କୋରି ଖାଇଗଲେ ମହାପ୍ରଭୁଙ୍କ ଖଣି ଖାଦାନ, ମନ୍ତ୍ରୀ କହିଲେ ଦୋଷୀଙ୍କୁ ଦିଆଯିବ କଡା ଦଣ୍ଡ

-
- କୋରି ଖାଇଗଲେ ମହାପ୍ରଭୁଙ୍କ ଖଣି ଖାଦାନ
-
- ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
-
- ରୟାଲ୍ଟି ଓ ପେନାଲ୍ଟି ନଦେଲେ ରଦ୍ଦ ହେବ ଚୁକ୍ତି
-
- ଆଇନ ମନ୍ତ୍ରୀ କହିଲେ ଦୋଷୀଙ୍କୁ ଦିଆଯିବ କଡା ଦଣ୍ଡ
ମହାପ୍ରଭୁଙ୍କ ଖଣି ଖାଦାନ ଉପରେ ମାଫିଆ ରାଜ୍ । ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ ଖଣି ଲିଜଧାରୀଙ୍କୁ ନୋଟିସ୍ । ସେଥିମଧ୍ୟରେ ୧୭ ନିର୍ମାଣ ପଥର ଖଣି ଏବଂ ୨ଟି ମାଙ୍କଡ଼ା ପଥର ଖଣି । ଲଘୁ ଖଣିଜ ଆଇନ-୨୦୧୬ ଆଧାରରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ପେନାଲ୍ଟି ଓ ରୟାଲିଟିରେ ବାରମ୍ବାର ଖିଲାପ ଯୋଗୁଁ ଏହି ନୋଟିସ ଦିଆଯାଇଛି । ୭ ଦିନ ଭିତରେ ଦେୟ ଜମା କରିବା ସହ ଖଣି ରଦ୍ଦ ପାଇଁ ଲିଖିତ କୈଫିୟତ ଦେବାକୁ ଉଲ୍ଲେଖ କରାଯାଇଛି । ସେପଟେ ଖଣି ଲୁଟ୍କୁ ନେଇ ତାତିଛନ୍ତି ଜଗନ୍ନାଥ ପ୍ରେମୀ । ଆଉ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବଂ ଚୋରି ରୋକିବାକୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ୍ ।
ଅନ୍ୟପଟେ କାଇପଦର ନୂଆ ପଥର ଖଣି ଲିଜଧାରୀ ଦେବେନ୍ଦ୍ର ଜେନା ନୋଟିସର ପୁନଃ ବିଚାର ପାଇଁ ଆବେଦନ କରିଛନ୍ତି । ୩୦ ହଜାର ମିନିମମ ଗ୍ୟାରେଣ୍ଟଡ କ୍ବାଣ୍ଟିଟି-MGQ ଉତ୍ତୋଳନ ପାଇଁ ଅନୁମତି ପାଇଥିଲେ ଦେବେନ୍ଦ୍ର । ହେଲେ ସେ ୧ ଲକ୍ଷ ୨୨ ହଜାର ୮୫୭ MGQ ଉତ୍ତୋଳନ କରିଛନ୍ତି ବୋଲି ନୋଟିସ କରାଯିବା ସହ ୧ କୋଟି ୮୪ ଲକ୍ଷ ୧୨ ହଜାର ୨୧୬ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି । ମାତ୍ର ଏହି ସର୍ଭେ ସଠିକ୍ ନୁହେଁ ବୋଲି କହିଛନ୍ତି ଦେବେନ୍ଦ୍ର । ମହାପ୍ରଭୁଙ୍କ ପ୍ରାୟ ୫୮ ହଜାର ଏକର ସମ୍ପତ୍ତିରୁ ୩୬ ହଜାର ଏକରର କାଗଜପତ୍ର ରହିଛି ଏବଂ ଜବରଦଖଲକାରୀଙ୍କ କବଜାରେ ଥିବା ବାକି ସମ୍ପତ୍ତିର ମଧ୍ୟ ହିସାବ ନିଆଯିବ ବୋଲି କହିଛନ୍ତି ସରକାର । ଏବଂ ଖିଲାପକାରୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ମୋହନ ସରକାରରେ ମାଫିଆଙ୍କ ଉପରେ ବଡ ପ୍ରହାର ହୋଇଥିବା ବେଳେ ୨୪ ବର୍ଷ ଧରି ରାଜ୍ କରୁଥିବା ବେପାରୀଙ୍କ ଛାତି ଧଡ଼ ଧଡ ହେଉଛି। ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଓ ଖଣିଜ ସମ୍ପତ୍ତିର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର