ଓଡିଶା

ହୋଟେଲ୍‌ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ ରେକର୍ଡିଂ

ଭୁବନେଶ୍ବର: ଗ୍ରାହକ ସାଜି ହୋଟେଲ୍ରେ ରହୁଥିଲା। ବାଛିବାଛି ମହିଳା ଗ୍ରାହକଙ୍କ ପାଖ ରୁମ୍ ନେଉଥିଲା। କାଇଦାରେ ସ୍କାଏଲାଇଟ୍ ଦେଇ ମହିଳାଙ୍କ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଖଞ୍ଜି ଦେଉଥିଲା। ସେହି କ୍ୟାମେରାରେ ମହିଳାଙ୍କ ଗାଧୋଇବା ବେଳର ନଗ୍ନ ଦୃଶ୍ୟକୁ ରେକର୍ଡିଂ କରିନେଉଥିଲା। ଏଭଳି ଜଣେ ଧୂର୍ତ୍ତ ତାମିଲ ଯୁବକ ଚନ୍ଦ୍ରଶେଖରନ୍ ଆଜି କମିସନରେଟ୍ ପୁଲିସର ‘ହର୍’ ଟିମ୍ ହାବୁଡ଼ରେ ପଡ଼ିଛି।

ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ତା’ଠାରୁ ଜବତ ୨ ମୋବାଇଲ୍ରୁ ଅନେକ ଗୁରୁତ୍ବପୂର୍ଣ୍ଣ ଭିଡିଓ ମିଳିଥିବା ଜଣାପଡ଼ିଛି।

ପୁଲିସ ସୂଚନାନୁସାରେ ଛତିଶଗଡ଼ର ଜଣେ ମହିଳା ଓ ତାଙ୍କ ଝିଅ ଲକ୍ଷ୍ମୀସାଗର ଅଞ୍ଚଳସ୍ଥ ହୋଟେଲ୍ ‘ରେଲ୍ ଭିଉ’ରେ ରହିଥିଲେ। ମହିଳାଙ୍କ ଝିଅ ଆଜି ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇବାର ଥିଲା। ତେଣୁ ମା’ ଝିଅ ସକାଳୁ ଉକ୍ତ ଅଫିସ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ତେଣୁ ପ୍ରଥମେ ଝିଅ ଗାଧୁଆପାଧୁଆ ସାରି ବାଥ୍ରୁମ୍ରୁ ବାହାରିଥିଲେ। ଏହାପରେ ମହିଳା ବାଥ୍ରୁମ୍କୁ ଯାଇଥିଲେ। ସେ ଗାଧୋଇବା ବେଳେ ତାଙ୍କ ନଜର ସ୍କାଏଲାଇଟ୍ରେ ପଡ଼ିଥିଲା। ସେଠାରେ ସେ ଏକ କ୍ୟାମେରା ଦେଖିପାରିଥିଲେ। ତୁରନ୍ତ ସେ ପାଟି କରି ହୋଟେଲ୍ କର୍ମଚାରୀମାନଙ୍କୁ ଡାକିଥିଲେ। ତାଙ୍କ ପାଟି ଶୁଣି ପାଖ ରୁମ୍ରୁ ବାହାରି ଚନ୍ଦ୍ରଶେଖରନ ଦୌଡ଼ି ପଳାଇଥିଲା। ମହିଳାଜଣକ ତାକୁ ପିଛା କରିଥିଲେ ବି ଧରିପାରି ନଥିଲେ। ହୋଟେଲ କର୍ମଚାରୀମାନେ ପହଞ୍ଚିବା ପରେ ଚନ୍ଦ୍ରଶେଖରନ୍ ନେଇଥିବା ରୁମ୍କୁ ଯାଞ୍ଚ କରିଥିଲେ। ସେଠାରୁ ଏକ ମୋବାଇଲ୍ ମିଳିଥିଲା। ଧରାପଡ଼ିବା ପୂର୍ବରୁ ତରବର ହୋଇ ପଳାଇବା ବେଳେ ସେ ମୋବାଇଲ୍ ଛାଡ଼ି ପଳାଇଥିଲା।

ହୋଟେଲ କର୍ମଚାରୀମାନଙ୍କ ପରାମର୍ଶକ୍ରମେ ମହିଳାଜଣକ ତୁରନ୍ତ ହର୍ ଟିମ୍କୁ ଜଣାଇଥିଲେ। ହର୍ ଟିମ୍ ହୋଟେଲ୍ରେ ପହଞ୍ଚି ଚନ୍ଦ୍ରଶେଖରନ୍ର ମୋବାଇଲ୍ ନେଇ ଟ୍ରାକ୍ କରିଥିଲା। ସେହିଭଳି ସିସିଟିଭି ଫୁଟେଜ୍ରୁ ତା’ର ଫଟୋ ନେଇଥିଲା। ମୋବାଇଲ୍ ଟ୍ରାକ୍ରୁ ସେ ପଟିଆ ଅଞ୍ଚଳର ଏକ ହୋଟେଲରେ ପହଞ୍ଚିଥିବା ଜଣାପଡ଼ିଥିଲା। ହର୍ ଟିମ୍ ଉକ୍ତ ହୋଟେଲରେ ଚଢ଼ଉ କରି ତାକୁ କାବୁ କରି ଲକ୍ଷ୍ମୀସାଗର ଥାନା ପୁଲିସ ଜିମା ଦେଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button