ଓଡିଶା

ଗ୍ରାମବାସୀଙ୍କ ମନୋବଳ ଆଗରେ ସବୁ ସମ୍ଭବ, ଲକ୍ଷ ଲକ୍ଷ ଟଙ୍କା ନିଜେ ଖର୍ଚ୍ଚ କରି ରାସ୍ତା କଲେ

ତ୍ରପୁର, ୨୮/୦୮ : ଗ୍ରାମବାସୀଙ୍କ ସଙ୍ଗଠିତ ମନୋବଳ ଆଗରେ ଯେତେ କଷ୍ଟ କାମ ହେଲେ ମଧ୍ୟ ସମ୍ଭବପର ହୋଇପାରେ । ପ୍ରଶାସନକୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା । ଏଣୁ ଗ୍ରାମବାସୀ ନିଜ ଜୀବିକା ସୁବିଧା ଦୃଷ୍ଟିରୁ ଗାଁ କୋଠରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛନ୍ତି । ଏବେ ଉକ୍ତ ରାସ୍ତା ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିଛି ।

ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ନୋଳିଆ ସାହିରୁ ସମୁଦ୍ରକୁଳକୁ ରାସ୍ତା ନଥିଲା । ନୋଳିଆ ମତ୍ସ୍ୟଜୀବୀବହୁଳ ଏହି ଗାଁର ଲୋକେ ପ୍ରତିଦିନ ୧୦ରୁ ୧୫ ଟନ୍ ମାଛ ସମୁଦ୍ରରୁ ଧରୁଥିଲେ । ହେଲେ ତାହାର ପ୍ରକ୍ରିୟାକରଣ ପାଇଁ ସମୁଦ୍ରକୂଳରୁ ଗାଁକୁ ଆଣିବା ପାଇଁ ଭଲ ରାସ୍ତା ନଥିଲା।

ସମୁଦ୍ରକୂଳ ତଥା ଡଙ୍ଗା ରହୁଥିବା ସ୍ଥାନକୁ ଗାଡି ଯାଇ ପାରୁନଥିଲା । ମୁଣ୍ଡରେ ବୋଝ ଧରି ବାଲୁକା ରାସ୍ତାରେ ଏତେ ପରିମାଣର ମାଛ ଗାଁକୁ ଆଣିବା ବେଶ୍ କାଠିକର ହେଉଥିଲା । ଏଣୁ ମାଛ କିପରି ସୁବିଧାରେ ଗାଁକୁ ନେବେ, ତାହା ମତ୍ସ୍ୟଜୀବୀଙ୍କ ସମେତ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟୁଥିଲା । ନିକଟରେ ଏହି କଥା ନେଇ ଗାଁ ଲୋକଙ୍କ ମଧ୍ୟରେ ଜୋରଦାର ଆଲୋଚନା ହୋଇଥିଲା । ବୈଠକ ପରେ ବୈଠକ ହୋଇଥିଲା । ଗତବର୍ଷ ଗଞ୍ଜାମ ବିଡିଓଙ୍କୁ ରାସ୍ତା ନିର୍ମାଣ ପାଇଁ ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ, ହେଲେ ସୁଫଳ ମିଳିଲାନି । ଗ୍ରାମବାସୀ ସମୂହ ନିଷ୍ପତ୍ତି ନେଇ ଗାଁ କୋଠରୁ ୧୫ ଲକ୍ଷ ଟଙ୍କା ଉଠାଇ ରାସ୍ତା ନିର୍ମାଣ କଲେ । ବର୍ତ୍ତମାନ ସେହି ରାସ୍ତା ଗାଁରୁ ସମୁଦ୍ର କୂଳକୁ ଲମ୍ବିଛି । ଗାଡି ଯାଆସ କରୁଛି, ମାଛ ସିଧାସଳଖ ଡଙ୍ଗାରୁ ଓହ୍ଲାଇ ଗାଁକୁ ଅଣାଯାଉଛି। ସଫା କରି ବଜାରକୁ ପଠାଯାଉଛି ।

ସେହିପରି ଛତ୍ରପୁର ବ୍ଲକ୍ ଅଗସ୍ତିନୂଆଗାଁ ପଞ୍ଚାୟତର ନୋଳିଆନୂଆଗାଁରେ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା । ସେମାନେ ମଧ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଗାଁ କୋଠରୁ ଖର୍ଚ୍ଚ କରି ସମୁଦ୍ରତଟ ପର୍ଯ୍ୟନ୍ତ ରାସ୍ତା ତିଆରି କରିଛନ୍ତି । ଫଳରେ ସମୁଦ୍ରକୁ ମାଛ ଧରା ହେବା ପରେ ତାହାର ପରିବହନ ସୁବିଧାଜନକ ହୋଇପାରିଛି । ଏହି ଦୁଇ ଗ୍ରାମର ଅର୍ଥନୀତି ବିକଶିତ ହେବାସହ ଗ୍ରାମବାସୀଙ୍କ ଜୀବିକାରେ ସହାୟକ ହୋଇପାରୁଛି । ଅପରପକ୍ଷରେ ଗଞ୍ଜାମ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ସ୍ପଷ୍ଟ କରିଛନ୍ତି ଯେହେତୁ ଏହି ଅଞ୍ଚଳ ଜଙ୍ଗଲ ଜମି ଅନ୍ତର୍ଗତ ଅଟେ, ତେଣୁ ବ୍ଲକ୍ ପ୍ରଶାସନ ସେଠାରେ ରାସ୍ତା ନିର୍ମାଣ କରିପାରିବନି । ଗାଁ ଲୋକେ ନିଜ ସୁବିଧା ପାଇଁ ନିଜେ ରାସ୍ତା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button