କ୍ରୀଡା

ଆଜି ଭାରତ-ନେଦରଲାଣ୍ଡ୍ସ ମୁକାବିଲା: ୱାର୍ମ ଅପ୍‌ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବିଜୟୀ – Utkal Mail


ଗୁଆହାଟୀ: ସୋମବାର ଖେଳାଯାଇଥିବା ଦୁଇଟି ବିଶ୍ବକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛନ୍ତି। ମଙ୍ଗଳବାର ଭାରତ-ନେଦରଲାଣ୍ଡ୍ସ, ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବ। ଗୁଆହାଟୀରେ ଶେଷ ହୋଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ୪ ୱିକେଟ୍‌ରେ ବାଂଲାଦେଶକୁ ହରାଇଛି। ୩୭ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୮୮/୯ ସ୍କୋର କରିଥିଲା। ମେହିଦି ହାସନ ମିରାଜ ୭୪ ଓ ତାଂଜିଦ ହାସନ ୪୫ ରନ୍‌ ସଂଗ୍ରହ କରିଥିଲା ବେଳେ ରିସି ଟପ୍‌ଲେ ୩, ଡେଭିଡ୍‌ ୱିଲି ଓ ଅଦିଲ ରସିଦ୍‌ ୨-୨ ୱିକେଟ୍‌ ନେଇଥିଲେ।

ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୬ ୱିକେଟ୍‌ ବିନିମୟରେ ୨୪.୧ ଓଭରରେ ହାସଲ କରିଥିଲା। ମୋଇନ୍‌ ଅଲ୍ଲୀ ଅର୍ଦ୍ଧଶତକୀୟ (୫୬) ପାଳି ଖେଳି ଦଳକୁ ଜିତାଇଥିଲେ। ଥିରୁବନ୍ତପୁରମ୍‌ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଡେଭନ୍‌ କନୱେ (୭୮), ଟମ୍‌ ଲାଥମ୍‌ (୫୨), ଗ୍ଲେନ୍‌ ଫିଲିପ୍ସ (୪୩)ଙ୍କ ଅବଦାନ ଯୋଗୁଁ ପ୍ରଥମ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୨୧/୬ ସ୍କୋର କରିଥିଲା। ଲୁଙ୍ଗି ଏନ୍‌ଗିଡି ଓ ମାର୍କୋ ଜାନସେନ୍‌ ୩-୩ ୱିକେଟ୍‌ ନେଇଥିଲେ। ତେବେ ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ପାଳିରେ ଦକ୍ଷିଣ ଆଫ୍ରିକାକୁ ୩୭ ଓଭରରେ ୨୧୯ ରନ୍‌ ଲକ୍ଷ୍ୟ ଦିଆଯାଇଥିଲା। କିନ୍ତୁ ଦଳ ଏହି ଓଭର ସୁଦ୍ଧା ୨୧୧/୪ କରିପାରିଥିଲା। କ୍ବିଣ୍ଟନ ଡି’କକ୍‌ (୮୪*), ରାସି ଭାନ୍‌ ଦର୍‌ ଦୁସେନ୍‌ (୫୧) ଦଳକୁ ଜିତାଇବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଘରକୁ ଫେରିଗଲେ କୋହଲି

ଥିରୁବନ୍ତପୁରମ୍‌: ଭାରତର ପ୍ରଥମ ୱାର୍ମ ଅପ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମଙ୍ଗଳବାର ଭାରତ ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ। ଏଥିପାଇଁ ଭାରତୀୟ ଦଳ କେରଳରେ ପହଞ୍ଚି ସାରିଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ବିରତି ନେବାକୁ ଚାହିଁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୋହଲି ଗୁଆହାଟୀରୁ ସିଧାସଳଖ ଘରକୁ ଫେରିଯାଇଛନ୍ତି। ବ୍ୟକ୍ତିଗତ ଜରୁରିକାଳୀନ କାମ ଥିବାରୁ ସେ ଘରକୁ ଫେରିଛନ୍ତି। କିନ୍ତୁ ଦ୍ବିତୀୟ ୱାର୍ମ ଅପ୍‌ ପୂର୍ବରୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବା କିଛି ରିପୋର୍ଟରେ ପ୍ରକାଶ ପାଇଛି। ଯଦିଓ ଏନେଇ ଏହି ସେଲିବ୍ରିଟି ଦମ୍ପତି କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ଅନୁଷ୍କାଙ୍କ ସହିତ କିଛି ମୂଲ୍ୟବାନ ସମୟ ବିତାଇବା ପାଇଁ କୋହଲି ଘରକୁ ଫେରିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଦ୍ବିତୀୟ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବା ସମ୍ଭାବନା ବହୁତ୍‌ କମ୍ ରହିଛି। ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍‌ ଧୋଇ ହୋଇଯାଇଥିଲା। ପରେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ ମ୍ୟାଚ୍‌ ୨୩ ଓଭର ବିଶିଷ୍ଟ କରାଯାଇଥିଲେ ମଧ୍ୟ ଦ୍ବିତୀୟ ପାଳିର ୧୫ ଓଭର ପରେ ଖେଳିବା ସମ୍ଭବ ହୋଇନଥିଲା।

ଅଜୟ ଜାଦେଜା ଆଫଗାନିସ୍ତାନ ମେଣ୍ଟର

ନୂ୍ଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଦେଜା ଚଳିତ ବିଶ୍ବକପ୍‌ ପାଇଁ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ ଗୁଆହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ୱାର୍ମ ଅପ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଜାଦେଜା ସେଠାରେ ଦଳ ସହିତ ଯୋଗ ଦେଇଛନ୍ତି। ଜାଦେଜା ପୂର୍ବରୁ ଦିଲ୍ଲୀର ପ୍ରଶିକ୍ଷକ ଭାବେ ୨୦୧୫ରେ ଦାୟିତ୍ବ ନେଇଥିଲେ। ପରେ ଭାଷ୍ୟକାର ଭାବେ ନୂଆ ପାଳି ଆରମ୍ଭ କରିଥିଲେ। ଆଫଗାନିସ୍ତାନ ତୃତୀୟ ଥର ପାଇଁ ବିଶ୍ବକପ୍‌ରେ ଖେଳିବାକୁ ଯାଉଛି। ୨୦୧୪ ଓ ୨୦୧୯ ବିଶ୍ବକପ୍‌ ସଂସ୍କରଣ ପରେ ଏଥର ଭାରତରେ ଏହି ଇଭେଣ୍ଟ ଆୟୋଜନ ହେଉଥିବାରୁ ସ୍ଥାନୀୟ ପାଣିପାଗ ଓ ପରିବେଶ ସଂକ୍ରାନ୍ତରେ ଜ୍ଞାନ ପାଇବା ପାଇଁ ଜାଦେଜାଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। ଜାଦେଜା ଭାରତ ପାଇଁ ୧୯୯୨ ରୁ ୨୦୦୦ ମସିହା ମଧ୍ୟରେ ୧୫ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୨୬.୧୮ ହାରରେ ସେ ୫୭୬ ରନ୍‌ ସଂଗ୍ରହ କରିଥିଲେ। ଏହାବାଦ୍‌ ସେ ଖେଳିଥିବା ୧୯୬ ଦିନିକିଆରୁ ୫୩୫୯ ରନ୍‌ କରିଛନ୍ତି। ଯେଉଁଥିରେ ୬ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ୍‌ ଅଛି।




Related Articles

Leave a Reply

Your email address will not be published. Required fields are marked *

Back to top button