କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇ ନେଲା ପୁଲିସ

କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇ ନେଲା ପୁଲିସ। ଛତିଶଗଡ଼ର ବଲୌଦାବଜାର ସହରରେ ସତନାମି ସମ୍ପ୍ରଦାୟର ଆନ୍ଦୋଳନ ସମୟରେ ଜୁନ୍ ୧୦ରେ ହୋଇଥିବା ହିଂସା ମାମଲାରେ ଶନିବାର କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କୁ ପୁଲିସ ଗିରଫ କରିଛି। ଦୁର୍ଗ ଜିଲ୍ଲା ସ୍ଥିତ ତାଙ୍କ ବାସଭବନରୁ ପୁଲିସ ତାଙ୍କୁ ଉଠାଇ ଆଣିଛି।
କଂଗ୍ରେସ ବିଧାୟକ ଗିରଫ ହେବା ଖବର ମିଳିବା ପରେ ଅନେକ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି।
ଦୁର୍ଗର ଭିଲାଇ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନ ବାହାରେ ଏକାଠି ହୋଇ ସମର୍ଥକମାନେ ନାରାବାଜି କରିଛନ୍ତି। ବିଜେପି ସରକାର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଫସାଇ ଥିବା ନେଇ ଯାଦବ ଅଭିଯୋଗ ଆଣିଛନ୍ତି।
ପୁଲିସ ଅଧିକ୍ଷକ ବିଜୟ ଅଗ୍ରଓ୍ୱାଲଙ୍କ କହିବା ମୁତାବକ, ବାଲୌଦାବଜାର ଅଗ୍ନିକାଣ୍ଡ ଘଟଣାରେ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଦେବେନ୍ଦ୍ର ଯାଦବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏଠାରୁ କୋର୍ଟ ତାଙ୍କୁ ଅଗଷ୍ଟ ୨୦ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।
ସୂଚନା ମୁତାବକ, ପୁଲିସ ଯାଦବଙ୍କ ବୟାନ ରେକର୍ଡ କରିବା ପାଇଁ ତିନି ଥର ସମନ ପଠାଇଥିଲା। କିନ୍ତୁ ସେ ସହଯୋଗ କରି ନଥିଲେ। ଏହା ପରେ ପୁଲିସ ଆକ୍ସନ ନେଇ ତାଙ୍କୁ ଗିରଫ କରିଛି। ସେପଟେ କଂଗ୍ରେସ ବିଧାୟକଙ୍କ ଗିରଫଦାରୀକୁ ବିରୋଧ କରି ଶହ ଶହ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମେ’ ୧୫ ଓ ୧୬ ରାତିରେ ଗିରୌପୁର ଧାମରେ ଅମର ଗୁମ୍ପା ନିକଟରେ ଥିବା ସତନାମି ସମ୍ପ୍ରଦାୟ ଦ୍ୱାରା ପୂଜା କରାଯାଉଥିବା ବିଜୟ ସ୍ତମ୍ଭକୁ ଅଜ୍ଞାତ ଲୋକେ ଭାଙ୍ଗି ଦେଇଥିଲେ। ଜୁନ୍ ୧୦ ତାରିଖରେ ବଲୌଦାବଜାର ସହରରେ ସତନାମିଙ୍କ ଦ୍ୱାରା ବିଜୟ ସ୍ତମ୍ଭକୁ ଭଙ୍ଗାରୁଜା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସାମିଲ ବିକ୍ଷୋଭକାରୀମାନେ ଏକ ସରକାରୀ କାର୍ଯ୍ୟାଳୟ ଏବଂ ୧୫୦ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ସତନାମିଙ୍କ ଦ୍ୱାରା ଆୟୋଜିତ ଏହି ବିକ୍ଷୋଭର ଏକ ସାଧାରଣ ସଭାରେ ଯାଦବଙ୍କ ସମେତ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ।