ଦେଶ ବିଦେଶ

ୟୁକ୍ରେନରେ ୪୦୦ ଡ୍ରୋନ୍‌ ଓ ୪୬ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼: ବୈଶ୍ବିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କଲେ ଜେଲେନସ୍କି

କିବ୍‌: ରୁଷ୍‌ ଶୁକ୍ରବାର ‌ୟୁକ୍ରେନରେ ଭୟଙ୍କର ଆକ୍ରମଣ କରିଛି। ୟୁକ୍ରେନ କିଛିଦିନ ତଳେ ରୁଷ୍‌ରେ ଅତି ସାଂଘାତିକ ଡ୍ରୋନ୍‌ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ  ତା’ର ଜବାବ ଦେଇ ରୁଷ୍‌ ଶୁକ୍ରବାର ୟୁକ୍ରେନ ରାଜଧାନୀ କିବ୍‌ ସମେତ ବିଭିନ୍ନ ସ୍ଥାନରେ  ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ବର୍ଷା କରିଛି।  ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତି ଜାରି କରି କହିଛି ଯେ ମଧ୍ୟରାତ୍ରି ପରେ ରୁଷ୍‌ ପ୍ରାୟ ୫ ଘଣ୍ଟା‌ ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍‌ କରି ୪୦୭ଟି ଡ୍ରୋନ୍‌  ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ୪୦ଟି ‌କ୍ରୁଜ୍‌ ମିସାଇଲ୍‌ ଏବଂ ୬ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଅନେକ ସରକାରୀ ପ୍ରତିଷ୍ଠାନ ଓ ଆବାସିକ କୋଠା ମାଟିରେ ମିଶିଯାଇଛି।

ଉଲ୍ଲେଖଯୋଗ୍ୟ,  ଗତ ସପ୍ତାହାନ୍ତରେ ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳରେ ୟୁକ୍ରେନ ଶତାଧିକ ଡ୍ରୋନ୍‌  ଦ୍ବାରା ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନ   ଧ୍ବସ୍ତ କରିଥିଲା। ଅପରେସନ୍‌ ସ୍ପାଇଡରୱେବ୍‌ ଅଧୀନରେ ହୋଇଥିବା ଏହି ଆକ୍ରମଣ ରୁଷ୍‌ ବାୟୁସେନାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା।  ଏହାର ପ୍ରତିଶୋଧ ନେବାପାଇଁ ରୁଷ୍‌ ଏବେ ୟୁକ୍ରେନ ଉପରେ  ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏହି ଘଟଣାରେ ବୈଶ୍ବିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।  ୟୁକ୍ରେନ ବିଦେଶ ମନ୍ତ୍ରୀ ଆଣ୍ଡ୍ରି ସିବିଗା ଏକ ବିବୃତି ଜାରି କରି କହିଛନ୍ତି, ରୁଷ୍‌ ସାଧାରଣ ଜନବସତି ଅଞ୍ଚଳ ଉପରେ ଯେଭଳି ସାରା ରାତି ଆକ୍ରମଣ କରିଛି ତାହା ଦର୍ଶାଉଛି ଯେ ରୁଷ୍‌ ଉପରେ ଯଥାସମ୍ଭବ ଅନ୍ତର୍ଜାତୀୟ ଚାପ ବଢ଼ିବା ଉଚିତ।  ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ବହୁ ସଂଖ୍ୟାରେ ‌ଲୋକେ ଆହତ ହୋଇଥିବା କିବ୍‌ ମେୟର କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button