ଓଡିଶା

ଆଜି ବ୍ରହ୍ମପୁର ମା’ ବୁଢି ଠାକୁରାଣୀଙ୍କ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ରେଶମ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପ୍ରକ୍ରିୟା ଶୁକ୍ରବାର ରାତିରୁ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଦେଶୀବେହେରା ସାହି ଓ ବୁଢି ଠାକୁରାଣୀ ମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରୁ ମଧ୍ୟ ରାତ୍ର ଅଢେଇଟା ମଧ୍ୟରେ ଶୁଭଖୁଣ୍ଟି ଠାକୁରାଣୀ ପୀଠରୁ ଅଣାଯାଇ ଯାତ୍ରା ସ୍ଥଳ ଦେଶୀବେହେରା ସାହିରେ ସ୍ଥାପନ କରାଯିବ। ଏହା ହେବ ଯାତ୍ରାରମ୍ଭ ପାଇଁ ଦେବୀଙ୍କ ଆଜ୍ଞାମାଳ ସଦୃଶ।

ଶୁଭଖୁଣ୍ଟି ସ୍ଥାପନ ଦୃଷ୍ଟିରୁ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ଧେଣ୍ଡୁରା ଦିଆଯିବ। ଅର୍ଥାତ୍ ପାରମ୍ପରିକ ଧେଣ୍ଡୁରା ବାଦ୍ୟ ବଜାଇ ଅଞ୍ଚଳବାସୀଙ୍କୁ ଯାତ୍ରା ଓ ଶୁଭଖୁଣ୍ଟି ସ୍ଥାପନ ବାବଦରେ ସୂଚନା ଦିଆଯିବ ବୋଲି ଅବଗତ କରାଇଛନ୍ତି ଯାତ୍ରା ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା। ପରମ୍ପରା ମୁତାବକ ପୃଷ୍ଟି ପରିବାର ଆଗା ସାହିରୁ ବାହାରି ମାର୍ଥା ସାହି, ପୁରୁଣା ବ୍ରହ୍ମପୁର ହୋଇ ବାଉରୀ ସାହିରେ ପହଞ୍ଚିବା ପରେ ସେଠାରେ ସ୍ବର୍ଗତ ଲଡୁ ଦାସଙ୍କ ପରିବାର ଠାରୁ ଶୁଭଖୁଣ୍ଟି ସଂଗ୍ରହ କରିବେ। ସେଠାରୁ ଶଙ୍ଖ ହୁଳହୁଳି ନାଦ ସହ ଆଗା ସାହିକୁ ଅଣାଯାଇ ପୃଷ୍ଟିଙ୍କ ଘରଈଷ୍ଟଙ୍କ ସମ୍ମୁଖରେ କ୍ଷୀର, ମହୁ, ହଳଦୀରେ ସ୍ନାନ କରି ଗଛରୁ ଲିପାଯିବ। ପରେ ଶୁଭଖୁଣ୍ଟିକୁ ଠାକୁରାଣୀଙ୍କ ମୂଳ ମନ୍ଦିରକୁ ନିଆଯାଇ ପୂଜା କରାଯିବ। ରାତିରେ ନୀଳମଣି ପୃଷ୍ଟିଙ୍କ ପୁତ୍ର ବିଦ୍ୟାଧର ଶୁଭଖୁଣ୍ଟିକୁ ଧରି ମନ୍ଦିରରେ ପ୍ରବେଶ କରିବେ।

ସେପଟେ ରାତିରେ ପଟୁଆର ସହ ଭକ୍ତଙ୍କ ଗହଣରେ ଝିଅଘର ଅର୍ଥାତ୍ ଠାକୁରାଣୀ ମନ୍ଦିର ଯିବେ ବାପା ଦୁର୍ଗାପ୍ରସାଦ। ସାଥିରେ ଯିବେ ବୀର କାହାଳୀ, ଚାଙ୍ଗୁ, ଘଣ୍ଟ, ମୃଦଙ୍ଗ ଓ ବିଭିନ୍ନ ପ୍ରକାରର ପରଭା। ଦେବୀଙ୍କ ଆଜ୍ଞାମାଳ ପାଇବା ପରେ ସେହି ଶୁଭଖୁଣ୍ଟିକୁ ଦେଶୀବେହେରା ସାହିକୁ ଅଣାଯାଇ ରୀତିନୀତି ଅନୁସାରେ ସ୍ଥାପନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button