କ୍ରୀଡା

ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି – Utkal Mail


ଲାଉଡରହିଲ୍‌ (ଫ୍ଲୋରିଡା): ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହେବା ପରେ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତିବା ସହ ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ତଥାପି ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଭାରତ ପାଇଁ କର ବା ମର ସଦୃଶ ହୋଇଛି। ଶୃଙ୍ଖଳାକୁ ଜିତିବାକୁ ହେଲେ ଚତୁର୍ଥ ମ୍ୟାଚ୍‌ ପ୍ରଥମେ ହାତେଇବା ଜରୁରୀ ହୋଇପଡ଼ିଛି। ସଂପୂର୍ଣ୍ଣ ନୂଆ ପରିବେଶରେ ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି। ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍‌ରେ ୨୦୧୦ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପୁରୁଷ ଓ ମହିଳା ବର୍ଗରେ ମୋଟ ୧୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଏଠାରେ ଆୟୋଜିତ ହୋଇଛି। ସେଥିମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏହି ଷ୍ଟାଡିୟମ୍‌ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବି‌ଜୟୀ ହୋଇଛି। ଏହି ଷ୍ଟାଡିୟମ୍‌ରେ ସର୍ବାଧିକ ସ୍କୋର ୨୪୫/୬ ୱେଷ୍ଟଇଣ୍ଡିଜ୍‌ ନାମରେ ରହିଛି। ୨୦୧୬ରେ ଭାରତ ବିପକ୍ଷରେ ଏହି ସ୍କୋର ହୋଇଥିଲା। ସର୍ ବୋଚ୍ଚ ରନ୍‌ କେଏଲ୍‌ ରାହୁଲ (୧୧୦* ରନ୍‌, ୫୧ ବଲ୍‌) ଙ୍କ ନାମରେ ଥିଲା ବେ‌ଳେ ସୁନୀଲ ନାରାୟଣ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ (୪/୧୨) ଦେଇଛନ୍ତି।

ଶନିବାରର ଚତୁର୍ଥ ମ୍ୟାଚ୍‌ ପାଇଁ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଅଧିକ ନଜର ରହିବ। ଦଳର ଚତୁର୍ଥ ସ୍ଥାନ ପାଇଁ ତିଳକ ବଡ଼ ଦାବିଦାର ସାବ୍ୟସ୍ତ ହୋଇଛନ୍ତି। ମାତ୍ର ତିନିଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଅଭିଜ୍ଞତା ରଖିଥିଲେ ବି ତାଙ୍କ ଖେଳିବା ଶୈଳୀରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଏପରିକି ଭାରତର ଦିନିକିଆ ଦଳ‌ର ଶୀର୍ଷ ୬ଜଣଙ୍କ ମଧ୍ୟରେ ଜଣେ ହେଲେ ବି ବାମହାତୀ ବ୍ୟାଟର ନାହାନ୍ତି। ତେଣୁ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ତିଳକ ବଡ଼ ବିକଳ୍ପ। ଚତୁର୍ଥ ସ୍ଥାନ ପାଇଁ ତାଙ୍କୁ ଗଢିବାକୁ ଏହି ଶୃଙ୍ଖଳା ବଡ଼ ଭୂମିକା ନେବ। ତଥାପି ଟ୍ବେଣ୍ଟି-୨୦ର ସଫଳତାକୁ ଦିନିକିଆ ଦଳର ମାନଦଣ୍ଡ ଭାବେ ନିଆଯାଇନପାରେ। ସୂର୍ଯ୍ୟକୁମାର ଯାଦବ ଏହାର ବଡ଼ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି। ଟ୍ବେଣ୍ଟି-୨୦ରେ ଚମତ୍କାର ଖେଳୁଥିଲେ ବି ଦିନିକିଆରେ ସେହି ଲୟ ବଜାୟ ରଖିପାରୁନାହାନ୍ତି। ଆସନ୍ତା ଦୁଇ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ବିଶ୍ବକପ୍‌ ଦଳରେ ତିଳକ ଓ ସୂର୍ଯ୍ୟକୁମାର ସ୍ଥାନ ପାଇବା ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ୍‌, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ: କାଇଲ୍‌ ମେୟର୍ସ, ବ୍ରାଣ୍ଡନ କିଙ୍ଗ୍‌, ଜନସନ୍‌ ଚାର୍ଲ୍ସ, ନିକୋଲାସ ପୂରନ, ରୋଭମାନ ପାୱେଲ (ଅଧିନାୟକ), ସିମ୍ରନ ହେଟମାୟର, ଜାସନ୍‌ ହେଲ୍ଡର/ରସ୍ତନ୍‌ ଚେଜ୍, ରୋମାରିଓ ସେଫର୍ଡ, ଅକିଲ୍‌ ହୋସେନ୍‌, ଅଲଜାରି ଜୋସେଫ, ଓବେଦ୍‌ ମ୍ୟାକଏ।




Related Articles

Leave a Reply

Your email address will not be published. Required fields are marked *

Back to top button