କ୍ରୀଡା

ଅଷ୍ଟ୍ରେଲିଆକୁ ଧକ୍କା: ୱାର୍ଣ୍ଣର ଶେଷ ଦୁଇଟି ଟେଷ୍ଟରୁ ବାଦ୍

ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଅଷ୍ଟ୍ରେଲିଆ ଦଳକୁ ଆଉ ଏକ ଝଟକା ଲାଗିଛି । କହୁଣୀରେ ଆଘାତ ଯୋଗୁଁ ଓପନର ଡେଭିଡ ୱାର୍ଣ୍ଣର ସିରିଜର ଶେଷ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି ।

ଚିକିତ୍ସା ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଫେରିବେ। ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ସେ ଦଳ ସହ ଯୋଗଦେବେ ବୋଲି ଆଶା କରାଯାଉଛି।

ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ମହମ୍ମଦ ସିରାଜଙ୍କ ବଲରେ ୱାର୍ଣ୍ଣରଙ୍କ ବାମ କହୁଣିରେ ଆଘାତ ଲାଗିଥିଲା । ଏହାର ଦୁଇ ଓଭର ପରେ ତାଙ୍କ ହେଲମେଟରେ ମଧ୍ୟ ବଲ୍ ବାଜିଥିଲା। ଏଥିଯୋଗୁଁ ୱାର୍ଣ୍ଣର ମ୍ୟାଚରେ ଆଉ ଖେଳିନଥିଲେ । ‘କନକସନ’ନିୟମ ଅନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ ରେନ୍ସାଙ୍କ ଖେଳିଥିଲେ | ଏବେ ୱାର୍ଣ୍ଣରଙ୍କ କହୁଣି ଆଘାତ ଅଷ୍ଟ୍ରେଲିଆ ଦଳ ପାଇଁ ଚିନ୍ତାର କାରଣ ହୋଇଛି |

ଅଷ୍ଟ୍ରେଲୀୟ ଦଳ ୱାର୍ଣ୍ଣରଙ୍କ ବିକଳ୍ପ ଭାବେ କାହାକୁ ସାମିଲ କରିବା ସମ୍ଭାବନା କମ୍ | ତୃତୀୟ ଟେଷ୍ଟରେ ଖେଳିବାକୁ କ୍ୟାମେରନ୍ ଗ୍ରୀନ୍ ଫିଟ୍ ହୋଇଥିବା ବେଳେ ସେ ଓ୍ବାର୍ଣ୍ଣରଙ୍କ ସ୍ଥାନ ନେଇପାରନ୍ତି | ଆଘାତ ସମସ୍ୟା ଯୋଗୁଁ ଗ୍ରୀନ୍ ପ୍ରଥମ ଦୁଇଟି ଟେଷ୍ଟ ଖେଳିନଥିଲେ ।

ପୂର୍ବରୁ ଆହତ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ମଧ୍ୟ ଏହି ସିରିଜରୁ ବାଦ୍ ପଡ଼ିଥିଲେ। ସେ ମଧ୍ୟ ଘରକୁ ଫେରିବେ। ଦ୍ବିତୀୟ ଟେଷ୍ଟ ପରେ ପାରିବାରିକ କାରଣରୁ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ସ୍ବଦେଶ ଫେରିଛନ୍ତି। ତୃତୀୟ ଟେଷ୍ଟ ପୂର୍ବରୁ କମିନ୍ସ ଫେରିବେ ବୋଲି କୁହାଯାଇଛି।

ତୃତୀୟ ଟେଷ୍ଟରେ ଖେଳିବାକୁ ଭେଟେରାନ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଫିଟ୍ ଅଛନ୍ତି। ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଘରକୁ ଯାଇଥିବା ସ୍ପିନର ମିଚେଲ ସ୍ବେପସନ ମଧ୍ୟ ଫେରିବେ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button