କ୍ରାଇମ

ଫେରାର୍ କଏଦୀ ପୁଣି ଧରାପଡ଼ିଲା – Utkal Mail


ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା କଏଦୀ ସଂଜୀବ କିଶାନକୁ ଛଅ ଦିନ ପରେ ଧନୁପାଲି ପୁଲିସ କାବୁ କରିଛି। ସଂଜୀବ ରାଜ୍ୟ ଛାଡ଼ି ଫେରାର ହୋଇଯିବା ଉଦ୍ଦେଶ୍ୟରେ ସିଟି ଷ୍ଟେସନ୍‌ ନିକଟରେ ଟ୍ରେନ୍‌କୁ ଅପେକ୍ଷା କରିଥିଲା। ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ପୁଲିସ ଟିମ୍‌ ସିଟି ଷ୍ଟେସନ୍‌ରେ ବୁଧବାର ରାତିରେ ଚଢ଼ଉ କରି ସଂଜୀବକୁ ଗିରଫ କରିଥିବା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। ନାବାଳିକା ଦୁଷ୍କର୍ମ ଅପରାଧରେ ଜେଲ୍‌ରେ ଅଟକ ବିଚାରାଧୀନ କଏଦୀ ସଂଜୀବ ଫେରାର ହେବା ପରେ ଜେଲ୍‌ ଅଧୀକ୍ଷକ ଅନିଲ ସାହୁ ଧନୁପାଲି ଥାନାରେ ଏତଲା ଦେଇଥିଲେ। ସଂଜୀବକୁ ଧରିବା ଲାଗି ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ଏସ୍‌ଆଇ ଟି.ବି. ଖଟୁଆ, ଏଏସ୍‌ଆଇ ଯୁଗଳ ସେଠ୍‌ଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଗୁରୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ତା’ ପାଖରୁ ପୁଲିସ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଡାଏରି ଜବତ କରିଛି।

ସୂଚନାଯୋଗ୍ୟ, ୩୦ ତାରିଖ ସନ୍ଧ୍ୟାରେ ସଂଜୀବ ଜେଲ୍‌ରୁ ଫେରାର୍‌ ହୋଇଯାଇଥିଲା। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ କାରାଗାରର ଚିଫ୍‌ ଵାର୍ଡର ପ୍ରମୋଦ ବୁଡ଼େକ ଏବଂ ଵାର୍ଡର୍‌ ସଞ୍ଜୟ ଡୁଙ୍ଗଡୁଙ୍ଗୁଙ୍କୁ ନିଲମ୍ବନ କରାଯାଇଥିଲା।

ଦୁଷ୍କର୍ମ ଦଣ୍ଡାଦେଶ କରିଥିଲା ଭୟଭୀତ
ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଉଲୁଣ୍ତାର ସଂଜୀବ ନାବାଳିକା ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଅଟକ ଥିଲା। ୩୦ ତାରିଖ ଅନ୍ୟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ କୋର୍ଟରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରାଯାଇଥିଲା। ଏହି ଖବର ଜାଣିବା ପରେ ସଂଜୀବ ଭୟଭୀତ ହୋଇଯାଇଥିଲା ଏବଂ ଫେରାର ହେବାକୁ ଯୋଜନା କରିଥିଲା। ସଂଜୀବ ରୋଷେଇ କାମରେ ସାହାଯ୍ୟ କରୁଥିବାରୁ ରୋଷେଇ ଘରର ପୂରା ଚିତ୍ର ତା’ ମୁଣ୍ଡରେ ଥିଲା। ୩୦ ତାରିଖ ସନ୍ଧ୍ୟାରେ କଏଦୀମାନେ ସେଲ୍‌ ଭିତରକୁ ପ୍ରବେଶ କରିବା ବେଳେ ସଂଜୀବ ଚତୁରତାର ସହ ଶୌଚାଳୟ ପାଖକୁ ଯାଇ ପାର୍ଟିସନ୍‌ ପାଚେରି ଡେଇଁ ରୋଷେଇ ଘରକୁ ଚାଲି ଯାଇଥିଲା। ସେଠାରେ ଥିବା ଏକ ଲୁହା ସିଡିରେ ଉପରକୁ ଚଢ଼ିଥିଲା। ସେଠାରୁ ବଡ଼ ପାଚେରିକୁ କୌଶଳକ୍ରମେ ଚଢ଼ିବାରେ ସଫଳ ହୋଇ ଫେରାର ହୋଇଯାଇଥିଲା। ଫେରାର ହେବା ପରେ ସେ ରାଜ୍ୟ ବାହାରକୁ ଚାଲିଯାଇଥିଲା। ତେବେ, ତା ପାଖରେ ଥିବା ଟଙ୍କା ସରିଯିବାରୁ ଗାଁକୁ ଫେରି ଆସିଥିଲା ଏବଂ ଟଙ୍କା ଯୋଗାଡ଼ କରି ପୁଣିଥରେ ପଳାଇଯିବାକୁ ଉଦ୍ୟମ କରୁଥିବା ସମୟରେ ଧରାପଡ଼ିଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button