ଶେଷ ସୁଦ୍ଧା ଏହି ନୋଟ୍‌ ଲୋକଙ୍କ ପାଖରେ ରହିଥିବା ରିଜର୍ଭ ବ୍ୟାଙ୍କ କହିଛି।

ଏଥିସହିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ୨୦୦୦ ଟଙ୍କିଆ ନୋଟ୍‌ ଏବେ ବି ଅଚଳ ହୋଇନାହିଁ। ଏହା ଆଇନତଃ ବୈଧ ରହିଛି। ଲୋକମାନେ ଏହି ନୋଟ୍‌କୁ ଦେ‌ଶରେ ଥିବା ୧୯ଟି ରିଜର୍ଭ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ଜମା କିମ୍ବା ବଦଳ କରିପାରିବେ। ଏଥିସହିତ ଯେକୌଣସି ଡାକଘର ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ପାଇଁ ଏହି ନୋଟ୍‌ ନିର୍ଦ୍ଧାରିତ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୦ ଟଙ୍କିଆ ନୋଟ୍‌ ରଖିଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ପ୍ରଥମେ ସେପ୍ଟେମ୍ବର ୩୦ ସୁଦ୍ଧା ତାହାକୁ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କିମ୍ବା ବଦଳ କରିବା ସୁଯୋଗ ଦିଆଯାଇଥିଲା। ତାହାପରେ ସେହି ସମୟ ସୀମା ‌ଅକ୍ଟୋବର ୭ ତାରିଖକୁ ବଢ଼ାଯାଇଥିଲା। ଏହାପରେ ଅକ୍ଟୋବର ୮ ତାରିଖରୁ ଦେଶର ୧୯ଟି ରିଜର୍ଭ ବ୍ୟାଙ୍କ ଶାଖାରେ ଉକ୍ତ ନୋଟ୍‌ ଜମା କରିବା କିମ୍ବା ବଦଳ କରିବାକୁ ଅନୁମତି ଦିଆଯାଇଥିଲା। ତେଣୁ ଏବେ ଏହି ନୋଟ୍‌ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।

ଦେଶର ଯେଉଁ ୧୯ଟି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ଉକ୍ତ ନୋଟ୍‌ ଜମା କିମ୍ବା ବଦଳ ସୁବିଧା ଯୋଗାଇ ଦିଆଯାଉଛି ସେଗୁଡ଼ିକ ହେଲା ଅହମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡୀଗଡ଼, ଚେନ୍ନାଇ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ତିରୁଅନନ୍ତପୁରମ। ୨୦୧୬ ନଭେମ୍ବରରେ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରି ଦିଆଯାଇଥିଲା। ଏହା ବଦଳରେ ୨୦୦୦ ଟଙ୍କିଆ ନୋଟ୍‌ ବଜାରକୁ ଛଡ଼ାଯାଇଥିଲା। କିନ୍ତୁ ପରେ ଏହାର ଛପାକୁ ବନ୍ଦ କରି ଦିଆଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button