ରାଜନୀତି

ରାଜ୍ୟସଭା ରେସ୍‌, ମୁହଁ ଖୋଲିଲେ ମ‌ନମୋହନ: ଚର୍ଚ୍ଚାକୁ ଟାଳିଲେ, ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ

କୋରାପୁଟ: ରାଜ୍ୟସଭା ରେସ୍‌ରେ ମୁଁ ନାହିଁ। ଅଯଥା ଚର୍ଚ୍ଚା କରୁଛି ଗଣମାଧ୍ୟମ। ରାଜ୍ୟସଭାକୁ କିଏ ଯିବ ସେ ସମ୍ପର୍କରେ ଦିଲ୍ଲୀରେ ବସିବାକୁ ଥିବା ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହେବ। ଏପରି କହି ରାଜ୍ୟସଭା ରେସ୍ ଚର୍ଚ୍ଚାକୁ ଟାଳି ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍। ଦିନିକିଆ କୋରାପୁଟ ଗସ୍ତରେ ଆସି ମ‌ନମୋହନ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ସମୀକ୍ଷା କରିଛନ୍ତି।

୫ ନିର୍ବାଚନ ମଣ୍ଡଳୀର ସ୍ଥିତି ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଦଳକୁ ଅଧିକ ସଂଗଠିତ କରିବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀରୁ କୋରାପୁଟ, କୋଟପାଡ଼ ଆସନରେ ବିଜେପି ବିଜୟୀ ହୋଇଛି। ଅନ୍ୟ ୩ ଆସନ ଲକ୍ଷ୍ମୀପୁର, ଜୟପୁର, ପଟାଙ୍ଗିରେ ଦଳୀୟ ପ୍ରାର୍ଥୀ ହାରିଥିବାରୁ ପରାଜୟ ପଛର କାରଣ ଖୋଜିବା ସହ ସଂଗଠନ ସଜାଡ଼ିବାକୁ ଦଳର ବରିଷ୍ଠ ନେତାଙ୍କ ସହ ମନମୋହନ ଆଲୋଚନା କରିଥିଲେ। କାର୍ଯ୍ୟକର୍ତ୍ତା ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମ‌ନମୋହନ ବିଜେପିକୁ ଏକାକୀ ସରକାରରେ ଆଣିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋରାପୁଟ ଜ଼ିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ କୃଷି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ସହ ମାଲକାନଗିରି-ନବରଙ୍ଗପୁର-ଜୟପୁର ରେଳପଥ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ। କୋଟିଆ ମାମଲା କୋର୍ଟରେ ବିଚାରାଧୀନ ରହିଛି। କୋଟିଆ ଓଡ଼ିଶାର। ଓଡ଼ିଶାରେ ହିଁ ରହିବ। କୋଟିଆ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ନିର୍ବାଚନୀ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ପୂରଣ କରିବ। ନିର୍ବାଚନ ଜିଣିବାର ୪ ଦିନ ପରେ ଚାରି ଦୁଆର ଖୋଲିଲା। ଧାନର ସହାୟକ ମୂଲ୍ୟ ବୃଦ୍ଧି ସହ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ଆଗାମୀ ୫ ବର୍ଷରେ କୋରାପୁଟ ଜ଼ିଲ୍ଲାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି, କୋରାପୁଟ ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝୀ, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ବିଜେପି ମହିଳା ନେତ୍ରୀ ପୂର୍ଣ୍ଣିମା ନାଏକ, ବିଜୟ ମିଶ୍ର, କୈଳାସ କୁଲେସିକା, ପୂର୍ବତନ ଜିଲ୍ଲା ସଭାପତି ଜୟରାମ ଗରଡ଼ା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Dailyhunt

Related Articles

Leave a Reply

Your email address will not be published. Required fields are marked *

Back to top button