କ୍ରୀଡା

ମହିଳା ପ୍ରିମିୟର ଲିଗ୍‌: ଆରସିବିର ଚତୁର୍ଥ ପରାଜୟ, ୱାରିୟର୍ଜ ବିଜୟ

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ୟୁପି ୱାରିୟର୍ଜର ଦମଦାର ବିଜୟ । ଆଲିସା ହିଲି ଓ ଦେବୀକା ବୈଦ୍ୟଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଚଳିତ ସିଜିନରେ ଦ୍ବିତୀୟ ବିଜୟ ହାସଲ କରିଛି ୱାରିୟର୍ଜ । ଫଳରେ ଚଳିତ ସିଜନରେ ଲଗାତାର ଚତୁର୍ଥ ଥର ପାଇଁ ପରାଜିତ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ବିନା କୌଣସି ୱିକେଟ ହରାଇ ଗତକାଲିର ଏହି ମ୍ୟାଚକୁ ନିଜ ସପକ୍ଷରେ କରିଥିଲା ୱାରିୟର୍ଜ ଟିମ ।

ବାରବର୍ଣ୍ଣ ଷ୍ଟାଡିୟମରେ ପ୍ରଥମ ଟସ ଜିତି ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ବାଙ୍ଗାଲୋର । ଏହାପରେ ୧୯ ଓଭର ଶେଷ ସୁଦ୍ଧା ଦଳ ସମସ୍ତ ଓ୍ବିକେଟ ହରାଇ ୧୩୮ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଏଲିସ ପେରୀ ୬ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ସୋଫି ଡିଭାଇନ ୩୬ ,ଏରିନ ଓ୍ବର୍ଣ୍ଣ ୧୨ ଓ ଶ୍ରୀୟଙ୍କା ପାଟିଲ ୧୫ ରନ କରିଥିଲେ । ଏହାପରେ ୧୩୯ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଓ୍ବାରିଅର୍ଜ । ଓପନିଂ ଯୋଡି ଭାବେ ଅଧିନାୟକ ଆଲିସା ହିଲି ଓ ଦେବିକା ବୈଦ୍ୟ ପଡିଆକୁ ଓହ୍ଲାଇ ଦମଦାର ପାଳି ଖେଳିଥିଲେ ।

ଆଲିସା ବିସ୍ଫୋରକ ବ୍ୟାଟିଂ କରି ୧୮ଟି ଚୌକା ଓ ଗୋଟିଏ ଛକା ବଳରେ ୯୬ ରନ କରିଥିବା ବେଳେ ଦେବିକା ୩୬ ରନ କରି ଅପରାଜିତ ରହିଥିଲେ । ଉଭୟଙ୍କ ଯୋଡି ୧୩ ଓଭର ବ୍ୟାଟିଂ କରି ଦଳକୁ ବିଜୟୀ କରିଥିଲେ । ବିନା କୌଣସି ଓ୍ବିକେଟରେ ୧୩୯ ରନରେ ତୃତୀୟ ମ୍ୟାଚ ଖେଳି ବିଜୟୀ ହୋଇଥିଲା ଓ୍ବାରିଅର୍ଜ । ଦଳ ପକ୍ଷରୁ ସୋଫି ଏକ୍ଲେଷ୍ଟୋଇନ ୪ଟି ଓ୍ବିକେଟ ଓ ଦୀପ୍ତି ଶର୍ମା ୩ଟି ଓ୍ବିକେଟ ନେଇଥିଲେ । ଅନ୍ୟପଟେ ଆରସିବିର ୭ ଜଣ ବୋଲର ବୋଲିଂ କରିଥିଲେ ସୁଦ୍ଧା କେହି ଜଣେ ହେଲେ ଗୋଟିଏବି ଓ୍ବିକେଟ ନେବାକୁ ସକ୍ଷମ ହୋଇପାରି ନଥିଲେ।

ଆର୍‌ସିବି ଚତୁର୍ଥ ଥର ପାଇଁ ପରାଜିତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ସେହିପରି ୱାରିୟର୍ଜ ଟିମ ଦ୍ବିତୀୟ ବିଜୟ ପରେ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଓ ଗୁଜୁରାଟ ୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button