ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି : ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ
ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି : ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା । ସେଠାରେ ସଂକ୍ରମଣ ସ୍ଥିତି ବିଗିଡିବା କାରଣରୁ ମୃତ୍ୟୁସଂଖ୍ୟା ଅନିୟନ୍ତ୍ରିତ ହୋଇପଡିଛି । ଚୀନ ସମେତ ଆମେରିକା, ଜାପାନ, ବ୍ରାଜିଲ ଓ ବିଶ୍ବର ଅନେକ ଦେଶରେ ହଠାତ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଗୁଆ ସତର୍କ ହୋଇଛି ଭାରତ । ଯଦିଓ ଏବେ ଦେଶରେ ସଂକ୍ରମଣ କମ୍ ରହିଛି ହେଲେ ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସମସ୍ତ ରାଜ୍ୟକୁ କୋରୋନା ସଂକ୍ରମିତଙ୍କ ଜିନୋମ ସିକ୍ବେନ୍ସିଂ ବଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି) ଜରିଆରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ସମସ୍ତ କୋରୋନା ସଂକ୍ରମିତଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠିରେ ଜଣାଇଛନ୍ତି । ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ,”ଯଦି କୋରୋନାର ନୂତନ ଭାରିଆଣ୍ଟ ଗୁଡିକ ଠିକ୍ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା କରିବାରେ ସୁବିଧା ହେବ । ଏଥିପାଇଁ ଜିନୋମ୍ ସିକ୍ବେନ୍ସିଂ ବୃଦ୍ଧି ହେବା ଆବଶ୍ୟକ ।
ଭାରତ ୫ ସୂତ୍ରୀ ନୀତି ନମୁନା ପରୀକ୍ଷା, ସଂକ୍ରମିତଙ୍କ ଉପରେ ନଜର, ଚିକିତ୍ସା, ଟୀକାକରଣ ଓ କୋଭିଡର ଉପଯୁକ୍ତ ବ୍ୟବହାର ଉପରେ ଫୋକସ କରି ସଂକ୍ରମଣ ହ୍ରାସ କରିବାରେ ସକ୍ଷମ ହୋଇଛି । ଆଇଏନ୍ଏସ୍ଏସିଓଜି ମାଧ୍ୟମରେ କୋରୋନାର ଭାରିଆଣ୍ଟ ଟ୍ରାକ କରିବାକୁ ପ୍ରତ୍ୟେକ ରାଜ୍ୟ ପ୍ରତିଦିନ ଯଥାସମ୍ଭବ ସମସ୍ତ ସଂକ୍ରମିତଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇବା ଆବଶ୍ୟକ ।