ସେଣ୍ଟର ଅଫ ଏକ୍ସଲେନ୍ସ ପାଇଁ ସରକାର ସହଯୋଗ କରିବେ

ଭୁବନେଶ୍ବର: ଆଇସିଏଆଇ ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ। ସମ୍ମିଳନୀରେ ଶେଷ ପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଉପସ୍ଥିତ ଥିବାରୁ ଶ୍ରୀ ସିଂହଦେଓ ଖୁସିବ୍ୟକ୍ତ କରିଥିଲେ।
ଏହି ସମ୍ମିଳନୀରୁ ତାଙ୍କର ମଧ୍ୟ ଅନେକ କିଛି ଶିଖିବାର ଅଛି। ଆଗାମୀ ଦିନରେ ସେ ଜଣେ ଅତିଥିଭାବେ ନୁହେଁ, ଶ୍ରୋତାଭାବେ ଯୋଗଦେବାକୁ ପସନ୍ଦ କରିବେ ବୋଲି ମତ ଦେଇଥିଲେ। ଏଥିସହିତ ଭୁବନେଶ୍ବରରେ ଆଇସିଏଆଇର ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ ପାଇଁ ଜମି ଓ ଅନ୍ୟାନ୍ୟ ସହାୟତା ସରକାରଙ୍କ ପକ୍ଷରୁ କିଭଳି ମିଳିବ ସେଥିପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ।
ଏଥିରେ ଅନ୍ୟତମ ଅତିଥିଭାବେ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସିଏ ଶ୍ରୀଧର ପାତ୍ର ଯୋଗଦେଇ କହିଥିଲେ, ପୂର୍ବରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ମାନେ ଯେଭଳି କାର୍ଯ୍ୟ କରୁଥିଲେ ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମି ଓ ପ୍ରଯୁକ୍ତିରେ ଯେଉଁ ପରିବର୍ତ୍ତନ ଆସୁଛି ତାହାକୁ ଯୁବ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ମାନେ ଅନୁସରଣ କରିବା ଆବଶ୍ୟକ। ଏହାହେଲେ ସେମାନେ ଆଗକୁ ବଢ଼ିପାରିବେ। ପେସା ସହିତ ଜଡ଼ିତ କାର୍ଯ୍ୟ ସହ ସାମାଜିକ ଦାୟିତ୍ବ ନିଭାଇବା ପାଇଁ ମଧ୍ୟ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇସିଏଆଇ ଭୁବନେଶ୍ବର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ରାଜୀବ ଶେଖର ସାହୁ, ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ସିଏ ପ୍ରଶାନ୍ତ ପଣ୍ଡା, ଆଇସିଏଆଇ ଭୁବନେଶ୍ବର ଶାଖାର ଅଧ୍ୟକ୍ଷା ସିଏ ଜାହ୍ନବୀ ଦେଓ, ଆଇସିଏଆଇ ଭୁବନେଶ୍ବର ଶାଖାର ସଂପାଦକ ସିଏ ଗୌତମ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ।
ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ସମ୍ମିଳନୀ ଉଦ୍ଯାପିତ
୧୩୦୦ରୁ ଅଧିକ ସିଏ ଯୋଗଦେଲେ
ଦ୍ବିତୀୟ ଦିନରେ ୪ଟି ବୈଷୟିକ ଅଧିବେଶନ ହୋଇଥିଲା। ପ୍ରଥମ ଅଧିବେଶନ ‘ବ୍ୟାଙ୍କିଂରେ ଅଡିଟ୍ ଓ ଆସ୍ୟୁରାନ୍ସ-ଅଡିଟରମାନଙ୍କ ଭୂମିକା’ ଉପରେ ହୋଇଥିଲା। ଏହି ଅଧିବେଶନରେ ପୂର୍ବ ଅଧ୍ୟକ୍ଷ ସିଏ ପ୍ରଶାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ବକ୍ତାଭାବେ ମୁମ୍ବାଇର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ନିରଞ୍ଜନ ଯୋଶୀ ଯୋଗଦେଇଥିଲେ। ଦ୍ବିତୀୟ ଅଧିବେଶନରେ ଆଇସିଏଆଇ ଜିଏସ୍ଟି ଓ ପରୋକ୍ଷ ଟିକସ କମିଟିର ଅଧ୍ୟକ୍ଷ ସିଏ ସୁଶୀଲ କୁମାର ଗୋୟଲ ଅଧ୍ୟକ୍ଷତା କରିଥିବାବେଳେ ବକ୍ତାଭାବେ ନୂଆଦିଲ୍ଲୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିମଲ ଜୈନ ଯୋଗଦେଇ ଟିକସର ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ।
ସେହିଭଳି ତୃତୀୟ ଅଧିବେଶନରେ ଆଇସିଏଆଇ ଭୁବନେଶ୍ବରର ପୂର୍ବତନ ଅଧ୍ୟକ୍ଷ ସିଏ ପି ବେଣୁଗୋପାଳ ରାଓ ଅଧ୍ୟକ୍ଷତା କରିଥିବାବେଳେ ନୂଆଦିଲ୍ଲୀର ସିଏ ଅମରଜିତ ଚୋପ୍ରା ବକ୍ତାଭାବେ ଯୋଗଦେଇଥିଲେ। ଏଥିସହିତ ଏକ ପ୍ରେରଣାଦାୟୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇସିଏଆଇ ଭୁବନେଶ୍ବର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ଅରୁଣ କୁମାର ସାବତ ଅଧ୍ୟକ୍ଷତା କରିଥିବାବେଳେ ନୂଆଦିଲ୍ଲୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ସୁନୀଲ ଲିଲୋ କେସୱାନି ବକ୍ତାଭାବେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରୁ ୧୩୦୦ରୁ ଅଧିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଯୋଗଦେଇଥିଲେ।