କ୍ରାଇମ

ବିଜେପିକୁ ଭୋଟ୍‌ ଦେବା ମୁସଲମାନ ମହିଳାଙ୍କୁ ମହଙ୍ଗା ପଡ଼ିଲା; ମାଡ଼ ମାରିଲେ ସମ୍ପର୍କୀୟ – Utkal Mail


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିହୋରରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭୋଟ୍‌ ଦେଇଥିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ମୁସଲମାନ ମହିଳାଙ୍କୁ ତାଙ୍କ ଭିଣୋଇ ମାଡ଼ ମାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ଦଳର ବିଜୟ ଉତ୍ସବ ପାଳନ କରିବା ପରେ ସଂପୃକ୍ତା ମହିଳାଙ୍କ ପରିବାର ମଧ୍ୟ ତାଙ୍କ ଉପରେ କ୍ଷୁବ୍ଧ ହୋଇ ପଡ଼ିଥିଲେ।

ସଂପୃକ୍ତା ମହିଳା ସମିନା ବିଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ଡିସେମ୍ବର ୪ ତାରିଖରେ ସିହୋରର ଅହମ୍ମଦପୁର ଅଞ୍ଚଳରେ ସେ ରାଜ୍ୟରେ ବିଜେପିର ବିପୁଳ ବିଜୟରେ ଉଲ୍ଲସିତ ହୋଇ ଉତ୍ସବ ପାଳନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ସମିନାଙ୍କ ଭିଣୋଇ ଜାଭେଦ ତାଙ୍କୁ ବାଡ଼ିରେ ମାଡ଼ ମାରିବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ତାଙ୍କ ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା। ବିଜେପିକୁ ସମର୍ଥନ ଜାରି ରଖିଲେ ସମିନା ଭୟାବହ ପରିଣାମ ଭୋଗିବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ।

ଏ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ପାଇବା ପରେ ସିହୋର ପୁଲିସ ଦଫା ୨୯୪ (ସର୍ବସାଧାରଣରେ ଅଶ୍ଳୀଳ ଶବ୍ଦ ବ୍ୟବହାର ସମ୍ବନ୍ଧୀୟ), ଧାରା ୩୨୩, (କୌଣସି ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା ସମ୍ବନ୍ଧୀୟ), ଧାରା ୫୦୬ (ଅପରାଧିକ ଧମକ ଦେବା ସମ୍ବନ୍ଧୀୟ) ଏବଂ ଧାରା ୩୪ (ସାଧାରଣ ଉଦ୍ଦେଶ୍ୟ ପୂରଣ ପାଇଁ ଅନେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଅପରାଧିକ କାର୍ଯ୍ୟ ସମ୍ବନ୍ଧୀୟ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଏହି ଘଟଣା ସମ୍ପର୍କରେ ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ‘ଆମେ ଜଣେ ମହିଳାଙ୍କ ଠାରୁ ଅଭିଯୋଗ ପାଇଥିଲୁ ଯେ ତାଙ୍କ ଭିଣୋଇ ତାଙ୍କୁ ମାଡ଼ ମାରିଛନ୍ତି। ଆମେ ଭାରତୀୟ ଦଣ୍ଡ ବିଧି (ଆଇପିସି)ର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛୁ ଏବଂ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ।’

ଶୁକ୍ରବାର, ଡିସେମ୍ବର ୮ ତାରିଖରେ ସମିନା ସିହୋର ଜିଲ୍ଲାପାଳ ପ୍ରବୀଣ ସିଂହ ଆଧାୟଚଙ୍କୁ ଭେଟି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜିଲ୍ଲାପାଳଙ୍କୁ ଭେଟିବା ପରେ ସମିନା ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ବିଜେପିକୁ ଭୋଟ୍‌ ଦେଇଥିବାରୁ ସେ (ଜାଭେଦ ଖାନ୍‌) ରାଗି ଯାଇ ମୋତେ ମାଡ଼ ମାରିଥିଲେ। ତାଙ୍କ ମାଡ଼ରେ ମୁଁ ଆହତ ହୋଇଥିଲି। ଆଜି ଡିଏମ୍‌ ଏହି ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।’




Related Articles

Leave a Reply

Your email address will not be published. Required fields are marked *

Back to top button