ନୀତି

ଲକ୍ଷ୍ନୌର ପ୍ରସିଦ୍ଧ ସୁନା ମିଠା : ୧୦୦ଟି ମିଠା ବିଶିଷ୍ଟ ବାକ୍ସର ମୂଲ୍ୟ ୫୦ ହଜାର – Utkal Mail


ଲକ୍ଷ୍ନୌ: ପାର୍ବଣ ଋତୁର ଅବ୍ୟବହିତ ପୂର୍ବରୁ ଉତ୍ତରପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌ ସହରର ଏକ ପ୍ରସିଦ୍ଧ ମିଠା ଦୋକାନରେ ଏପରି ଏକ ମିଠା ବିକ୍ରି ଆରମ୍ଭ ହୋଇଛି ଯାହା ଏହି ନବାବୀ ସହରର ସମ୍ଭ୍ରାନ୍ତ ସଂକେତରେ ପରିଣତ ହେବାରେ ଲାଗିଛି। ବିଶ୍ବର ସର୍ବୋତ୍କୃଷ୍ଟ ବାଦାମ ଓ ଶୁଷ୍କ ଫଳରେ ନିର୍ମିତ ତଥା ୨୪ କ୍ୟାରେଟ୍‌ ସୁନାରେ ସଜ୍ଜିତ ‘ଏକ୍ସୋଟିକା’ ନାମକ ଏହି ମିଠା ନିଜ ନାମର ସାର୍ଥକତା ପ୍ରତିପାଦନ କରୁଛି। ଲକ୍ଷ୍ନୌର ‘ଛପନ ଭୋଗ’ ନାମକ ମିଠା ଦୋକାନ ୨୦୦୯ ମସିହାରୁ ଏହି ସ୍ବତନ୍ତ୍ର ମିଠା ପ୍ରସ୍ତୁତ କରି ଆସୁଛି। ଏହାର ମାଲିକ ରବୀନ୍ଦ୍ର କୁମାରଙ୍କ କହିବାନୁସାରେ, ପ୍ରାୟ ଦେଢ଼ ଦଶନ୍ଧି ତଳେ ଜଣେ ଗ୍ରାହକଙ୍କ ଅନୁରୋଧ କ୍ରମେ ସେ ପ୍ରଥମେ ଏଭଳି ଏକ ସୁନାପାତଦିଆ ମିଠା ପ୍ରସ୍ତୁତ କରିଥିଲେ।

ତେବେ ତାହାର ଚାହିଦା ଓ ଲୋକପ୍ରିୟତା ତାଙ୍କୁ ଉତ୍ସାହିତ କରିବା ସହ ସେ ଆଉ ପଛକୁ ଫେରିନାହାନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା ନାମୀଦାମୀ ବାଦାମ ସମେତ ଅନ୍ୟାନ୍ୟ ସାମଗ୍ରୀରୁ ଏହା ପ୍ରସ୍ତୁତ। ସେ ମଧ୍ୟରେ ହିମାଚଳ ପ୍ରଦେଶର କିନ୍ନୌରରେ ମିଳୁଥିବା ପାଇନ ବାଦାମ, ଇରାନର ମାମରା ବାଦାମ, ଆଫଗାନିସ୍ତାନର ପିସ୍ତା ବାଦାମ, ଦକ୍ଷିଣ ଆଫ୍ରିକାର ମାକାଡାମିଆ, ତୁର୍କୀର ହେଜେଲ୍‌ନଟ୍‌ ଓ କାଶ୍ମୀର କେଶର ଆଦି ରହିଛି।

ମିଠା ପ୍ରସ୍ତୁତ ହୋଇଗଲା ପରେ ୧୦ ଗ୍ରାମ ଓଜନ ବିଶିଷ୍ଟ ପ୍ରତି ମିଠାଖଣ୍ଡକୁ ୨୪ କ୍ୟାରେଟ ସୁନାପାତରେ ସଜ୍ଜିତ କରାଯାଇଥାଏ। ଏପରି ଚାରିଖଣ୍ଡ ମିଠାର ମୂଲ୍ୟ ୨ ହଜାର ଟଙ୍କାରୁ ଆରମ୍ଭ କରି ୧୦୦ ଖଣ୍ଡ ମିଠା ବିଶିଷ୍ଟ ଏକ ବାକ୍ସର ମୂଲ୍ୟ ୫୦ ହଜାର ଟଙ୍କା ଯାଏ ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button